ମା’ ଝିଅଙ୍କୁ ବାନ୍ଧି ନେଇଗଲେ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର

ଧଉଳି: ଧଉଳି ଥାନା ଅଧୀନ ନୂଆଗାଁ (ବଳରାମ ନଗର ଲେନ -୧) ଅଞ୍ଚଳରେ ଗତକାଲି ରଞ୍ଜିତା ପଣ୍ଡା ନାମକ ଜଣେ ମହିଳାଙ୍କ ଘରୁ ବଡ଼ ଧରଣର ଲୁଟ ହୋଇଛି। ଘର ଝରକା ତାଡ଼ି ଦୁର୍ବୃତ୍ତମାନେ ୨୫ ଭରି ଓଜନର ସୁନା ଓ ରୂପା ଅଳଙ୍କାର ସମେତ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ ସୁନା ଅଳଙ୍କାର ମଧ୍ୟରେ ରହିଛି,ସୁନାହାର, ସୁନା ଚେନ, ମଙ୍ଗଳ ସୂତ୍ର, କାନ ପେଣ୍ଡିଫୁଲ, ସୁନା ମୁଦି , ଚୂଡ଼, ଶଙ୍ଖା, ବିଭିନ୍ନ ରୂପା ଗହଣା। ଲୁଟ ସୁନା ଓ ରୂପା ଗହଣାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏସଂପର୍କରେ ରଂଜିତା ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଆଖପାଖରେ ଦୁଇଟି ସ୍ଥାନରେ ଲାଗିଥିବା ଦୁଇଟି ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିଥିଲା। ଅଭିଯୋଗ ଅନୁସାରେ ସିସି କ୍ୟାମେରା ଫୁଟେଜରେ ୪ଜଣ ଲୁଟେରା ଚିହ୍ନଟ ହୋଇଛନ୍ତି। ହେଲେ ଏହା ମଧ୍ୟରେ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ନିକଟରେ ପହଞ୍ଚି ପାରିନାହିଁ। ରଞ୍ଜିତାଙ୍କ ଅଭିଯୋଗ ଅନୁସାରେ ନଂ ୯୭/୨୨ରେ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ ଗତକାଲି ରାତିରେ ରଞ୍ଜିତାଙ୍କ ଘରେ କେହି ପୁରୁଷ ଲୋକ ନଥିଲେ। ରଞ୍ଜିତା ଏବଂ ତାଙ୍କ ମାଆ ଗୋଟିଏ ଘରେ ଶୋଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଝରକା ତାଡ଼ି ଭିତରେ ପଶିଥିଲେ। ଏବଂ ପାଖଘରେ ଦୀର୍ଘ ସମୟ ଧରି ଲୁଟପାଟ କରିଥିଲେ।

ଆଲମିରା ଲକ ଭାଙ୍ଗି ସେଥିରେ ଥିବା ଉପରୋକ୍ତ ସୁନା ରୂପା ଅଳଙ୍କାର ସହିତ ଟଙ୍କା ଲୁଟି ନେଇଥିଲେ। ପାଟିଶୁଣି ରଞ୍ଜିତା ସେମାନଙ୍କୁ ବିରୋଧ କରିଥିଲେ। ହେଲେ ସେମାନେ ମାରଣାସ୍ତ୍ର ଦେଖାଇ ରଞ୍ଜିତାଙ୍କ ବେକରେ ଥିବା ସୁନାହାର, କାନ ଫୁଲ ଓ ଶଙ୍ଖା ଆଦି ୫ ଭରି ଓଜନର ସୁନା ଗହଣା ଲୁଟି ନେଇଥିଲେ। ଏହାପରେ ଲୁଟେରାମାନେ ଉଭୟ ମା’ ଝିଅଙ୍କୁ ଘର ଭିତରେ ମୁହଁ ଓ ହାତଗୋଡ଼ ବାନ୍ଧି  ଫେରାର ହୋଇଯାଇଥିଲେ। ଜଣେ ପଡ଼ୋଶୀ ଏସଂପର୍କରେ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଜଣାଇଥିଲେ। ଖବର ପାଇ ଧଉଳି ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ଗତକାଲି ରାତି ଦି’ଟା ସମୟରେ ଏହି ଲୁଟ ଘଟଣା ଘଟିଥିବା ବେଳେ ସେମାନେ  ୩ଟା ସମୟ ପର୍ୟ୍ୟନ୍ତ ଦୀର୍ଘ ୧ ଘଣ୍ଟା ଧରି ଲୁଟପାଟ କରିଥିଲେ।

ସମ୍ବନ୍ଧିତ ଖବର