ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ସ୍ଥଗିତ: କାହାରିକୁ ମିଳିଲାନି ଅନୁମତି, ଆସିବେ ସାଂସଦ ଅପରାଜିତା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ମନ୍ଦିର ଚତୁଃପାର୍ଶ୍ବରେ ଯେଉଁଭଳି ଖନନ ଓ ନିର୍ମାଣ ଚାଲିଛି, ତାହା ବେଆଇନ୍‌ ଅଭିଯୋଗ କରି ବିଭିନ୍ନ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହା ବିରୋଧରେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ନାମରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରୁ ଏହି ସଂଗଠନ ପଦଯାତ୍ରାରେ ସିଂହଦ୍ବାର ପର୍ଯ୍ୟନ୍ତ ଯିବ ବୋଲି କହିଛି। ବହୁ ଭକ୍ତ, ସଂଗଠକ, ଶ୍ରୀଜଗନ୍ନାଥପ୍ରେମୀ, ରାଜନେତା ଏ ନେଇ ଏକାଠି ହୋଇଥିବା ବେଳେ ଏହା ବିରୋଧରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷା ମଞ୍ଚ ନାଁରେ ଆଉ ଏକ ସଂଗଠନ ମୁଣ୍ଡ ଟେକିଛି। ଏହି ପଦଯାତ୍ରା ବିରୋଧରେ ମାର୍କେଟ୍‌ ଛକରେ ଗଣଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଦୁଇ ସଂଗଠନକୁ ଆନ୍ଦୋଳନ ପାଇଁ ଅନୁମତି ପ୍ରଦାନ କରିନାହିଁ। ତେଣୁ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନର ଆବାହକ ବିନୟ ନୃସିଂହ ମହାପାତ୍ର ଆସନ୍ତାକାଲିର ପଦଯାତ୍ରା ସ୍ଥଗିତ ରଖାଗଲା ବୋଲି ଆଜି ସଂଧ୍ୟାରେ ଘୋଷଣା କରିଛନ୍ତି।

ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ମହାପାତ୍ର କହିଛନ୍ତି, ପ୍ରଶାସନକୁ ପଦଯାତ୍ରା ପାଇଁ ଅନୁମତି ମଗାଯାଇଥିଲେ ବି ଅନୁମତି ମିଳିନି। ଏଣୁ ଏହି ପଦଯାତ୍ରାକୁ ଆମେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ। ପରବର୍ତ୍ତୀ ସମୟରେ ଏ ଉପରେ ବସି ଆଲୋଚନା ପରେ ଯାଇ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଅତୀତରେ ଯେଉଁ ଦଙ୍ଗା ହୋଇଥିଲା, ସେହି ଆଶଙ୍କା କରି ପ୍ରଶାସନ ଆମକୁ ଅନୁମତି ଦେଇନି। ଏପରିକି ଅନୁମତି ନ ପାଇ ଯଦି କୌଣସି ପଦଯାତ୍ରା ଅବା ଆନ୍ଦୋଳନ ହୁଏ, ତେବେ ଦଙ୍ଗା ସହ ଅନ୍ୟାନ୍ୟ ମାମଲାରେ ଗିରଫ କରିବାକୁ କୁହାଯାଇଛି। ଏଣୁ ଆମେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଲୁ। କିନ୍ତୁ ମହାପ୍ରଭୁଙ୍କ ଦର୍ଶନ କରିବା ସମସ୍ତଙ୍କର ଅଧିକାର ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ନେତୃତ୍ବରେ ପଦଯାତ୍ରା ହେବ ବୋଲି ଏହାର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି। ଶ୍ରୀ ସାହୁ କହିଛନ୍ତି, ଆମେ ପ୍ରଶାସନକୁ ଆଗରୁ ଅନୁମତି ମାଗିଥିଲୁ। ସେ ପୁଣି ୭ ଦିନ ତଳୁ। ଆମେ କୌଣସି ବିଶୃଙ୍ଖଳା କରିବାକୁ ଏହି ପଦଯାତ୍ରାର ଆୟୋଜନ କରିନୁ। ଆମେ ଶାନ୍ତିପୂର୍ଣ୍ଣ ଭାବେ ପଦଯାତ୍ରା କରିବୁ। ଅଧିକ ସଂଖ୍ୟା ନ ହେଲେ ବି ହାତଗଣତି ଭକ୍ତଙ୍କ ଭିତରେ ଏହି ପଦଯାତ୍ରା ହେବ ବୋଲି ଶ୍ରୀ ସାହୁ କହିଛନ୍ତି। କେହି ନ ଆସିଲେ ନିଜେ ଏକୁଟିଆ ପଦଯାତ୍ରା କରିବେ ଓ ଆବଶ୍ୟକ ପଡ଼ିଲେ ସିଂହଦ୍ବାରରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ଏହି ଆନ୍ଦୋଳନର ସାମିଲ୍‌ ହେବାକୁ ଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ଆସନ୍ତାକାଲି ପୁରୀ ଆସିବେ ବୋଲି ଘୋଷଣା କରିସାରିଛନ୍ତି। ଏ ସମ୍ପର୍କରେ ସେ ନିଜ ଫେସବୁ୍କ୍‌ ଓ ଅନ୍ୟ ସୋସିଆଲ୍‌ ସାଇଟ୍‌ରେ ‌ବିଭିନ୍ନ ପୋଷ୍ଟ କରି ସମସ୍ତଙ୍କୁ ଅବଗତ କରିଛନ୍ତି। ସେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ ବୋଲି ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। ଏଭଳି ବାଦବିବାଦ ଭିତରେ ଏହା ଉପରେ ପୁଲିସ ପହରା ଆଜିଠାରୁ କଡ଼ାକଡ଼ି ହୋଇଯାଇଛି। ସହରସାରା ଛାନ୍‌ଭିନ୍‌ ଆରମ୍ଭ ହୋଇଯାଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ବୁଧବାର ପୁରୀ ସହରରେ ୧୮ ପ୍ଲାଟୁନ୍‌ ଫୋର୍ସ ଓ ୫୦ରୁ ଅଧିକ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର