ଭୁବନେଶ୍ବର: କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ଗ୍ୟାରେଣ୍ଟି, ଭାଗଚାଷୀମାନଙ୍କୁ ଆଇନଗତ ଭାବରେ ଚାଷୀର ମାନ୍ୟତା, ଚାଷୀଙ୍କ ଋଣ ଛାଡ଼, ମନରେଗା ଯୋଜନାରେ ଦୈନିକ ମଜୁରି ୬୦୦ ଟଙ୍କାକୁ ବୃଦ୍ଧି, ସର୍ବନିମ୍ନ ମଜୁରି ୨୬ ହଜାର ବୃଦ୍ଧି, ଦର ବୃଦ୍ଧି ନିୟନ୍ତ୍ରଣ ସମେତ ୨୧ ଦଫା ଦାବି ନେଇ ୩ ଦିନ ଧରି ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚ ତଥା ସ୍ବାଧୀନ ଫେଡରେସନ ପକ୍ଷରୁ ୩ ଦିନ ଧରି ଆୟୋଜିତ ଗଣଧାରଣା ଆଜି ସମାପନ ହୋଇଛି। ୭ଜଣିଆ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଥିବା ଦାବିପତ୍ରକୁ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ଉଭୟ କୃଷକ ଏବଂ ଶ୍ରମିକ ସଂଗଠନମାନେ କେନ୍ଦ୍ର, ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ଆନ୍ଦୋଳନ ପାଇଁ ଘୋଷଣା କରିଥିଲେ। କୃଷକ-ଶ୍ରମିକଙ୍କ ମିଳିତ ଆନ୍ଦୋଳନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ମିଳିତ ମଞ୍ଚ ପକ୍ଷରୁ ଘୋଷଣା କରାଯାଇଥିଲା।

Advertisment

ଏହି ଅବସରରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା କାରଖାନା ବିକ୍ରି ବନ୍ଦ କରିବା, ଚାଷୀଙ୍କୁ ପେନସନ ପ୍ରଦାନ, ଜାତୀୟ ଶିକ୍ଷା ନୀତି-୨୦୨୦, ଜଙ୍ଗଲ ସଂରକ୍ଷଣ ସଂଶୋଧନ ଆଇନ-୨୦୨୩ ବିରୋଧରେ ଉପସ୍ଥିତ ବକ୍ତାମାନେ ନିଜ ମତ ଦେଇଥିଲେ। ସମାବେଶକୁ ସୁରେଶ ପାଣିଗ୍ରାହୀ, ନରେନ୍ଦ୍ର ମହାନ୍ତି, ସନ୍ତୋଷ ରଥ, ପୁଷ୍ପା ଦାସ, ପ୍ରମିଳା ସଂଯୋଜନା କରିଥିଲେ। ଅଶୋକ ଦାସ, ଜନାର୍ଦ୍ଦନ ପତି, ଭୁବନାନନ୍ଦ ମହାପାତ୍ର, ଅଶୋକ ପ୍ରଧାନ, ହର ବଣିଆ, ରମେଶ ମହାପାତ୍ର, ବ୍ୟୋମକେଶ ଠାକୁର, ଦିଲ୍ଲୀପ ବଢ଼େଇ ପ୍ରମୁଖ ବକ୍ତବ୍ୟ ଦେଇଥିଲେ। ଆଗାମୀ ଦିନରେ ଏହି ଦାବିଗୁଡ଼ିକ ନେଇ ଲଗାତାର ଆନ୍ଦୋଳନର ଚେତାବନୀ ଦିଆଯାଇଛି।