ଡଷ୍ଟବିନ ଭାଙ୍ଗିଲା ପୌର ପାଳିକା

କେନ୍ଦୁଝର: ସରକାରୀ କର୍ମଚାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ସରକାରଙ୍କ ବ୍ୟାପକ ଅର୍ଥ ଅପଚୟ ହେଉଛି। ସହରକୁ ସ୍ବଚ୍ଛ ରଖିବା ପାଇଁ କେନ୍ଦୁଝରରେ କଂକ୍ରିଟ ଡଷ୍ଟବିନ ତିଆରି ହୋଇଥିଲା। ହେଲେ ଏବେ ଏଥିପାଇଁ ପରିବେଶ ପ୍ରଦୂଷିତ ହେଉଛି ବୋଲି ଦର୍ଶାଯାଇ ପୌରପାଳିକା ପକ୍ଷରୁ  ତାହାକୁ ଭାଙ୍ଗି ଦିଆଯାଉଛି। ସୂଚନାଯୋଗ୍ୟ, କେନ୍ଦୁଝର ପୌରପାଳିକାର ପ୍ରତ୍ୟେକ ଓାର୍ଡରେ ଆବର୍ଜନା ପକାଇବା ପାଇଁ କଂକ୍ରିଟ ଡଷ୍ଟବିନ୍ ନିର୍ମାଣ କରାଯାଇଥିଲା। ପ୍ରତ୍ୟେକ ୱାର୍ଡରେ ଦୁଇରୁ ତିନିଟି ଲେଖାଏଁ ଡଷ୍ଟବିନ୍‌ ନିର୍ମାଣ ହୋଇଥିଲା।

ଏଥିପାଇଁ ପ୍ରାୟ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା କୁହାଯାଉଛି। ଘରଘର ବୁଲି ଗାଡ଼ି ମଇଳା ସଂଗ୍ରହ କରୁଥିବା ବେଳେ ଅନେକ ସମୟରେ ଗାଡ଼ି ଆସୁନଥିବାରୁ ଲୋକେ ଆବର୍ଜନା ବ୍ୟାଗ ଧରି ଘର ବାହାରେ ବହୁ ସମୟ ଧରି ଅପେକ୍ଷା କରୁଥି‌ଲେ। ଶେଷରେ ଏହି କଂକ୍ରିଟ ଡଷ୍ଟବିନ୍‌ରେ ଆବର୍ଜନା ପକାଉଥିଲେ। ତେବେ ପୌରପାଳିକା ପକ୍ଷରୁ ଏସବୁ ଡଷ୍ଟବିନ୍‌ରୁ ନିୟମିତ ଆବର୍ଜନା ଉଠାଯାଉ ନଥିବାରୁ ପରିବେଶ ପ୍ରଦୂଷିତ ହେଉଥିଲା। ତେବେ ଡଷ୍ଟବିନକୁ ନିୟମିତ ସଫା କରିବା ପରିବ‌ର୍ତ୍ତେ ସେଗୁଡ଼ିକୁ ପୌରପାଳିକା ଭାଙ୍ଗି ଦେଉଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇଥିବା କଂକ୍ରିଟ ଡଷ୍ଟବିନ୍‌କୁ ନ ଭାଙ୍ଗି ସେଥିରେ ପଡ଼ୁଥିବା ଆବର୍ଜନା କିପରି ନିୟମିତ ସଫା ହେବ ସେ ଦିଗରେ ପୌରପାଳିକା ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର