କୁଚିଣ୍ଡା: କୁଚିଣ୍ଡା ସହର ଉପକଣ୍ଠ ଖର୍ଲା ନଦୀ ଉପରେ ବ୍ରିଟିଶ ଅମଳର ୧୦୦ ବର୍ଷ ପୁରୁଣା ସେତୁ ଗତ ୯.୯.୨୦୨୧ରେ ଏକ ଟ୍ରକ ଦୁର୍ଘଟଣାରେ ଭାଙ୍ଗିଯାଇଥିଲା। ଉକ୍ତ ସେତୁ ଭାଙ୍ଗିବା କୁଚିଣ୍ଡା ଜନଜୀବନ ଉପରେ ପ୍ରଭାବ ପକାଇଛି। ସହରର ପ୍ରାୟ ଅଧାରୁ ଅଧିକ ଲୋକ ଏହା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବା ସହିତ ନିଜର ଜୀବିକା ଚଳାଉଥିବା ଲୋକେ ବିଛିନ୍ନାଞ୍ଚଳ ଭାବରେ ପଡ଼ି ରହିଛନ୍ତି। ଅଧା ସହରର ବ୍ୟବସାୟ ବନ୍ଦ ହୋଇଯାଇଛି। ଏହି ସେତୁ ନିର୍ମାଣ ନେଇ ସହରରେ ଉତ୍କଣ୍ଠା ଲାଗି ରହିଛି। ଗତ ନଭେମ୍ବର ମାସରେ ଏହାର ଟେଣ୍ଡର ହୋଇଥିଲ।

Advertisment

ମାତ୍ର ଲୋକଙ୍କ ଦୁର୍ଭାଗ୍ୟ ମାତ୍ର ଦୁଇ ଜଣ ଠିକାଦାର ଟେଣ୍ଡର ପକାଇଥିଲେ। ଯାଞ୍ଚ ବେଳେ ଜଣେ ଠିକାଦାରଙ୍କ କାଗଜପତ୍ର ଠିକ ନଥିବାରୁ ସେ ବାଦ ପଡିଥିଲେ। ଫଳରେ ଟେଣ୍ଡର ପକ୍ରିୟାରେ ଜଣେ ମାତ୍ର ଠିକାଦାର ରହିବା ଦ୍ବାରା ପୂରା ଟେଣ୍ଡରକୁ ହିଁ ବାତିଲ କରି ଦ୍ବିତୀୟ ଥର ଟେଣ୍ଡର କରାଯାଇଥିଲା। ଟେଣ୍ଡର ପକାଇବାର ଶେଷ ଦିବସ ଗତ ୭ ତାରିଖ ରହିବା ବେଳେ ୧୦ ତାରିଖ ଦିନ ଟେଣ୍ଡର ଖୋଲାଯାଇଛି। ଏଥିରେ ସମ୍ବଲପୁର ସହରର ଜଣେ ଠିକାଦାର ଟେଣ୍ଡର ପାଇଥିବା ଜଣାପଡ଼ିଛି। ଟେଣ୍ଡର ପକ୍ରିୟାର ଟେକ୍‌ନିକାଲ ଯାଞ୍ଚ ପରେ ଏଗ୍ରିମେଣ୍ଟ ହେବ। ଆଗାମୀ ଦେଢ଼ ମାସ ମଧ୍ୟରେ ଏହାର ସମସ୍ତ ପକ୍ରିୟା ସମାପ୍ତ ହୋଇ ଚଳିତ ବର୍ଷ କାମ ଆରମ୍ଭ ହେବା ସମ୍ଭାବନା ରହିଥିବା ଜଣେ ବିଭାଗୀୟ ଅଧିକାରୀଙ୍କଠାରୁ ପ୍ରକାଶ।