ବଲାଙ୍ଗୀର: ଏମିତି ପ୍ରେମ କେହି ଦେଖିନଥିବେ କି ଜାଣିନଥିବେ। ଦୁଇ ଦୁଇଟି ପୁଅର ମା’ ନିଜଠୁ ୧୦ ବର୍ଷ କମ ବୟସର ଯୁବକଙ୍କ ସହ ଫେରାର ମାରି ପୁଲିସ ହାବୁଡ଼ରେ ପଡ଼ିଛନ୍ତି। ଆଉ ସ୍ୱାମୀ ଓ ସନ୍ତାନ ସବୁ ଜାଣିବା ପରେ ପର କରିଦେବାରୁ ଥାନାରେ ଯୁବ ପ୍ରେମିକଙ୍କୁ ବାହା ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଂଚଳର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାଟି ଥିଲା ଠିକ ଏମିତି। ଗତ ପାଞ୍ଚ ବର୍ଷ ତଳେ ଖପ୍ରାଖୋଲ ଥାନା ଅନକାମରା ଗାଁର ଭଜମନ ବାରଲେବିଡ଼ିଆଙ୍କୁ ସବିତା ବାରଲେବିଡ଼ିଆ ବାହା ହୋଇଥିଲେ। ବିବାହ ପରେ ସେମାନଙ୍କ ଦୁଇଟି ପୁଅ ହୋଇଥିଲା।

Advertisment

ଗୋଟିଏ ପୁଅ ଚାରିବର୍ଷର ହୋଇଥିବା ବେଳେ ଆଉ ଜଣେ ଦେଢ଼ବର୍ଷର। ଖୁସିରେ ଚାଲିଥିଲା ଭଜମନ ଓ ସବିତାଙ୍କ ସୁଖର ସଂସାର। ୩୩ ବର୍ଷ ବୟସରେ ସବିତା ନିଜ ପଡ଼ୋଶୀ ୨୨ ବର୍ଷର ଯୁବକ ମୁକେଶ ବେହେରାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ। ଧୀରେ ଧୀରେ ଲୁଚାଛପା ବଢ଼ିଚାଲିଥିଲା ସଂପର୍କ। ଗତ ଗୋଟିଏ ମାସ ତଳେ ଦୁଇଛୁଆ ଏବଂ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ମୁକେଶ ସହିତ ଫେରାର ମାରିଥିଲେ। ସବିତାଙ୍କ ସ୍ୱାମୀ ଭଜମନ ସ୍ତ୍ରୀ କୁଆଡ଼େ ଚାଲିଯାଇଥିବାରୁ ଖପ୍ରାଖୋଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ବାହାର ଜିଲ୍ଲାରୁ ଦୁଇଜଣଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ପର ପୁରଷ ସହିତ ଫେରାର ମାରିଥିବା ସବିତାଙ୍କୁ ଘରକୁ ନେବା ପାଇଁ ସ୍ୱାମୀ ରୋକଠୋକ ମନା କରିଦେଇଥିଲେ।

ଶେଷରେ ପୁଲିସ ସବିତାଙ୍କୁ ତାଙ୍କ ବାପା ଘରକୁ ନେବା ପାଇଁ ବ୍ୟବସ୍ଥା କଲା। କିନ୍ତୁ ଏପରି କାମ କରିଥିବା ସବିତାଙ୍କୁ ଘରେ ରଖିବା ପାଇଁ ବାପ ଘର ଲୋକ ବି ମନା କରିଦେଇଥିଲେ। ଫଳରେ ପୁଲିସ ଗୋଟିଏ ମାସ ହେବ ସବିତାଙ୍କୁ ବଲାଙ୍ଗୀର ସ୍ୱଧାର ଗୃହରେ ରଖିଥିଲା। ସବିତା ମାନସିକ ଚିନ୍ତାରେ ରହୁଥିବା ଜାଣିବା ପରେ ପୁଲିସ ସମାଧାନର ବାଟ ଖୋଜିଥିଲା। ଶେଷରେ ପୁଲିସ ସ୍ୱାମୀ ଭଜମନଙ୍କ ଉପସ୍ଥିତିରେ ଖପ୍ରାଖୋଲ ଥାନାରେ ସବିତା ଏବଂ ତାଙ୍କ ପ୍ରେମିକ ମୁକେଶଙ୍କୁ ବାହା କରେଇଥିଲା। ଦୁଇ ପୁଅ ବାପା ପାଖରେ ରହୁଛନ୍ତି। ଯୁବକଙ୍କ ପ୍ରେମରେ ଅନ୍ଧ ହୋଇ ସବିତା କରିଥିବା ଏହି ବିବାହକୁ ବିଭିନ୍ନ ମହଲରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି।