ଯାଜପୁର: ଯାଜପୁର ଓ କଟକ ଜିଲ୍ଲାରେ ବେଶ୍ କିଛିଦିନ ହେବ ଚର୍ଚ୍ଚାରେ ଥିବା ହନିଟ୍ରାପ୍ ରୢାକେଟ୍ର ପର୍ଦ୍ଦାଫାସ ହୋଇଛି। ଏହି ରୢାକେଟ୍ରେ ମୁଖ୍ୟ କାର୍ପଟଦାର ସାଜିଥିବା ୩ ଅଭିଯୁକ୍ତଙ୍କୁ ଆଜି କଟକ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନିଶ୍ଚିନ୍ତକୋଇଲି ଥାନା ପଞ୍ଚସାରଙ୍ଗ ଅଞ୍ଚଳର ଶୁଭାଶିଷ ବସନ୍ତରାୟ(୩୪), ମହାଜନପୁରର ହିମାଂଶୁ କୁମାର ଲେଙ୍କା(୩୨) ଓ ମାହାଙ୍ଗା ଥାନା ଶୁକ୍ଳେଶ୍ବର ଅଞ୍ଚଳର ଜଣେ ମହିଳା। ଏମାନେ ସ୍ଥାନୀୟ ଅଞ୍ଚଳର ଔଷଧ ଦୋକାନୀ, ଶିକ୍ଷକ, ବ୍ୟବସାୟୀ, ଡାକ୍ତରମାନଙ୍କୁ ହନିଟ୍ରାପ୍ରେ ଫସାଉଥିଲେ। କେବଳ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରୁ ୧୦ ଜଣରୁ ଅଧିକ ଲୋକଙ୍କୁ ଫସାଇଥିବା ଅଭିଯୋଗ ରହିଛି। ପ୍ରଥମେ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ, ପରେ ଫଟୋ, ଭିଡିଓ ରେକର୍ଡିଂ ଏବଂ ତା’ ପରେ ରଫାଦଫା ଲାଗି ମୂଲଚାଲ କରୁଥିଲେ।
ପୀଡ଼ିତ ବ୍ୟକ୍ତି ନିଜ ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ଭୟରେ ସାମନାକୁ ଆସିନଥିଲେ ବି ନିକଟସ୍ଥ ଥାନାରେ ନିଜର ନାମ ଗୋପନ ରଖି ଅଭିଯୋଗ କରିଆସୁଥିଲେ। ମାତ୍ର ସ୍ଥାନୀୟ ପୁଲିସ ଏଭଳି ଅଭିଯୋଗଗୁଡ଼ିକୁ ଗୁରୁତ୍ବ ଦେଉନଥିଲେ। ଗତ ଜୁନ୍ ୨୪ ତାରିଖରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନାରେ ଜଣେ ମହିଳା ନିଶ୍ଚିନ୍ତକୋଇଲି କଟିକଟା ଅଞ୍ଚଳର ଏକ ଔଷଧ ଦୋକାନକୁ ଆସୁଥିବା ଜଣେ ଡାକ୍ତରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଥିଲେ। ବଡ଼ଚଣା ଥାନାର ତତ୍କାଳୀନ ଥାନା ଅଧିକାରୀ ମଧୁସ୍ମିତା ବେହେରା ଉକ୍ତ ଔଷଧ ଦୋକାନୀ ପ୍ରଫୁଲ୍ଲ ସାହୁଙ୍କୁ ଉଠାଇ ଆଣିଥିଲେ। ଡାକ୍ତରଙ୍କୁ ନପାଇ ଉକ୍ତ ଔଷଧ ଦୋକାନୀଙ୍କୁ ୩ଦିନ କାଳ ଥାନାରେ ଅଟକ ରଖିଥିଲେ। ପରେ ୨ ସାମ୍ବାଦିକଙ୍କ ମଧ୍ୟସ୍ଥତାରେ ବଡ଼ଚଣା ଥାନା ପରିସରରେ ପ୍ରଫୁଲ୍ଲଙ୍କ ପୁଅ ପ୍ରଦୀପ୍ତ ୨.୫ ଲକ୍ଷ ଟଙ୍କାର ଲାଞ୍ଚ ଦେଇଥିବା ନେଇ ନିଶ୍ଚିନ୍ତକୋଇଲି ଥାନା, ଯାଜପୁର ଏସ୍ପିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ।
ଏହି ଘଟଣା ପଛରେ ହନିଟ୍ରାପ୍ ରୢାକେଟ୍ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବଡ଼ଚଣା ଥାନା ଇନ୍ସ୍ପେକ୍ଟର ମଧୁସ୍ମିତା ବେହେରାଙ୍କୁ ପ୍ରଥମେ ବଦଳି ପରେ ନିଲମ୍ବନ କରାଯାଇଥିଲା। ତେବେ କିଙ୍ଗ୍ପିନ୍ଙ୍କ ସମେତ ମଧ୍ୟସ୍ଥତା କରିଥିବା ଦୁଇ ସାମ୍ବାଦିକଙ୍କ ଗିରଫ ଦାବି ଜୋର୍ ଧରିଥିଲା। ଯାଜପୁର ପୁଲିସ ଏହି ଘଟଣାକୁ ଗୁରୁତ୍ବ ଦେଇନଥିବା ବେଳେ କଟକ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ସାଲେପୁର ଏସ୍ଡିପିଓ, ନିଶ୍ଚିନ୍ତକୋଇଲି ଆଇଆଇସି, ମାହାଙ୍ଗା ଆଇଆଇସି, ସାଲେପୁର ଆଇଆଇସି ଓ ସ୍ପେସାଲ ସ୍କ୍ବାଡ୍ଙ୍କୁ ନେଇ ଏକଟିମ୍ ଗଠନ କରାଯାଇ ଖୋଳତାଡ଼ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/23/sfssfxcxcxc-2025-09-23-03-19-17.jpg)