ରାଜନଗର : ନିଜ କିଡ୍‌ନି ଦେଇ ପୁଅର ଜୀବନ ବଂଚାଇ ଖୁସି ହୋଇଥିବା ମା’ ଡାକ୍ତରଖାନା ଶଯ୍ୟାରେ ଚିକିତ୍ସାଧୀନ। ଏପଟେ ପୁଅର ଶବ ସତ୍କାର ସରିଲାଣି। ଏପରି ଦୁଃଖଦ ଓ ଲୋମଟାଙ୍କୁରା ଖବର କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ତଳୀର ବାଲିଝରି ଗାଁରୁ ଆସିଛି। କିଡ୍‌ନି ପ୍ରତିରୋପଣର ମାତ୍ର କିଛି ଘଣ୍ଟା ଭିତରେ ଜଣେ ଯୁବକଙ୍କ ମୃତ୍ୟୁ ବିଭିନ୍ନ ପ୍ରଶ୍ନ ଛିଡା କରିଛି। କିଡ୍‌ନି ପ୍ରତିରୋପଣ ଯଦି ସଫଳ ହୋଇଥିଲା, ତେବେ ତାଙ୍କର ମୃତ୍ୟୁ ହେଲା କାହିଁକି? କେଉଁଠି ରହିଲା ଅବହେଳା ଓ ତ୍ରୁଟି? ଏଥିପାଇଁ କିଏ ଦାୟୀ ରହିବେ, କାହା ଉପରେ ଉତ୍ତରଦାୟିତ୍ବ ନ୍ୟସ୍ତ ହେବ... ନେଇ ଏବେ ସବୁଠି ପ୍ରଶ୍ନ।

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ ବ୍ଲକ୍‌ ବାଲିଝରି ଗାଁର ରାକେଶ ପାତ୍ର ଗାଡ଼ି ଚଳାଇ ପରିବାର ପୋଷୁଥିଲେ। ତିନି ଶିଶୁଙ୍କ ସହିତ ସ୍ତ୍ରୀ, ବୁଢ଼ା ବାପା ଓ ମାକୁ ନେଇ ତାଙ୍କ ସଂସାର। ହଠାତ୍‌ ଦେହ ଖରାପ ହେବାରୁ ସେ ଡାକ୍ତରଙ୍କୁ ଦେଖାଇଥିଲେ। କିଡ୍‌ନି ଖରାପ ଥିବା ଡାକ୍ତର କହିଥିଲେ। ସମସ୍ତଙ୍କ ମୁଣ୍ତ ଉପରେ ଯେପରି ଆକାଶ ଛିଣ୍ତି ପଡ଼ିଥିଲା। ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ କିଡ୍‌ନି ପ୍ରତିରୋପଣ କରାଗଲେ ରାକେଶ ବଞ୍ଚି ପାରିବେ ବୋଲି ଡାକ୍ତର କହିଥିଲେ। କିଡ୍‌ନି କିଏ ଦେବ, କିପରି ରାକେଶଙ୍କ ଚିକିତ୍ସା ହେବ, ସେ ନେଇ ସମସ୍ତେ ଚିନ୍ତାରେ ପଡ଼ିଥିଲେ। କିଡ୍‌ନି ପ୍ରତିରୋପଣ ପାଇଁ କାଗଜପତ୍ର ପ୍ରସ୍ତୁତି ପରେ ରାକେଶଙ୍କ ସହିତ ତାଙ୍କ ମା’ଙ୍କ କିଡ୍‌ନି ମେଳ ଖାଇଥିଲା। ପୁଅର ଜୀବନ ବଚିଂଯିବ ଜାଣି ମା’ ଶିବାନୀ ଖୁସିରେ କିଡ୍‌ନି ଦେବାକୁ ରାଜି ହୋଇଥିଲେ। ଗତ ୧୨ ତାରିଖ ଦିନ କଟକ ବଡ଼ ଡାକ୍ତରଖାନାରେ ପ୍ରତିରୋପଣ ହୋଇଥିଲା। ହେଲେ, ପ୍ରତିରୋପଣର ମାତ୍ର କିଛି ସମୟ ପରେ ରାକେଶଙ୍କ ମୃତ୍ୟୁ ଘଟିଥିଲା।

publive-image

ରାକେଶଙ୍କ ମା ଏବେ ବି ଡାକ୍ତରଖାନା ଶଯ୍ୟାରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ କିଡ୍‌ନିରେ ପୁଅର ଜୀବନ ବଂଚିଯାଇଛି ବୋଲି ଜାଣି ସେ ଖୁସି ଅଛନ୍ତି। କିନ୍ତୁ ଏପଟେ ପୁଅର ଶବ ସତ୍କାର ସରିଲାଣି। ଅପରେସନ୍‌ ସଫଳ ହୋଇଥିବା ଡାକ୍ତର ପରିବାର ଲୋକଙ୍କୁ ସୂଚନା ଦେଇଥିବା ବେଳେ କାହିଁକି ରାକେଶଙ୍କ ମୃତ୍ୟୁ ଘଟିଲା, ତାହାକୁ ନେଇ ସବୁସ୍ତରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁଠି ଭୁଲ୍‌ ରହିଲା, କେଉଁ ସ୍ତରରେ ଓ କାହା ଭୁଲ ଯୋଗୁଁ ଏପରି ଘଟିଲା, ତାହା ବଡ଼ ପ୍ରଶ୍ନ ଭାବେ ଛିଡ଼ା ହୋଇଛି।

ଏପଟେ, ରାକେଶଙ୍କ ପତ୍ନୀଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ବୁଢ଼ା ବାପା ପାଗଳଙ୍କ ଭଳି ବାଉଳିଚାଉଳି ହେଉଛନ୍ତି। ଗାଁ ସାରା ନିସ୍ତବ୍ଧ, ଦୁଃଖଦ ପରିବେଶ। ଯେଉଁ ସ୍ତରରେ ତ୍ରୁଟି ଥାଉ ନା କାହିଁକି, ବାପ ଛେଉଣ୍ତ ୩ ବର୍ଷର ପୁଅ ସମେତ ୧୦ବର୍ଷ ଓ ୫ ବର୍ଷର ଝିଅ, ପତ୍ନୀ, ପୁଅକୁ କିଡ୍‌ନି ଦେଇଥିବା ମା’ ଓ ବୁଢ଼ା ବାପାଙ୍କୁ କିଏ ସାହା ହେବ? ଏହାର ତଦନ୍ତ କରାଯାଇ ବେସାହାରା ପରିବାରକୁ କ୍ଷତିପୂରଣ ଓ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।