ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗୁରୁବାର ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କମ୍‌ କଗ୍‌ ଟେକିଙ୍ଗ୍ କୋର୍ଟରେ ହାଜର କରାଯାଇଥିଲା। ହତ୍ୟା ମାମଲାରେ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍‌ ଆଧାରରେ ଅଭିଯୁକ୍ତ ଗୋପାଳ ବିରୋଧରେ ଲାଗିଥିବା ଦଫା ସମ୍ପର୍କରେ ତାକୁ ଅବଗତ କରାଯାଇଥିଲା। ଏହି ଅଭିଯୋଗ ଫର୍ଦ୍ଦର ଏକ ନକଲ ମଧ୍ୟ ଗୋପାଳକୁ ପ୍ରଦାନ କରାଯାଇଥିବା ବେଳେ ଆସନ୍ତା ତାରିଖରେ ତାକୁ ଅଦାଲତରେ ହାଜର କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାବାଦ୍ ସିଆର୍‌ପିସି ଧାରା ୨୦୯ ଅନୁସାରେ, ଜେଏମ୍‌ଏଫ୍‌ସିଙ୍କ ଅଦାଲତରୁ ଏହି ମାମଲା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟକୁ ସ୍ଥାନାନ୍ତର ହୋଇଛି।

Advertisment

ମାମଲାର ସମ୍ବେଦନଶୀଳତାକୁ ଆଖି ଆଗରେ ରଖି ଗୋପାଳକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚୌଦ୍ବାର ଜେଲ୍‌ରୁ ଝାରସୁଗୁଡ଼ାକୁ ଅଣାଯାଇଥିଲା। ଏଠାରେ ପ୍ରଥମେ ତାକୁ ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ୍‌ରେ ରଖାଯାଇଥିଲା। ସେଠାରୁ ତାକୁ ଜେଏମ୍ଏଫ୍‌ସିଙ୍କ ଅଦାଲତକୁ ନିଆଯାଇଥିଲା। ମାତ୍ର ୧୦ ମିନିଟ୍ ମଧ୍ୟରେ ଏହି ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଥିବା ବେଳେ କୋର୍ଟ ପରିସରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏହି ମାମଲାକୁ ଗୋପାଳ କିଭଳି ଭାବେ ଲଢ଼ିବ ସେନେଇ ତାକୁ ବିଚାରପତି ପଚାରିଥିବା ବେଳେ ସେ ମାମଲା ଲଢ଼ିବାକୁ ପ୍ରସ୍ତୁତ ଥିବା ଉତ୍ତର ରଖିଥିଲା। ପରବର୍ତ୍ତୀ ତାରିଖରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ କରାଯିବ ବୋଲି ରିମାଣ୍ଡ ଓକିଲ ଦୟାନିଧି ଚାନ୍ଦ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୨୯ ତାରିଖ ଦିନ ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ଗାନ୍ଧୀଛକ ଫାଣ୍ଡିରେ ନିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସକୁ ଗିରଫ କରିଥିବା ବେଳେ ପରେ ମାମଲା କ୍ରାଇମ୍‌ବ୍ରାଞ୍ଚକୁ ସ୍ଥାନାନ୍ତରିତ ହୋଇଥିଲା।