ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜୀବନରେଖା କୁହାଯାଉଥିବା ଋଷିକୁଲ୍ୟା ନଦୀ ତା’ର ସତ୍ତା ହରାଇବା ଭଳି ସ୍ଥିତି ଧୀରେ ଧୀରେ ଗମ୍ଭୀର ହେଲାଣି। ବର୍ଷାଭାବ ଓ ଅଧିକାଂଶ ସମୟ ନଦୀଶଯ୍ୟା ଶୁଖିଲା ରହୁଛି। ନଦୀରେ ଅନାବନା ଘାସ ଓ ଲଟାବୁଦା ଭରି ଗଲାଣି। ସ୍ରୋତ ପ୍ରଖର ନଥିବାରୁ ବାଲି ଜମା ହୋଇ ମୁହାଣ ମଧ୍ୟ ଧୀରେ ଧୀରେ ପୋତି ହେବାକୁ ଲାଗିଛି। ଏଥିପାଇଁ ମୁହାଣ ଦେଇ ଡଙ୍ଗା ନେବାଆଣିବାରେ ଅସୁବିଧା କାରଣରୁ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ବିପନ୍ନ ହୋଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ସମସ୍ୟା ହେଉଥିବା ପରିବେଶବିତ୍‌ ସତର୍କ କରିଛନ୍ତି।

Advertisment

ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମି ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଗଞ୍ଜାମ ଉପକୂଳ ପ୍ରାୟାଗୀରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୪ କିମି ବେଳାଭୂମି ରହିଥିବା ବେଳେ ଅଲିଭ୍‌ରିଡ୍‌ଲେ କଇଁଛ ଋଷିକୁଲ୍ୟା ମୁହାଣ ଉପକୂଳରେ ଅଣ୍ଡାଦାନ କରିଥାନ୍ତି। ପ୍ରତିବ‌ର୍ଷ ଋଷିକୁଲ୍ୟାରେ ବନ୍ୟା ପାଣି ଆସି ମୁହାଣ ଖୋଲିଥାଏ। ଏହା ସହିତ ନୂତନ ବେଳାଭୂମି (ଡାଇନାମିକ୍‌ ବିଚ୍‌) ସୃଷ୍ଟି ହୋଇଥାଏ। କିନ୍ତୁ ଚଳିତ ବର୍ଷ ନଦୀରେ ସେଭଳି ପାଣି ଆସି ନାହିଁ। ଫଳରେ ମୁହାଣ ପୋତି ହୋଇ ଢିପ ହୋଇଗଲାଣି। ଏଣୁ ସମୁଦ୍ର ଓ ନଦୀପାଣି ଯିବା ଆସିବା ହୋଇପାରୁ ନାହିଁ। ଏହି ସମସ୍ୟା ନେଇ ଗତ କିଛିଦିନ ତଳେ ବହୁ ମତ୍ସ୍ୟଜୀବୀ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ମୁହାଣ ଖୋଲିବାକୁ ଦାବି କରିଥିଲେ। ମୁହାଣ ଉପରେ ଗଞ୍ଜାମ ଓ ଛତ୍ରପୁର ବ୍ଲକ୍‌ର ପ୍ରାୟ ୧୧ଖଣ୍ଡ ଗ୍ରାମବାସୀ ନିର୍ଭର କରନ୍ତି। ମୁହାଣ ପୋତି ହେବାରୁ ବହୁ ମତ୍ସ୍ୟଜୀବୀ ଏବେ ମାଛଧରା ବନ୍ଦ କରି ଦାଦନ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଆଗକୁ ଦୁଇଟି ଲଘୁଚାପ ବର୍ଷା ରହିଛି। ଅଧିକ ବର୍ଷା ହୋଇ ଋଷିକୁଲ୍ୟା ନଦୀରେ ଭଲ ପାଣି ଆସିଲେ ମୁହାଣ ଖୋଲିବ ବୋଲି ଆଶା କରାଯାଉଛି।

ପୂର୍ବରୁ ଋଷିକୁଲ୍ୟା ମୁହାଣ ପୋତାଗଡ଼ ନିକଟରେ ସମୁଦ୍ରରେ ମିଶିଥିଲା। ପ୍ରାୟ ୫/୭ବର୍ଷ ତଳେ ମୁହାଣ ଘୁଞ୍ଚି ଗୋଖରକୁଦା ନିକଟରେ ସମୁଦ୍ରକୁ ଛୁଇଁଥିଲା। ଏବେ ପୁଣିଥରେ ମୁହାଣର ଦିଗ ପରିବର୍ତ୍ତନ ହୋଇ ତାହା ପୋଡ଼ାମପେଟା ନିକଟରେ ଦୁଇଭାଗ ହୋଇ ସମୁଦ୍ରରେ ମିଶିଛି ବୋଲି ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି। ଋଷିକୁଲ୍ୟାରେ ଜଳସ୍ରୋତ କମୁଥିବାରୁ ବାରମ୍ବାର ମୁହାଣର ଦିଗ ପରିବର୍ତ୍ତନ ହେଉଥିବା ସେ କହିଛନ୍ତି। ଏହାଦ୍ବାରା ବିଭିନ୍ନ ସ୍ଥାନରେ ବେଳାଭୂମି ମଧ୍ୟ ଖାଇ ଯାଉଛି।