କଟକ: ସ୍ବମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପ୍ରସଂଗ ନେଇ ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଏହି ଘଟଣାର କାହିଁକି ସିବିଆଇ ତଦନ୍ତ ନ ହେବ ସେ ନେଇ ଜବାବରେ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଇଂଜିନିୟର ଦେବାଶିଷ ହୋତାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୮, ଅଗଷ୍ଟ ୨୩ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଜଲେଶପଟା ଆଶ୍ରମରେ ଜନ୍ମାଷ୍ଟମୀ ପାଳନ ଅବସରରେ ଦୁର୍ବୃତ୍ତମାନଙ୍କ ଗୁଳି ମାଡ଼ରେ ସ୍ବାମୀଜୀ ଓ ଅନ୍ୟ ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ୧୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚିତ ହୋଇ ନାହିଁ। ପ୍ରକୃତ ହତ୍ୟାକାରୀଙ୍କୁ ଖୋଜି ବାହାର କରାଯାଇ ନାହିଁ। ସ୍ବାମୀଜିଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସମସ୍ତେ ଅବଗତ ଥିଲେ। ୨୦୦୮, ଅଗଷ୍ଟ ୧୫ରେ ସିଆରପିଏଫ ଯବାନଙ୍କୁ ପ୍ରତ୍ୟାହାର କରାଯାଇଥିବା ବେଳେ ଘଟଣା ଦିନ ସୁରକ୍ଷା ଦାୟିତ୍ବରେ ଥିବା ରାଜ୍ୟ ପୁଲିସ ଘଟଣାସ୍ଥଳ ଛାଡି ଚାଲି ଯାଇଥିଲେ ବୋଲି ଆବେଦନରେ ଦର୍ଶାଯାଇଛି। ଏଭଳି ସ୍ଥିତିରେ ଦୁର୍ବୃତ୍ତମାନେ ଏହି ଯୋଜନାବଦ୍ଧ କାଣ୍ଡ କାର୍ଯ୍ୟକାରୀ କରିବାରେ ସମର୍ଥ ହୋଇଥିଲେ। ହତ୍ୟାର ୨୪ ଘଣ୍ଟା ପୂରିବା ପୂର୍ବରୁ ଏଥିରେ ମାଓବାଦୀଙ୍କ ସଂପୃକ୍ତି ଥିବା ନେଇ ପୁଲିସ କହିଥିଲା। ଧର୍ମାନ୍ତରଣ ଓ ଗୋହତ୍ୟାକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ବିରୋଧ କରୁଥିଲେ।
ମାଓପ୍ରବଣ ରାୟଗଡ଼ାର ଚନ୍ଦ୍ରପୁରରେ ସ୍ବାମୀଜୀ ଏକ ପଦଯାତ୍ରା କରିଥିଲେ। ମାଓବାଦୀଙ୍କ ପକ୍ଷରୁ ତାଙ୍କୁ କୌଣସି ବିପଦ ଥିବା ସୂଚନା ନଥିଲା। କିନ୍ତୁ ହତ୍ୟାକାଣ୍ଡ ପରେ ପ୍ରକୃତ ହତ୍ୟାକାରୀଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଇ ନଥିଲା। ଉପଯୁକ୍ତ ଦିଗକୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରାଯାଇ ନଥିଲା। ଫଳରେ ଏହି ହତାକାଣ୍ଡର ରହସ୍ୟ ଉନ୍ମୋଚନ ହୋଇ ପାରି ନାହିଁ। ସିବିଆଇ ଭଳି ସ୍ବଧୀନ ଏଜେନ୍ସିକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଉ। ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ତଦନ୍ତ ଶେଷ କରି ପ୍ରକୃତ ଦୋଷୀଙ୍କୁ ଖୋଜି ବାହାର କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ଗୃହ ବିଭାଗ, କେନ୍ଦ୍ର ଗୃହ ବିଭାଗ, ସିବିଆଇ ନିର୍ଦ୍ଦେଶକ, ପୁଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।