ଜଗତତସିଂହପୁର ଟାଉନ୍ : ୧୯୯୯, ଅଗଷ୍ଟ ୧୭ ତାରିଖ। ମହାବାତ୍ୟାର ଠିକ୍ ଦୁଇମାସ ପୂର୍ବରୁ ଜଗତସିଂହପୁର ଜିଲ୍ଲାର ତରଡ଼ାପଡ଼ା ଗ୍ରାମର ରାସ୍ତା ପାର୍ଶ୍ବରେ ଏମିତି ଏକ ଘଟଣା ଘଟିଥିଲା, ଯାହା ସାରା ଓଡ଼ିଶାକୁ ସ୍ତବ୍ଧ କରି ଦେଇଥିଲା। ଗୋଟିଏଘରେ ଗୋଟିଏ ପରିବାରର ୭ ଜଣଙ୍କ ମୁଣ୍ଡ ଗଡ଼ିଥିଲା। ୬ ଜଣଙ୍କୁ ଘର ଭିତରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଗୃହକର୍ତ୍ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। କିନ୍ତୁ, ୨୪ ବର୍ଷ ତଳେ ଘଟିଥିବା ଏହି ହତ୍ୟାକାଣ୍ଡ ଏବେ ବି ରହସ୍ୟମୟ ହୋଇ ରହିଯାଇଛି।
ଘଟଣାର ଦିନକ ପରେ ଗଣହତ୍ୟା ସଂପର୍କରେ ସୂଚନା ମିଳିଥିଲା। ପରିବାରରେ କାମ ଧନ୍ଦା କରୁଥିବା ସ୍ଥାନୀୟ ଵାର୍ଡ ମେମ୍ବର ବୀର ଦାସ ୧୯୯୯, ଅଗଷ୍ଟ ୧୮ ତାରିଖରେ ଗୃହକର୍ତ୍ତା ଦୁର୍ଯ୍ୟୋଧନ ମହାରଣାଙ୍କ ଘର ବାରଣ୍ଡାରେ ରକ୍ତ ଛିଟା ଦେଖିଥିଲେ। କବାଟ ଝରକା ବନ୍ଦ ଥିବା ଦେଖିଥିଲେ। ଘର ପଛପଟ ଛାତରେ ଜଣେ ବାଳକର ଶବ ଛାତରୁ ତଳକୁ ଝୁଲିଥିଲା। ଏଭଳି ଘଟଣାରେ ବିଚଳିତ ହୋଇ ସେ ଏ ସଂପର୍କରେ ପରିବାରର ସମ୍ପର୍କୀୟମାନଙ୍କୁ ଖବର ଦେଇଥିଲେ। ପୁଲିସ ବି ପହଞ୍ଚି ଘରର ପଛପଟ କବାଟ ଖୋଲିବା ପରେ ଛାତିଥରା ଦୃଶ୍ୟ ସାମନାକୁ ଆସିଥିଲା। ଗୋଟିଏ ଘରେ ପତ୍ନୀ ନଳିନୀ(୩୪), ପାଖ ଘରେ ଶାଶୂ ପ୍ରମଦା(୬୦), ଦୁଇ ଝିଅ ରୋଜି(୧୨) ଓ ଜିନିଆ(୮), ଅନ୍ୟ ଏକ ଘରେ ଶ୍ବଶୁର ବଙ୍ଗାଳି ମହାରଣା(୭୦)ଙ୍କ ମୃତଦେହ ପଡ଼ି ଥିଲା। ପୁଅ ପପୁ(୧୪)ର ତଣ୍ଟି ଚିପି ହତ୍ୟା ପରେ ଘରର ପଛପଟ ଛାତର ଏକ ରଡ୍ରୁ ତଳକୁ ଝୁଲାଇ ଦିଆଯାଇଥିଲା। ବାହାରେ ଥିବା ପରିତ୍ୟକ୍ତ ଘରେ ଦୁର୍ଯ୍ୟୋଧନଙ୍କ ଶବ ବିଦ୍ୟୁତ ତାରରେ ଝୁଲୁ ଥିଲା। ପତ୍ନୀ, ଦୁଇ ଝିଅ, ଶାଶୂ ଓ ଶ୍ବଶୁରଙ୍କ ଗଳା କଟା ଯାଇଥିବା ବେଳେ ଜଂଘରେ ମଧ୍ୟ କଟା ଦାଗ କ୍ଷତ ଚିହ୍ନ ରହିଥିଲା।
ପୁଲିସ ତନ୍ତ୍ର ସାଧନାକୁ କାରଣ ଦର୍ଶାଇ ଜଣେ ତାନ୍ତ୍ରିକକୁ ଅଭିଯୁକ୍ତ ଦର୍ଶାଇ ହାତ ଝାଡି ଦେଇଥିଲା ସିନା କିନ୍ତୁ ଯେଉଁଭଳି ଘଟଣା ଘଟିଥିଲା, ସେଥିରେ ଜଣେ କେବଳ ତାନ୍ତ୍ରିକର ସଂପୃକ୍ତିକୁ ଏବେ ବି ସେ ସମୟର ଲୋକ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ପରିବାରର ମୁଖ୍ୟ ଦୁର୍ଯ୍ୟୋଧନ ମହାରାଣା ତନ୍ତ୍ର ସାଧନା କରି ସମସ୍ତଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରିଥିଲା। କିନ୍ତୁ, ଏହି ଲୋମଟାଙ୍କୁରା କାଣ୍ଡ ପଛରେ ପୂର୍ବ ଶତ୍ରୁତା କିମ୍ବା ରାଜନୈତିକ ଶତ୍ରୁତା ଭଳି କାରଣ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ସେତେବେଳେ ନୂଆ ନିର୍ମାଣ ହୋଇଥିବା ସେହି ଘର ଏବେ ବି ଗଣହତ୍ୟାର ମୂକସାକ୍ଷୀ ହୋଇ ଛିଡ଼ା ହୋଇ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/dead.jpg)