ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ଡାକ୍ତରଖାନାରେ କାର୍ଯ୍ୟରତ ଏଡିଏମ୍ଓ ତଥା ଶିଶୁ ରୋଗ ବିଶେଷଜ୍ଞ ଡା. ଦୁର୍ବାଦଳ ମିଶ୍ରଙ୍କ ହତ୍ୟାକାଣ୍ଡ ରାୟ ୧୧ ବର୍ଷ ପରେ ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଶନିବାର ସୁବର୍ଣ୍ଣପୁର ଏଡିଜେ ଦିଲୀପ ବିଶ୍ବାଳ ସୋନପୁର ଥାନା ବାବୁପାଲି ଗାଁର ଅଶୋକ ସାହୁ ଏବଂ ସୋନପୁର ବଡ଼ବଜାରର ବାବୁଲୁ ଓରଫ୍ ପ୍ରତ୍ୟୁଷ ପଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦଫା ୩୦୨ରେ ଆଜୀବନ କାରାଦଣ୍ଡ, ୨୦ ହଜାର ଟଙ୍କା ଜରିମାନା ତଥା ଜରିମାନା ଅନାଦାୟ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ, ଦଫା ୨୦୧ରେ ୨ ବର୍ଷ ୬ ମାସ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ତଥା ଜରିମାନା ଅନାଦାୟ ୬ ମାସ ଅତିରିକ୍ତ ସଶ୍ରମ କାରାଦଣ୍ଡ, ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଦଫା ୨୭ରେ ୩ ବର୍ଷ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଜରିମାନା ତଥା ଜରିମାନା ଅନାଦାୟ ୬ ମାସ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଦର୍ଶାଇଛନ୍ତି।
ସୂଚନା ଅନୁସାରେ, ଗତ ୨୦୧୪ ସେପ୍ଟେମ୍ବର ୨୧ ତାରିଖ ରାତି ପ୍ରାୟ ୯.୪୫ ମିନିଟ୍ରୁ ୧୦ଟା ମଧ୍ୟରେ ଡା. ମିଶ୍ର ଡାକ୍ତରଖାନାରୁ ଫେରି ଘର ସମ୍ମୁଖରେ ପହଞ୍ଚିଥିଲେ। ତେବେ ଘର ଭିତରକୁ ଆସିବାରେ ବିଳମ୍ବ ହେବାରୁ ଡା. ମିଶ୍ରଙ୍କ ବାପା ଅମ୍ବରୀଶ ମିଶ୍ର ବାହାରକୁ ଯାଇ ବାଇକ୍ ଷ୍ଟାଣ୍ଡ ମରାଯାଇଥିବା ଓ ଘର ସାମନାରୁ ନଦୀ ପଟକୁ ଯାଇଥିବା ରାସ୍ତାରେ ପୁଅ ଦୁର୍ବାଦଳଙ୍କୁ ଅତି ନୃଶଂସ ଭାବରେ ଗଳାକାଟି ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ। ଏପରିକି ଘଟଣାସ୍ଥଳରେ କିଛି ଗୁଳି ପଡ଼ିଥିବା ଦେଖିଥିଲେ। ଏ ସମ୍ପର୍କରେ ଡା. ମିଶ୍ରଙ୍କ ବାପା ସେହିଦିନ ସୋନପୁର ଥାନାରେ ଏତଲା ଦେଇଥିଲେ। ଏହି ଘଟଣା ସେହି ସମୟରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ପୁଲିସ ସୋନପୁର ଥାନା ବାବୁପାଲି ଗାଁର ଅଶୋକ ସାହୁ, ସୋନପୁର ବଡ଼ବଜାରର ବାବୁଲୁ ଓରଫ୍ ପ୍ରତ୍ୟୁଷ ପଣ୍ଡା ଏବଂ ଜଣେ ନାବାଳକକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର, ଗୁଳି ଆଦି ଜବତ କରିଥିଲା। ଅଶୋକ ଏବଂ ବାବୁଲୁଙ୍କ ନାମରେ ମାମଲା ଏଡିଜେ କୋର୍ଟରେ ଚାଲିଥିଲା। ନାବାଳକର ମାମଲା ବର୍ତ୍ତମାନ ବି କିଶୋର ନ୍ୟାୟ ବୋର୍ଡରେ ବିଚାରାଧୀନ ରହିଛି। ଏଡିଜେ କୋର୍ଟରେ ଅଶୋକ ଏବଂ ବାବୁଲୁଙ୍କ ନାମରେ ଚାଲିଥିବା ମାମଲାରେ ସରକାରଙ୍କ ପକ୍ଷରୁ ୨୬ ଜଣ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସୁବର୍ଣ୍ଣପୁର ଏଡିଜେ ଶ୍ରୀ ବିଶ୍ବାଳ ଅଭିଯୁକ୍ତ ଅଶୋକ ଓ ବାବୁଲୁକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବରେ ନିଯୁକ୍ତ କ୍ୟାଡର୍ ପିପି କହ୍ନେଇଲାଲ ପ୍ରଧାନ ମାମଲା ପରିଚାଳନା କରିଥିଲେ। ଇତିମଧ୍ୟରେ କ୍ୟାଡର୍ ପିପି ଶ୍ରୀ ପ୍ରଧାନ ଉପନିର୍ଦ୍ଦେଶକ ଅଭିଯୋଜକ ଭାବରେ ପଦୋନ୍ନତି ପାଇଛନ୍ତି।