ବ୍ୟାସନଗର/ତାଳଚେର : ରାଜ୍ୟର ବିଭିନ୍ନ ପୌରସଂସ୍ଥାରେ ଏବେ ପୌରାଧ୍ୟକ୍ଷ ଏବଂ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ବିବାଦ ସାମ୍ନାକୁ ଆସିଛି। ତାଳଚେର ଘଟଣାର କେଇଦିନ ନପୂରୁଣୁ ଆଜି ଯାଜପୁରର ବ୍ୟାସନଗରେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି। ସଫେଇ କର୍ମଚାରୀଙ୍କ ଉପସ୍ଥାନକୁ ନେଇ ପୌରଧ୍ୟାକ୍ଷା ଓ ନିର୍ବାହୀ ଅଧିକାରୀ ମୁହା‘ମୁହିଁ ହୋଇଛନ୍ତି। ସର୍ବସାଧାରଣଙ୍କ ଉପସ୍ଥିତିରେ ତାଙ୍କୁ ଗାଳିଗୁଲଜ କରାଯାଇଥିବା ନିର୍ବାହୀ ଅଧିକାରୀ ଅଭିଯୋଗ କରିଥିବାବେଳେ ଗାଳିନୁହେଁ, ଏହା ତାଗିଦ୍ ବୋଲି ପୌରାଧ୍ୟକ୍ଷା କହିଛନ୍ତି।
ସୂଚନା ଅନୁସାରେ, ଗତ ଜୁଲାଇ ମାସରେ ସଫେଇ କର୍ମଚାରୀଙ୍କ ପାଇଁ ପୌର କାର୍ଯ୍ୟାଳୟରେ ସ୍ବତନ୍ତ୍ର ବାୟୋମେଟ୍ରିକ ମେସିନ ଲଗାଯାଇଥିଲା। କାର୍ଯ୍ୟ ଆରମ୍ଭ ପୂର୍ବରୁ ଫିଙ୍ଗର ପ୍ରିଣ୍ଟ ଓ କାର୍ଯ୍ୟ ଶେଷ ପରେ ଫିଙ୍ଗର୍ ପ୍ରିଣ୍ଟ ଦେବାକୁ ସଫେଇ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ତଦାରଖ ପାଇଁ ଜଣେ ସୁପରଭାଇଜରଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଥିଲା। ପରେ ଏଥିରେ ମଧ୍ୟ ଜାଲିଆତିର ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଏହି ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିର୍ଦେଶ ଦେଇଥିଲେ। ଫଳରେ, ପ୍ରତିଦିନ ମେସିନ ତନଖି କରି ଉପସ୍ଥାନ ପକାଇବାକୁ ତାଗିଦ୍ କରାଯାଇଥିଲା। ପୁଣି ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ବିବାଦ ଆଜି ଉଗ୍ରରୂପ ନେଇଥିଲା।
ବ୍ୟାସନଗରରେ ସଫେଇ କର୍ମଚାରୀଙ୍କ ଉପସ୍ଥାନକୁ ନେଇ ମୁହାଁମୁହିଁ
ତାଳଚେରରେ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ ନଗରପାଳ
କେଉଁକେଉଁ କାର୍ଯ୍ୟ ଅଗୋଚରରେ ହୋଇଛି ତାଲିକା ଦିଅ: ନିର୍ବାହୀ ଅଧିକାରୀ
ଏହି ବ୍ୟବସ୍ଥାକୁ ବିରୋଧ କରି ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ନିର୍ବାହୀ ଅଧିକାରୀ ଶ୍ରୀରାଉତଙ୍କୁ ଗାଳିଗୁଲଜ କରିଥିଲେ। ଏସମ୍ପର୍କରେ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସଫେଇ ଉପସ୍ଥାନ କଡ଼ାକଡ଼ି କରାଯାଇଛି। ହେଲେ, କିଛି ଲୋକଙ୍କ ପ୍ରରୋଚନାରେ ଆକ୍ରୋଶମୂଳକ ଭାବେ ତାଙ୍କ ପ୍ରତି ଏଭଳି ବ୍ୟବହାର ପ୍ରଦର୍ଶନ କରାଯାଇଥିବା କହିଛନ୍ତି। ଅନ୍ୟପକ୍ଷରେ ପୌରାଧ୍ୟକ୍ଷା ଶ୍ରୀମତୀ ପିଙ୍ଗୁଆଙ୍କୁ ପଚାରିବାରୁ ଫିଙ୍ଗର ପ୍ରିଣ୍ଟ ଆଳରେ ସମୟ ନଷ୍ଟ ହେଉଛି। ସଫେଇରେ ତ୍ରୁଟି ହେଉଥିବାରୁ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସାଧାରଣ ସହରବାସୀ ଅଭିଯୋଗ କରୁଛନ୍ତି। ଏଥିପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ତାଗିଦ୍ କରାଯାଇଛି ବୋଲି କହିବା ସହ ଗାଳିଦେବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି।
ଏହାପୂର୍ବରୁ, ଗତ ସ୍ବାୟତ୍ତ ଶାସନ ଦିବସରେ ତାଳଚେର ପୌରପାଳିକାରେ ନିର୍ବାହୀ ଅଧିକାରୀ ଓ ପୌରାଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାର ବିଷୟ ପାଲଟିଥିଲା। ଜନପ୍ରତିନିଧିଙ୍କୁ ଅବହେଳା କରାଯିବା ଅଭିଯୋଗ କରି ନଗରପାଳ ଓ ବହୁ କାଉନସିଲର୍ ଆସି ନ ଥିଲେ। ଫଳରେ ଏହି ଉତ୍ସବ ଫିକା ପଡ଼ି ଯାଇଥିଲା। ଆଜି ଖୋଦ୍ ନଗରପାଳ ଜିଲ୍ଲାପାଳଙ୍କ ପାଖକୁ ଆସି ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଫେରାଦ୍ ହୋଇଛନ୍ତି। କହିଛନ୍ତି, ସେ ଅନୁମୋଦନ କରୁଥିବା ପ୍ରକଳ୍ପଗୁଡ଼ିକର ଟେଣ୍ଡର ନିର୍ବାହୀ ଅଧିକାରୀ ବାତିଲ କରି ନୂଆ ଟେଣ୍ଡର୍ କରୁଛନ୍ତି। ତାଳଚେର ନଗରପାଳ ପବିତ୍ର ଭୂତିଆ ଓ ତାଳଚେର ପୌରପରିଷଦର ୧୮ ଜଣ କାଉନସିଲର୍ ଆଜି ଅନୁଗୁଳ ଜିଲ୍ଲାପାଳଙ୍କୁ ଭେଟି ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଏପରି ଅଭିଯୋଗ କରିଛନ୍ତି। ଏପରିକି ନିର୍ବାହୀ ଅଧିକାରୀ ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ ଥିବା ସେ କହିଛନ୍ତି। ଏଥିନେଇ ଜିଲ୍ଲାପାଳଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ନିର୍ବାହୀ ଅଧିକାରୀଙ୍କ ବିରୋଧରେ ନଗରପାଳ ଏମିତି ଅଭିଯୋଗ ଆଣିବା ତାଳଚେର ପୌରପାଳିକାର ଭିତିରି କଥାକୁ ପଦାରେ ପକାଇ ଦେଇଛି। ତେବେ, ତାଳଚେର ପୌରପାଳିକାର ନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାତ କହିଛନ୍ତି ଯେ, ‘ ମୋ ବିରୋଧରେ ଆସିଥିବା ସବୁ କିଛି ଅଭିଯୋଗ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ। କେଉଁ କେଉଁ କାର୍ଯ୍ୟ ନଗରପାଳଙ୍କ ଅଗୋଚରରେ ହୋଇଛି ତାହା ସେ ପ୍ରକାଶ କରନ୍ତୁ। ସେ ପୌର କାର୍ଯ୍ୟାଳୟକୁ ଆସନ୍ତିନି ଓ ତାଙ୍କ ମୋବାଇଲ ଫୋନ୍ ଅଧିକାଂଶ ସମୟରେ ସୁଇଚ ଅଫ୍ ରହୁଥିବାରୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୁଏନି।’ ସେ ଭିନ୍ନ ଉଦ୍ଦେଶ୍ୟ ରଖି ଏମିତି ଅଭିଯୋଗ କରିଛନ୍ତି ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।