ଭୁବନେଶ୍ବର : ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କର ୬ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରି ସହ ଯୋଗ ଓ ୬ଟି ନୋସନାଲ୍ ଇନକ୍ରିମେଣ୍ଟ୍ ପ୍ରଦାନ, ୨୦୧୬ରୁ ୨୦୨୨ ମଧ୍ୟରେ ନିଯୁକ୍ତ ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ ଦାବିରେ ନୂତନ ପେନସନ୍ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଆଜି ସ୍ଥଗିତ ରଖାଯାଇଛି। ୧୭ ଦିନ ଧରି ଶିକ୍ଷକମାନେ ଧାରଣା ଦେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବତୀ ଏସ୍‌. ଆଜି ଆନ୍ଦୋଳନରତ ଶିକ୍ଷକଙ୍କ ଏକ ପ୍ରତିନିଧି ଦଳ ସହିତ ଆଲୋଚନା କରି ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେବା ପରେ ସଂଘ ଏଭଳି ନିଷ୍ପତ୍ତି ନେଇଛି।

Advertisment

ବୈଠକ ଅବସରରେ ବିଭାଗୀୟ ସଚିବ କହିଥିଲେ ଯେ ସମସ୍ତ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକଙ୍କ ବରିଷ୍ଠତା ବଳବତ୍ତର ରହିବ। ନୋସନାଲ ଇନକ୍ରିମେଣ୍ଟ ପାଇଁ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଛି। ସାଧାରଣ ପ୍ରଶାସନ, ଅର୍ଥ ଓ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ଏକ ସବ୍‌କମିଟି ଗଠିତ ହୋଇଛି। ଇତିମଧ୍ୟରେ ଏ ସଂକ୍ରାନ୍ତରେ ୩ଥର ଆଲୋଚନା ସରିଛି। ସେମାନେ ତାଙ୍କର ନିଷ୍ପତ୍ତି ଉଚ୍ଚସ୍ତରୀୟ କମିଟିକୁ ଜଣାଇବା ପରେ ନୀତି ନିର୍ଦ୍ଧାରଣ ହୋଇ ଏକାଥରେ ବିଜ୍ଞପ୍ତି ପ୍ରକାଶ କରାଯିବ। ଏଥିସହ ୨୦୧୬ରୁ ୨୦୨୨ ବ୍ୟାଚ୍‌ର ଶିକ୍ଷକଙ୍କୁ ମଧ୍ୟ ଖୁବ୍‌ଶିଘ୍ର ନିୟମିତ କରିବା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ତେଣୁ ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେଇ ସରକାରଙ୍କୁ ସାହାଯ୍ୟ ସହଯୋଗ କରିବାକୁ ସଚିବ ଅନୁରୋଧ କରିଥିଲେ। ଆଜିର ଆଲୋଚନାରେ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ସମ୍ପାଦକ ଅମରେନ୍ଦ୍ର ସ୍ବାଇଁ, ମହାସଚିବ ବିଶ୍ବଜିତ୍ ବିଶ୍ବାଳ ଓ ଆବାହକ ନିରୋଦ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ ଦୁଇ ଦଫା ଦାବିରେ ଗତ ୧୨ ତାରିଖରେ ସଂଘର ସଦସ୍ୟମାନେ ନବୀନ ନିବାସ ଘେରାଉ କରିଥିଲେ। ୧୭ ଦିନର ଆନ୍ଦୋଳନ ସମୟରେ ସରକାର ବହୁ ଥର ଆଲୋଚନାକୁ ଡାକି ଦାବି ପୂରଣ କରିବେ ବୋଲି ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି ଦେଉଥିଲେ। ମାତ୍ର ଲିଖିତ ପ୍ରତିଶ୍ରୁତି ମିଳୁ ନ ଥିବାରୁ ସଂଘ ଆନ୍ଦୋଳନ ଜାରି ରଖିଥିଲା।