ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହେବାର ବୁଧବାର ୬ ମାସ ପୂରିଛି। କିନ୍ତୁ ଏହି ତଦନ୍ତରୁ କ୍ରାଇମ୍ବ୍ରାଞ୍ଚ କ’ଣ ତଥ୍ୟ ଓ ପ୍ରମାଣ ପାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରୁନି। ତଦନ୍ତ ବେଳେ କ୍ରାଇମ୍ବ୍ରାଞ୍ଚର ଅଧିକାରୀମାନେ ବିଶେଷ କିଛି ସୂଚନା ନ ଦେଇ ଯାହା ବାହାରିବ କୋର୍ଟରେ ଦାଖଲ କରିବେ ବୋଲି କହିଥିଲେ। ମାତ୍ର ଆଜିଯାଏଁ କୋର୍ଟରେ କୌଣସି ଦସ୍ତାବିଜ ଦାଖଲ ହୋଇପାରିନାହିଁ। ଏ ସଂପର୍କରେ ଅଭିଯୁକ୍ତ ଗୋପାଳ ଦାସର ଓକିଲ ନରେଶ ନାୟକଙ୍କୁ ପଚରାଯିବାରୁ କ୍ରାଇମ୍ବ୍ରାଞ୍ଚର ସାନି ତଦନ୍ତ ରିପୋର୍ଟ କୋର୍ଟରେ ଜମା ହୋଇନଥିବା କହିଛନ୍ତି। ଗୋଟିଏ ପଟେ ନବ ଦାସଙ୍କ ପରିବାର ମାମଲାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ସେ ଦିଗରେ ବର୍ତ୍ତମାନ ସୁଦ୍ଧା ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଅନ୍ୟପଟେ କ୍ରାଇମ୍ବ୍ରାଞ୍ଚର ସାନି ତଦନ୍ତର ପ୍ରକୃତ ଆଭିମୁଖ୍ୟ ବି ଅସ୍ପଷ୍ଟ ରହିଯାଇଛି। ଏଭଳି ସ୍ଥିତିରେ ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହେବ ନା ଚିରାଚରିତ ଢଙ୍ଗରେ ତଦନ୍ତରେ ହିଁ ଅଟକିଯିବ ବୋଲି ପ୍ରଶ୍ନ ଉଠିଲାଣି।
ଚଳିତ ବର୍ଷ ମାର୍ଚ୍ଚ ୧୮ ତାରିଖରୁ କ୍ରାଇମ୍ବ୍ରାଞ୍ଚର ୨ ଜଣିଆ ଟିମ୍ ଝାରସୁଗୁଡ଼ାରେ ୫ ଦିନ ଧରି କ୍ୟାମ୍ପ କରି ରହିବା ସହ ପୂରା ତଦନ୍ତ ପ୍ରକ୍ରିୟାକୁ ମୂଳରୁ ଯାଞ୍ଚ କରିଥିଲେ। ଘଟଣାଦିନ ବିଧାନସଭା ଚାଲୁଥିବା ବେଳେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ସାନି ତଦନ୍ତ ଆରମ୍ଭ ହୋଇଥିବା ଗୃହରେ ତଥ୍ୟ ରଖିଥିଲେ। ତଦନ୍ତ ବେଳେ ନବ ଦାସଙ୍କ ମୃତ୍ୟୁ ସମୟକୁ ନେଇ ରହିଥିବା ବିବାଦ, ଇସିଜି ରିପୋର୍ଟ, ବିମାନବନ୍ଦରରୁ ଏୟାରଲିଫ୍ଟ କରାଯିବା ସମୟର ସ୍ଥିତି ସମ୍ପର୍କରେ ଟିମ୍ ଅନୁଧ୍ୟାନ କରିବା ସହ ୧୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲା। ମେ ୩୦ ତାରିଖରେ ଟିମ୍ ପୁଣି ଝାରସୁଗୁଡ଼ାରେ ପହଞ୍ଚି ତନାଘନା କରିଥିବା ବେଳେ ପରଦିନ ଝାରସୁଗୁଡ଼ା କୋର୍ଟରେ ପବ୍ଲିକ୍ ପ୍ରସିକ୍ୟୁଟରଙ୍କୁ ଭେଟି ମାମଲାର ତ୍ବରିତ ଶୁଣାଣି ପ୍ରକ୍ରିୟା ପାଇଁ ଆଲୋଚନା କରିଥିଲେ। ଏହାସହିତ ଆଉ ୩ ଜଣ ସାକ୍ଷୀଙ୍କର ବୟାନ ରେକର୍ଡ ମଧ୍ୟ କରିଥିଲେ। ମାତ୍ର ଏହା ପରଠାରୁ ଟିମ୍ ଏହି ମାମଲା ନେଇ ଆଉ ଝାରସୁଗୁଡ଼ା ଆସିନାହିଁ କି ତନାଘନା ବି କରିନାହିଁ। ପୂର୍ବରୁ ଦାଖଲ ଚାର୍ଜସିଟ୍ରେ ଅନେକ ତ୍ରୁଟି ବିଚ୍ୟୁତି ସାମନାକୁ ଆସିଥିଲା। କେଉଁଠି ସାର୍ଟର ରଙ୍ଗ ବଦଳି ଯାଇଥିଲା ତ କେଉଁଠି ଗୁଳିର ଅଙ୍କ ଭୁଲ୍ କରିଦେଇଥିଲା କ୍ରାଇମ୍ବ୍ରାଞ୍ଚ। କେବଳ ସେତିକି ନୁହେଁ, ଏହି ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡରେ ଏକାଧିକ ରାଜନୈତିକ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲେ ହେଁ କ୍ରାଇମ୍ବ୍ରାଞ୍ଚ ଅଦ୍ୟାବଧି ଷଡ୍ଯନ୍ତ୍ର ଦିଗରେ ତଦନ୍ତ କରିନାହିଁ। ଏଭଳି ସ୍ଥିତିରେ କ୍ରାଇମ୍ବ୍ରାଞ୍ଚର ନୂଆ ଅଭିଯୋଗ ଫର୍ଦ୍ଦ (ଚାର୍ଜସିଟ୍) ଉପରେ ସମସ୍ତଙ୍କ ନଜର ରହିଛି। କ୍ରାଇମ୍ବ୍ରାଞ୍ଚ ନିଜ ବିଭାଗର ପୂର୍ବ ତଦନ୍ତକୁ ଭୁଲ୍ ପ୍ରମାଣିତ କଲେ ବା ସେଥିରେ ସଂଶୋଧନ କଲେ ମାମଲାର ମୋଡ଼ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। କିନ୍ତୁ କ୍ରାଇମ୍ବ୍ରାଞ୍ଚ ତଦନ୍ତ ରିପୋର୍ଟ ଦାଖଲ କଲେ ଯାଇ ସମସ୍ତ ପ୍ରଶ୍ନର ଉତ୍ତର ସାମନାକୁ ଆସିପାରିବ।