ପୁଅ ମୃତ୍ୟୁର ୧୪ ଦିନରେ ଚାଲିଗଲେ ମା’ ଏଣେ ଝିଅ ମୃତ୍ୟୁ ଖବର ଶୁଣି ଟଳିପଡ଼ିଲେ ବାପା

ଛେଣ୍ଡିପଦା: କରୋନାର କରାଳ ରୂପ ଏବେ ଚାରିଆଡ଼େ କୋକୁଆ ଭୟ ଖେଳାଇଦେଇଛି। ଏହି ଭୟଙ୍କର ମହାମାରୀ ଗୋଟିଏ ଗୋଟିଏ ପରିବାରରେ ହାହାକାର ଖେଳାଇ ଦେଲାଣି। ଏହିଭଳି ଏକ ମର୍ମନ୍ତୁଦ ଘଟଣା ଘଟିଛି ‌ଛେଣ୍ଡିପଦା ବ୍ଲକ୍ ବସନ୍ତପୁର ଗାଁରେ। ଯୁବା ପୁଅର ମୃତ୍ୟୁର ୧୪ ଦିନରେ ମାଆ ଆରପାରିକୁ ଚାଲିଯାଇଥିବାବେଳେ ବାପା ଘୋର ହତାଶାରେ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପକ୍ଷରେ ଏହି ମହିଳାଙ୍କ ପରଲୋକ ଖବର ପାଇବା ପରେ ହୃଦ୍‌ଘାତରେ ତାଙ୍କ ବୃଦ୍ଧବାପାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବସନ୍ତପୁର ଗାଁର ଚୈତନ୍ୟ ସ୍ବାଇଁ (୫୫) ଜଣେ ଚାଷୀ। ବିଭିନ୍ନ ଫସଲ ଚାଷକରି ସେ ପରିବାର ଚଳାଉଥିଲେ। ଅବିବାହିତ ପୁଅ ତ୍ରିଲୋଚନ ସ୍ବାଇଁ(୩୧) ତାଙ୍କୁ ଏଥିରେ ସହଯୋଗ କରୁଥିଲେ। କିଛିଦିନ ତଳେ ତ୍ରିଲୋଚନ ଅସୁସ୍ଥ ହୋଇପଡ଼ିବାରୁ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେ କରୋନା ସଂକ୍ରମିତ ବୋଲି ଗତ ୨ ତାରିଖରେ ଜଣାପଡ଼ିଥିଲା। ସେହିଦିନ ତାଙ୍କୁ ତାଳଚେର କୋଭିଡ଼ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତ ୪ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଭେଣ୍ଡା ପୁଅକୁ ଝୁରି ଝୁରି ମାଆ ସୁକାନ୍ତି ସ୍ବାଇଁ(୫୧) ଅସୁସ୍ଥ ହୋଇପଡ଼ିଲେ। ଗତ ୧୬ ତାରିଖରେ ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିନ ପ୍ରାୟ ୧ଟାବେଳେ ତାଙ୍କର ମୃତ୍ୟୁ ଘଟିଛି। ସୁକାନ୍ତିଙ୍କ ବାପଘର ଛେଣ୍ଡିପଦା ବ୍ଲକ୍‌ ଖମାର ଗାଁ ଗଉଡ଼ନାଳି ସାହିରେ। ସୁକାନ୍ତିଙ୍କ ମୃତ୍ୟୁ ଖବର ପାଇବା ପରେ ଦିନ ପାଖାପାଖି ୧ଟା ୧୫ରେ ତାଙ୍କ ବାପା ଦେବାନନ୍ଦ ସାହୁ(୮୧) ହୃଦ୍‌ଘାତରେ ପ୍ରାଣ ହରାଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି। ଚୈତନ୍ୟ ସ୍ବାଇଁ କିଛିଦିନ ହେଲା କରୋନା ସଂକ୍ରମିତ ହୋଇ ଘରେ ସଙ୍ଗରୋଧରେ ଅଛନ୍ତି। କିଛି ଦିନର ବ୍ୟବଧାନରେ ଅବିବାହିତ ଭେଣ୍ଡା ପୁଅ ଓ ପତ୍ନୀଙ୍କ ଅକାଳ ମୃତ୍ୟୁ ପରେ ଏବେ ଶ୍ବଶୂରଙ୍କ ମୃତ୍ୟୁ। ଏଭଳି ଗୋଟିଏ ପରେ ଗୋଟିଏ ଅଘଟଣରେ ସଂପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି ଚୈତନ୍ୟ।

ସମ୍ବନ୍ଧିତ ଖବର