ହାଟଡିହି: ପୂର୍ବ ବିବାଦକୁ ନେଇ ସୋସୋ ଥାନା ଝଣଝଣା ଗ୍ରାମରେ ମା’ପୁଅକୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ମାଡ ମାରିବାର ସମାଧାନ ପାଇଁ ଗାଁରେ ବୈଠକ ବସିଥିବାବେଳେ ଏପଟେ ମା’ ପୁଅଙ୍କ ଘର ପୋଡ଼ିଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଖବରରୁ ଜଣାଯାଇଛି ଯେ ଦିପୁ ପଲେଇ ଓ ତାଙ୍କ ସ୍ତ୍ରୀ କୁନିଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ଝଗଡା ଲାଗିଥିଲା। ଦିପୁ ଖରାପ ଭାଷାରେ ତାର ସ୍ତ୍ରୀକୁ ଗାଳିଗୁଲଜ ଓ ପିଟାମରା କରିଥିଲା। ଏନେଇ କିଛି ପଡୋଶୀ ଦିପୁକୁ ଏଭଳି ବ୍ୟବହାରରୁ କ୍ଷାନ୍ତ କରିବାକୁ ଆସିଥିଲେ।
କିନ୍ତୁ ଦିପୁ ସେମାନଙ୍କ କଥା ନଶୁଣିବାରୁ ପଡୋଶୀ ସୁରେନ୍ଦ୍ର ଦେହୁରୀ ଓ ଚଗୁଲୁ ଦେହୁରୀଙ୍କ ଭିତରେ ମାଡ଼ପିଟା ହୋଇଥିଲା। ଦିପୁର ମା’ ଝରଣା ପଲେଇ ଏହାର ପ୍ରତିବାଦ କରିବାରୁ ପଡୋଶୀ ଦୁଇଜଣ ଝରଣାଙ୍କୁ ମଧ୍ୟ ମାଡ଼ ମାରିଥିଲେ ଓ ତୋର ଘରଦ୍ୱାର ଭାଙ୍ଗି ତୋତେ ଗାଁରୁ ତଡିଦେବୁ ବୋଲି ମଧ୍ୟ ଧମକ ଦେଇଥିଲେ। ଏନେଇ ଗତକାଲି ରାତିରେ ଗାଁରେ ବୈଠକ ବସିଥିଲା। ବୈଠକ ଚାଲୁଥିବା ସମୟରେ ଦିପୁର ଘର ପୋଡ଼ି ଯାଇଥିଲା । ଗାଁ ଲୋକେ ଦ ନିଆଁକୁ ଆୟତ୍ତ କରିଥିଲେ । ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଲିଭାଇ ଥିଲା । କେହି ଦୁର୍ବୃତ ତାଙ୍କ ଘରଟିରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଖବରପାଇ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।