ସହରରେ ମିଶାଇ ବିକାଶ ଭୁଲିଗଲା ପୌରପାଳିକା

ଦୁର୍ବିସହ ସମସ୍ୟାରେ ଆକାଶଗୁଡା 

କୋରାପୁଟ: ଭୋଟ ବ୍ୟାଙ୍କ ବୃଦ୍ଧି ଓ ୱାର୍ଡ ସମ୍ପ୍ରସାରଣ ଆଳରେ କିପରି ଗୋଟିଏ ଗାଁକୁ ସହର ବନାଇ କୋରାପୁଟ  ପ୍ରଶାସନ ଦୁଃଖ ଆଣିଛି ତାହା ଏବେ ସାମ୍‌ନାକୁ ଆସିଛି। ଖାଲି ସେତିକି ନୁହେଁ ଗାଁ ନିକଟରେ ଏକ ଡମ୍ପିଂୟାର୍ଡ କରି ଦୁର୍ବିସହ ସମସ୍ୟା ଭିତରକୁ ଠେଲି ଦେଇଛି। ପୌରପାଳିକାର ୧୫ନଂ. ୱାର୍ଡରେ ଥିବା ଆକାଶଗୁଡା ଗାଁର ଛାତ୍ରଛାତ୍ରୀ ଏଭଳି ସତକଥା ବଖାଣିବା ପରେ ଉକ୍ତ ଗାଁକୁ ସହରରେ ମିଶାଇ ବକାଶକୁ ଭୁଲିଯାଇ ନିଜ ଉଦ୍ଦେଶ୍ୟ ଚରିତାର୍ଥ କରିବାର ପ୍ରଶାସନର ଅସଲ ମୁଖା ଖୋଲି ଯାଇଛି।

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ କହିବାନୁସାରେ ଏହି ଗାଁରେ  ୪୫ଟି ଘର ରହିଛି। କିନ୍ତୁ ଆଖପାଖରେ ପର୍ଯ୍ୟାପ୍ତ ଜାଗା ଅଛି। ତେଣୁ ୨୦୦୯  ପୂର୍ବରୁ ପୌରପାଳିକା ଏହି ଗାଁକୁ ସହରରେ ମିଶାଇ ୧୦ ନଂ. ୱାର୍ଡର ରଖିଲା। ସହରରେ ମିଶିବାରୁ ଗାଁ ଲୋକେ ଖୁସି ଥିଲେ। କିନ୍ତୁ ବିକାଶ କଥା ପୌରପାଳିକା ଭୁଲି ଯାଇଥିଲେ ବି ଗାଁ ଲୋକ ସେଭଳି ଦୁଃଖ ଭୋଗିନଥିଲେ।  ୨୦୧୪ରେ ପୌରପାଳିକା ୱାର୍ଡ ସମ୍ପ୍ରସାରଣ କରି ଏହି ଗାଁକୁ ୧୫ ନଂ ୱାର୍ଡ ବୋଲି ଗଣନା କଲା। ସେହି ହିସାବରେ  ଗାଁକୁ ରାଜ୍ୟ  ନଗର ଉନ୍ନୟନ ବିଭାଗ  ବିକାଶ କରିବା କଥା। ସେହି ସୁବିଧା ଆଜି ପର୍ଯ୍ୟନ୍ତ ମିଳିନାହିଁ।

ଗାଁକୁ ଯୋଗାଯୋଗ ପାଇଁ ରାସ୍ତା, ପାନୀୟ  ଜଳ, ବିଦ୍ୟୁତ, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ସୁବିଧା ନାହିଁ।  ଆକାଶଗୁଡାକୁ ରାସ୍ତା ଖଣ୍ଡିଏ ନାହିଁ।  ପ୍ରାଥମିକ ଶିକ୍ଷା ଓ ଅଙ୍ଗନୱାଡ଼ି ଶିକ୍ଷା ପାଇଁ ଅଢେଇ  କିମି ଦୂର ମସ୍ତିପୁଟ ଛାତ୍ରଛାତ୍ରୀଙ୍କ ସହ ଶିଶୁମାନଙ୍କୁ ସେଠାକୁ ଯିବାକୁ ପଡୁଛି। ପାହାଡିଆ ରାସ୍ତା ଡେଇଁ ସେଠାକୁ ଯାଇ ଶିକ୍ଷା ଗ୍ରହଣ କରିବା ସେମାନଙ୍କ ପାଇଁ ଦୁର୍ବିସହ ହୋଇପଡିଛି। ଏବେ  ସ୍କୁଲ  ଖୋଲିଛି। ଏଠାକାର ୩୮ରୁ ଅଧିକ ଶିଶୁ ଓ ଛାତ୍ରଛାତ୍ରୀ ଉଭୟ ପ୍ରାକ୍‌ଶିକ୍ଷା ଓ ପ୍ରାଥମିକ ଶିକ୍ଷାରୁ ଦୂରରେ ରହିଛନ୍ତି।  ଗାଁରେ  ନେଟୱାର୍କ ନଥିବାରୁ ଅନଲାଇନ କ୍ଲାସ ମଧ୍ୟ ହୋଇପାରୁ ନାହିଁ। ଖାଲି  ଶିଶୁ ତାହା ନୁହେଁ ଗର୍ଭବତୀ ମହିଳା ମଧ୍ୟ ନାକେଦମ୍ ହେବାକୁ ପଡୁଛି।

କୁଶିକ୍ଷା ରୂପକ ଅନ୍ଧାରକୁ ହଟାଇବାକୁ ଜୀବନକୁ ବାଜି ଲଗାଇ ବଡ ଘାଟି ସହ ଦୁଇଟି ପାହାଡ ଡେଇଁଲେ ଶିକ୍ଷା ମିଳୁଛି। ଖାଲି ‌ସେତିକି ନୁହେଁ ଗାଁକୁ ଯୋଡୁଥିବା ଏକ ମାତ୍ର ରାସ୍ତର ଅବସ୍ଥା ଅତି ଶୋଚନୀୟ।୨୫ବର୍ଷ ତଳେ ଏହି ରାସ୍ତା କାମ ହୋଇଥିଲା। ୧୫ ବର୍ଷ ହେବ ମାଟି ମୁଠାଏ ପଡିନି।୪ ବର୍ଷ ତଳେ ଗାଁକୁ ଯୋଡୁଥିବା ରାସ୍ତାର ଅନବାଶ୍ୟକସ୍ଥଳରେ ୧୦ ଲକ୍ଷ ଟଙ୍କା ବିନିମୟରେ କଙ୍କ୍ରିଟ କରାଯାଇଥିବାବେଳେ ଏହା କାର୍ଯ୍ୟରେ ଲଗୁ ନାହିଁ।

ଏହାସହ ବଡ ଚିନ୍ଦିରି ପଟୁ ଗାଁକୁ ଗଲାବେଳକୁ ପାର୍ଶ୍ବରେ ପୌରପାଳିକା ଏକ ଡମ୍ପିଂୟାଡ କରିଛି। ସାରା ସହରର ଅଳିଆ ଏଠାକରେ ପକାଉଛି।  ଦୁର୍ଗନ୍ଧରେ ନାଟ ଫାଟୁଛି। ପାଚେରୀ ଡେଇଁ ଅଳିଆ ଗାଁ ଭିତରେ ପ୍ରବେଶ କରୁଛି। ପବନ ହେଲେ ତାହା ଉଡି ଗାଁକୁ ଆସୁଛି। ଏନେଇ ଗାଁର ମଦନ ଚେଟ୍ଟି କହିଛନ୍ତି ଯେ ନାଁକୁ କେବଳ  ପୌରପାଳିକାରେ ରହିଛୁ ସିନା ଆମକୁ ସରକାରୀ ସୁବିଧା ମିଳୁନାହିଁ। ପ୍ରଥମେ ୧୦ ନମ୍ବର  ୱାର୍ଡ ଓ  ପରେ ୧୫ ନମ୍ବର ୱାର୍ଡରେ ମିଶାଇଲେ ସରକାର। ଏବେ ଯାଏ ଗାଁକୁ ରାସ୍ତାଟିଏ ନାହିଁ। ବର୍ଷାଦିନେ ଡ୍ରେନ ନଥିବାରୁ ପାହାଡରୁ ଗଡୁଥିବା ପାଣି ଗାଁରେ ପଶୁଛି। ଗାଁରେ ସ୍କୁଲ କି ଅଙ୍ଗନବାଡି କେନ୍ଦ୍ର ନ ଥିବାରୁ ପିଲାଏ ଦୁଇଟି ପାହାଡ ଓ ଘାଟି ଡେଇଁ ଜୀବନକୁ ବାଜି ଲଗାଇ ନିକଟ ଗାଁକୁ ଯାଉଛନ୍ତି। ବର୍ଷା ଦିନେ ଜୀବନ ପ୍ରତି ଭୟ ରହିଥିବାରୁ ସେମାନଙ୍କୁ ସ୍କୁଲ କି ଅଙ୍ଗନବାଡିକୁ ଛାଡୁନାହୁଁ ବୋଲି ସେ ଅଭିଯୋଗ କରିଛନ୍ତି।

ଏନେଇ ପୌରନିର୍ବାହୀ ଅଧିକାରୀ ସ୍ବାସ୍ତିକ ଜମାଦାର କହିଛନ୍ତି ଯେ, ଗାଁର ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇଛି। ପୌର ନିର୍ବାଚନ ଶେଷ ହେଉ ହେଉ ଖୁବଶୀଘ୍ର  ଗ୍ରାମବାସୀଙ୍କୁ ସେମାନଙ୍କ ସୁବିଧା ଯୋଗାଇ ଦିଆଯିବ‌।ରାସ୍ତା ସହ ଅନ୍ୟ ସୁବିଧା ଯୋଗାଯିବାକୁ  ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର