ବନ୍ୟାରେ ଭାସିଥିଲା, ବାତ୍ୟାରେ ଉଡ଼ିଯିବ! ପଲିଥିନ ତଳେ ମା’ ଜଣେ…

ଦଶରଥପୁର: ବାହାରେ ତୁହାକୁ ତୁହା ବର୍ଷା। ଉପରେ ମେଘାକ୍ରାନ୍ତ ଆକାଶ। ଭିତରେ ବସିଛି ମା’ ଜଣେ। ପଲିଥିନ୍‌ ଆଡ଼େଇ କରୁଣ ଆଖିରେ ବାହାରକୁ ଚାହିଁରହିଛି। ବାହାରୁ ବର୍ଷାଛିଟାର ମାଡ଼ ତ ଭିତରେ ଛାତିଏ କୋହ। ବାତ୍ୟା ‘ୟାସ’ ଆସିନାହିଁ ତ ପୁଣି ମେଞ୍ଚାଏ ଦୁଃଖ ଆଣି ଦେଇଛି। ସେହି ମାଡ଼ରେ ମୁଣ୍ଡ ଗୁଞ୍ଜିବାକୁ ଥିବା ଏହି ପଲିଥିନ ପଲାଟି ଆଉ ରହିବ ତ! କେବେ ବଦଳିବ ଏଇ ମା’ର ଦୁଃଖ? କେବେ ତା’ ମୁଣ୍ଡ ଉପରେ ଶକ୍ତ ଛାତଟିଏ ହୋଇପାରିବ, ଫଳରେ ତାକୁ ଆଶ୍ରୟ ନେବାକୁ ଆଉ ବାରଦୁଆର ହେବାକୁ ପଡ଼ିବନି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦତ୍ତପୁରର ଏ ଛାତିଥରା ଚିତ୍ର ହୃଦୟକୁ ଦୋହଲାଇ ଦେବା ପରି।

ଗତବର୍ଷ ଅଗଷ୍ଟରେ ବୈତରଣୀର ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିଲା ଚାଳଛପର ଘର। ଘରଡିହ ହୋଇଯାଇଥିଲା ବାଲିଚର। ସେବେଠାରୁ ବନ୍ଧହୁଡ଼ାରେ ପଲିଥିନ୍‌ ତଳେ ଜୀବନ ବିତୁଛି। ଯଦିଓ ୩ ମାସରେ କୋଠାଘର ଠିଆ ହୋଇଯାଉଛି, କିନ୍ତୁ ଏଠାରେ ୮ ମାସ ପରେ ବି ପଲିଥିନ ତଳେ ରହିବାକୁ ପଡ଼ୁଛି। ଆଜି ‘ୟାସ’ ମାଡ଼ରୁ ବର୍ତ୍ତିବା ପାଇଁ ସେମାନେ ପୁଣି ଆଶ୍ରୟସ୍ଥଳୀ ଖୋଜୁଛନ୍ତି। ସେଠାରୁ ‌ଫେରିବା ପରେ ଏ ପଲିଥିନ ଚାଳି ଓ ଜିନିଷପତ୍ର ଥିବ କି ନାହିଁ କିଏ ଜାଣେ ବୋଲି ଓଦାଆଖିରେ କହନ୍ତି ଏହି ବିପନ୍ନମାନେ। ଖାଲି ଯେ ବନ୍ୟା ବିପନ୍ନଙ୍କ ଏ ଦୁର୍ଦଶା, ତାହା ନୁହେଁ; ଘର ନଥିବା ଶହଶହ ପରିବାର ଭାଗ୍ୟ ଆଶ୍ରାରେ ଏପରି ଭାବେ ପଡ଼ିରହିଛନ୍ତି।

୨୭ ଅଗଷ୍ଟ ୨୦୨୦ରେ ବୈତରଣୀରେ ବନ୍ୟା ଆସିବାରୁ ଦତ୍ତପୁରଠାରେ ବିରାଟ ଘାଇ ସୃଷ୍ଟି ହୋଇଥିଲା। ଶତାଧିକ ପରିବାର ବେଘର ହୋଇଯାଇଥିଲେ। ବନ୍ୟାରେ ବହୁ ଲୋକଙ୍କ ଘର ଭାସିଯାଇଥିଲା। ଘରର ଚିହ୍ନ ହଜିଯାଇଥିଲା। ଏମାନଙ୍କ ମଧ୍ୟରୁ ଏବେ ବି ୧୦ରୁ ଅଧିକ ପରିବାର ପାଲତଳେ ପଡ଼ି ରହିଛନ୍ତି। ଏହାରି ଭିତରେ ବାତ୍ୟା ‘ୟାସ’ ଆସୁୁଛି, ଆଉ ସେମାନଙ୍କ ଉପରେ ଦୁଃଖର ପାହାଡ଼ ଅଜାଡ଼ି ଦେଇଛି। ଦତ୍ତପୁର ଗ୍ରାମର ଅନ୍ତର୍ଯ୍ୟାମୀ ନାୟକଙ୍କ କଚ୍ଚାଘର ଘାଇ ମୁହଁରେ ଭାଙ୍ଗି ଯାଇଥିଲା। ଘର ଭିତରେ ୪ ଫୁଟର ବାଲି ପଶିଯାଇଥିଲା। ବନ୍ୟା ଦିନରୁ ସେଠାରେ ରହିପାରୁନାହାନ୍ତି। ତାଙ୍କୁ ୨୦୧୭-୧୮ରେ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଅସମ୍ପୂର୍ଣ୍ଣ ଥିବାରୁ ଉପରେ ପାଲ ଟାଣି ରହୁଛନ୍ତି। ଘରକାମର ୮ ମାସ ପରେ ବି ବିଲ୍‌ ମିଳିପାରୁନାହିଁ। ପୁରୁଣା କଚ୍ଚାଘର ଭିତରେ ଓ ଦାଣ୍ଡରେ ୪ ଫୁଟର ବାଲି ଚରି ଯାଇଛି। ଘରେ ରହିଛି ସମସ୍ତ ଆସବାବପତ୍ର। ଘର ଭଙ୍ଗା ଟଙ୍କା କିମ୍ବା ବାଲି ଉଠାଇବାକୁ ଏଯାବତ ପଦକ୍ଷେପ ନିଆଯାଇନି। ସେହିପରି ଅର୍ଜୁନ ସେଠୀଙ୍କ ପତ୍ନୀ ଦ୍ରୌପଦୀ ସେଠୀଙ୍କ ଦୁଃଖ ନକହିଲେ ଭଲ। ବନ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା ମାଟି ଘର। ବନ୍ୟା ଛାଡିବା ପରେ ନିକଟରେ ପାଲ ଟାଣି ରହୁଛନ୍ତି ତାଙ୍କ ପରିବାର। ଘର ଓ ଦାଣ୍ଡରେ ଚରିଯାଇଛି ବାଲି। ଏମାନଙ୍କ ଭଳି ଏହି ଗ୍ରାମର ରମେଶ ମଲ୍ଲିକ, ସାଧୁ ଚରଣ ମଲ୍ଲିକ, ନୁଖୁରୀ ମଲ୍ଲିକ, ପାର୍ବତୀ ମଲ୍ଲିକ, ମିନତି ମଲ୍ଲିକ ପ୍ରମୁଖ ପଲିଥିନ୍‌ ତଳେ ରହୁଛନ୍ତି।

ସମ୍ବନ୍ଧିତ ଖବର