ଜିଲ୍ଲାପାଳଙ୍କୁ ମା’ଙ୍କ ଅଭିଯୋଗ, କରୋନା ଟିକା ନେବା ପରେ ପୁଅର ଗୋଡ଼ହାତ ଅଚଳ !

ସୁନ୍ଦରଗଡ଼: ‘ସ୍କୁଲରେ କରୋନା‌ ଟିକା ନେବା ପରେ  ମୋ ୧୪ ବର୍ଷିୟ ପୁଅର ଗୋଡ଼ ହାତ ଅଚଳ ହୋଇଯାଇଛି। ୨ ମାସ ହେଲା ସେ ଠିକ୍‌ ଭାବେ ଚଲାବୁଲା କରିପାରୁ ନଥିବା ବେଳେ ତା’ ପାଠ ପଢ଼ା ବନ୍ଦ ହୋଇଯାଇଛି’। ଏହି ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ମା’, ହେମଗିର ବ୍ଲକ୍‌ କୁଚେଡେଗାର ବାସନ୍ତୀ ସା। ଅର୍ଥ ନଥିବାରୁ ଦିବ୍ୟାଙ୍ଗ ଭଳି ଜୀବନ ଜିଉଁଥିବା ପୁଅର ଉନ୍ନତ ଚିକିତ୍ସା କରି ନପାରି  ଅସହାୟ ହୋଇପଡ଼ିଥିବା ବାସନ୍ତୀ ଆଜି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ତେବେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡ. ସରୋଜ କୁମାର ମିଶ୍ର ଭେକ୍ସିନର ପାର୍ଶ୍ବ ପ୍ରତିକ୍ରିୟାକୁ ସ୍ବୀକାର କରିଛନ୍ତି।

କିନ୍ତୁ ପିଲାର ଚିକିତ୍ସା ରିପୋର୍ଟ ଓ  ପରୀକ୍ଷାନିରୀକ୍ଷା ପରେ ଏହା ସ୍ପଷ୍ଟ ହେବ ବୋଲି ସେ କହିବା ସହ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଡ. ମିଶ୍ର ପ୍ରକାଶ କରିଛନ୍ତି। କୁଚେଡେଗାର ବାସନ୍ତୀଙ୍କ ୧୪ ବର୍ଷର ପୁଅ ହିତେଶ। ପର ଘରେ ମୂଲ ଲାଗି ଚଳୁଥିଲେ ମଧ୍ୟ ବାସନ୍ତୀ ପୁଅକୁ ପାଠ ପଢ଼ାଉଥିଲେ। ହିତେଶ କୁଚେଡେଗା ହାଇସ୍କୁଲରେ  ଅଷ୍ଟମ ପଢ଼ୁଥିଲେ। ବେଶ ସୁସ୍ଥ ଥିଲେ ସେ। ଗତ ମାର୍ଚ୍ଚ ୨୬ରେ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ କୋଭିଡ୍‌ ଟିକା ଦିଆଯାଇଥିଲା। ସ୍କୁଲରେ ସ୍ବାସ୍ଥ୍ୟକର୍ମୀଙ୍କ ଏକ ଟିମ୍‌ ସ୍କୁଲକୁ ଯାଇ ପିଲାଙ୍କୁ ଟିକା ଦେଇଥିଲେ। ଟିକା ଭୟରେ ହିତେଶ ସେ ଦିନ ସ୍କୁଲ ଯାଇ ନଥିଲେ ମଧ୍ୟ ତାଙ୍କୁ ଘରୁ ଡକାଇ ମଧ୍ୟାହ୍ନ ୧୨ଟାରେ ଟିକା ଦିଆଯାଇଥିଲା। ଟିକା ନେବା ପରେ ହାତରେ ଦରଜ ହୋଇ ୨୬ ତାରିଖ ରାତିରେ ଜ୍ବର ହୋଇଥିଲା।

ସକାଳୁ ହିତେଶ ଅଚେତ ହୋଇପଡ଼ିବାରୁ ବ୍ୟସ୍ତ ବିବ୍ରତ ମା’ ବାସନ୍ତୀ ପଡ଼ାର ଲୋକଙ୍କ ସହଯୋଗରେ ହେମଗିର ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ହିତେଶଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ  ସୁନ୍ଦରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ଡାକ୍ତର। ସେଠାରେ ଦେହ ଅଧିକ ଖରାପ ହେବାରୁ ବୁର୍ଲା ଡାକ୍ତରଖାନା ପଠାଯାଇଥିଲା। ବୁର୍ଲାରେ କିଛି ଦିନ ଚିକିତ୍ସା କରିବା ପରେ ବି ହିତେଶ ସୁସ୍ଥ ନ‌ହେବାରୁ ଅପ୍ରେଲ ୧୦ରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

କିନ୍ତୁ ସେତେବେଳକୁ ତାଙ୍କ ଗୋଡ଼ହାତ ଅଚାଳ ହୋଇଗଲା,  ସେ କଥା କହିପାରିଲେ ନାହିଁ। ୨୦ ଦିନ ଧରି ସେଠାରେ ଚିକିତ୍ସା ପରେ ବି ‌ସେ ସୁସ୍ଥ ନହେବାରୁ ଡାକ୍ତର ଘରକୁ ନେଇଯିବାକୁ କହିଥିଲେ। ବାସନ୍ତୀ ପୁଅକୁ ଘରକୁ ନେଇ ଆସିଲେ, କିନ୍ତୁ  ଗରିବ କୁଡ଼ିଆରେ ଅର୍ଥ ନଥିବାରୁ ପୁଅ ସେମିତି ପଡ଼ି ରହିଥିବା ବେଳେ ଆଜି ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସହ ମା’ ବାସନ୍ତୀ ପୁଅକୁ ନେଇ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ମାଗିଥିଲେ। ଦିବ୍ୟାଙ୍ଗ ଭଳି କଲବଲ ଜୀବନ କାଟୁଥିବା ହିତେଶର ଉନ୍ନତ ମାଗଣା ଚିକିତ୍ସା ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଥିଲେ। ଏହା ପରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ଭେଟିଥିଲେ। ସେ ହିତେଶଙ୍କୁ ଆର୍ଥିକ ସହାୟତା ଦେବା ସହ ମାଗଣା ଚିକିତ୍ସା ଦିଆଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର