ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମାମଲା: ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଅତିରିକ୍ତ କ୍ଷତିପୂରଣ ନିର୍ଦ୍ଦେଶ

କଟକ : ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଓ ପରବର୍ତ୍ତୀ ସମୟରେ ହୋଇଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସଂପର୍କୀୟଙ୍କୁ କ୍ଷତିପୂରଣ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସ୍ବାମୀଜୀଙ୍କ ହତ୍ୟା ସମୟରେ ପ୍ରାଣ ହରାଇଥିବା ବ୍ୟକ୍ତି ଓ ପରବର୍ତ୍ତୀ ସମୟର ହିଂସାକାଣ୍ଡରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସ୍ବାମୀଜୀଙ୍କ ଉପରେ ଆକ୍ରମଣ ସମୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଅତିରିକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ପି.ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସ୍ବାମୀଜୀଙ୍କ ଉପରେ ୨୦୦୮, ଅଗଷ୍ଟ ୨୩ରେ ଆକ୍ରମଣ ସମୟରେ ଆବେଦନକାରୀଙ୍କ ଝିଅ ମଧ୍ୟ ପ୍ରାଣ ହରାଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା କ୍ଷତିପୂରଣ ରାଶି ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିଲା। ୨୦୧୬, ଅଗଷ୍ଟ ୨ରେ ସୁପ୍ରିମକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି କନ୍ଧମାଳରେ ହୋଇଥିବା ସାଂପ୍ରଦାୟିକ ହିଂସା ସମୟରେ ପ୍ରାଣ ହରାଇଥିବା ପୀଡ଼ିତଙ୍କ ପରିବାରକୁ ରାଜ୍ୟ ସରକାର ଅତିରିକ୍ତ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ସ୍ବାମୀଜୀଙ୍କ ହତ୍ୟା ସମୟରେ ପ୍ରାଣ ହରାଇଥିବା ପୀଡ଼ିତଙ୍କୁ ପରବର୍ତ୍ତୀ ସମୟରେ ହୋଇଥିବା ହିଂସାକାଣ୍ଡର ପୀଡ଼ିତଙ୍କଠାରୁ ପୃଥକ୍‌ ଭାବେ ଗ୍ରହଣ କରି ରାଜ୍ୟ ସରକାର ଅତିରିକ୍ତ କ୍ଷତିପୂରଣ ଦେଇ ନଥିଲେ ବୋଲି ଅଭିଯୋଗ ହୋଇଥିଲା। ଆବେଦନକାରୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅତିରିକ୍ତ କ୍ଷତିପୂରଣ ପ୍ରସଂଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର