ଭୁବନେଶ୍ବର: ବହୁ ଚର୍ଚ୍ଚିତ ହାଇପ୍ରୋଫାଇଲ୍ ଠକେଇ ମାମଲାର ଅଭିଯୁକ୍ତ ହଂସିକା ଓ ଅନୀଲ୍ଙ୍କ ଦିନିକିଆ ରିମାଣ୍ଡ୍ ସରିବା ପରେ ଆଜି ସେମାନଙ୍କୁ ପୁଣି ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ପରେପରେ ସେମାନଙ୍କ ଓକିଲ ଜାମିନ ଆବେଦନ କରିଛନ୍ତି। କିନ୍ତୁ ଆବେଦନ ଉପରେ ଶୁଣାଣି ହୋଇପାରିନାହିଁ। ଅନ୍ୟ ପକ୍ଷରେ ଦିନିକିଆ ରିମାଣ୍ଡ୍ ସମୟରେ ଉଭୟ କମିସନରେଟ୍ ପୁଲିସ ଓ ଆୟକର ବିଭାଗକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ସ୍ଥାବର-ଅସ୍ଥାବର ସମ୍ପତ୍ତିର ହିସାବ ମିଳିଛି। ଆୟକର ବିଭାଗ ହଂସିକାଙ୍କ ଫ୍ଲାଟ୍ରୁ ପାଖାପାଖି ୮ ଲକ୍ଷ ଟଙ୍କାର ହୀରା ଅଳଙ୍କାର ଓ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଛି। ଏଥିସହିତ ଆୟକର ବିଭାଗ ସେମାନଙ୍କଠାରୁ ଜବତ ୪ ଦାମୀ କାର୍ ମଧ୍ୟରୁ ୨ଟିକୁ ଜବତ କରିଛି। ସେମାନଙ୍କ ନାଁରେ ଚାରି ଚାରିଟି ଫ୍ଲାଟ୍, ୪ଟି କମ୍ପାନି ଓ କମ୍ପାନିର ବ୍ୟାବସାୟିକ ରେକର୍ଡପତ୍ର ଜବତ କରାଯାଇଛି। ଏହି ଠକ ଯୋଡ଼ିଙ୍କ ଆୟର ମୁଖ୍ୟ ଉତ୍ସ ଖଣି ସଂସ୍ଥାଗୁଡ଼ିକର ସିଏସ୍ଆର୍ ପାଣ୍ଠି ପରିଚାଳନା ଓ ଜମି ଅଧିଗ୍ରହଣରେ ମଧ୍ୟସ୍ଥତା ବୋଲି ଜଣାପଡ଼ିଛି। ଏଥିସହିତ ହଂସିକା ମଧ୍ୟ ରିୟଲ୍ ଇଷ୍ଟେଟ୍ କାରବାରରେ ସମ୍ପୃକ୍ତ ଥିବା ତଥ୍ୟ ମିଳିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହଂସିକା କିଛି କଥା ଅନୀଲ୍ଙ୍କୁ ଲୁଚାଇଥିବା ରିମାଣ୍ଡ୍ ସମୟର ଜେରାରୁ ଜଣାପଡ଼ିଯାଇଛି। ତେଣୁ ଜେଲ୍ ଫେରିବା ପୂର୍ବରୁ ଅନୀଲ୍ଙ୍କ ମୁହଁ ଶୁଖିଯାଇଥିବା ଦେଖିବାକୁ ମିଳିଥିଲା।
ଏକ ପ୍ରତିଷ୍ଠିତ କର୍ପୋରେଟ୍ ସଂସ୍ଥାକୁ ଧମକ ଦେବା ଓ ବ୍ଲାକ୍ମେଲ୍ କରିବା ଅଭିଯୋଗ ବଳରେ ଏହି ଠକ ଯୋଡ଼ି ଗିରଫ ହୋଇଛନ୍ତି। ଇନ୍ଫୋସିଟି ଥାନାରେ ଦେବେନ୍ଦ୍ର ସାମଲ ଅଭିଯୋଗ କରିବା ପରେ ପୁଲିସ ସେମାନଙ୍କୁ ଗିରଫ କରିଛି। ସିଏସ୍ଆର୍ ପାଣ୍ଠି ବାବଦ କମିସନକୁ ନେଇ ହଂସିକା ଓ ଅନୀଲ୍ ଦେବେନ୍ଦ୍ର କାମ କରୁଥିବା ସଂସ୍ଥାକୁ ବ୍ଲାକ୍ମେଲ୍ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ସମ୍ପର୍କୀୟ ଝିଅ ଓ ଜ୍ବାଇଁ ପରିଚୟ ଦେଇ ଏମାନେ ବିଭିନ୍ନ କର୍ପୋରେଟ୍ ସଂସ୍ଥାକୁ ଠକୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ତେଣୁ ଏହା ଏକ ହାଇପ୍ରୋଫାଇଲ୍ ଠକେଇ ମାମଲା ଭାବେ ବିବେଚନା କରି ପୁଲିସ ସେମାନଙ୍କୁ ଗିରଫ କଲା। ଆଶା କରାଯାଉଥିଲା କି ଏହି ଠକ ଯୋଡ଼ିଙ୍କ ବିଷୟରେ ଆହୁରି କିଛି ଅଭିଯୋଗ ଆସିବ। ଏମିତିକି ଅଭିଯୋଗ ତାଲିକା ବେଶ୍ ଲମ୍ବା ହେବ। ମାତ୍ର ସେମିତି କିଛି ହେଲା ନାହିଁ। ‘ତୁ ତ ମୁତୁରି ମୁଁ ତ ମୁତୁରି...’ ନ୍ୟାୟରେ ଅନ୍ୟ କେହି ଅଭିଯୋଗ କଲେ ନାହିଁ ବୋଲି କୁହାଗଲା। ତେଣୁ ପୁଲିସ ଏହି ଠକ ଯୋଡ଼ିଙ୍କ କଳା ସାମ୍ରାଜ୍ୟର ଭାନୁମତି ପେଡ଼ି ଖୋଲିବାକୁ ସେମାନଙ୍କୁ ରିମାଣ୍ଡ୍ ଆଣିଥିଲା। ଏହା ଭିତରେ ଆୟକର ବିଭାଗ ମଧ୍ୟ ଏମାନଙ୍କ ଆୟର ଉତ୍ସ ସମ୍ପର୍କରେ ଜାଣିବାକୁ ଓଡ଼ିଶା ଓ ଓଡ଼ିଶା ବାହାରେ ୧୨ଟି ଜାଗାରେ ଚଢ଼ଉ କରିଛି। ଏହି ଦିନିକିଆ ରିମାଣ୍ଡ୍ ସରିଛି ଏବଂ ପୁଲିସ କିଛି ସମ୍ପତ୍ତି ଠାବ କରିଥିବା ସୂଚନା ଦେଇଛି। କିନ୍ତୁ ସେମାନଙ୍କ କଳା ସାମ୍ରାଜ୍ୟ ଲିଙ୍କ୍ରେ ଅନ୍ୟ କେଉଁ ଧଳାହସ୍ତୀଙ୍କ ହାତ ରହିଛି, ସେମାନଙ୍କ ମୁଣ୍ଡରେ କାହା ଆଶୀର୍ବାଦ ରହିଛି, ସେଭଳି ବଡ଼ ଗୁମର ବାବଦରେ ପୁଲିସ ମୁହଁ ଖୋଲିନି।
ଆଖି ଝଲସା ଜନ୍ମଦିନ
ବେଶ୍ ହାଇଫାଇ ଲାଇଫ୍ ଷ୍ଟାଇଲ୍ ଥିଲା ହଂସିକା ଓ ଅନୀଲ୍ଙ୍କର। ଆଖି ଝଲସା ଜନ୍ମଦିନ ପାଳନ କରୁଥିଲେ। ସେମାନଙ୍କଠାରୁ ମିଳିଥିବା ଜାଗୁଆର୍, ପୋର୍ସେ, ମର୍ସିଡିଜ୍ ଭଳି ୪ଟି ଦାମୀ କାର୍ର ମୂଲ୍ୟ ୬କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଇଛି। ପ୍ରାୟ ଅଢ଼େଇ କୋଟି ଟଙ୍କା ମୂଲ୍ୟର ପୋର୍ସେ କାର୍କୁ ଅନୀଲ୍ଙ୍କ ଜନ୍ମଦିନ ପାର୍ଟିରେ ହଂସିକା ଉପହାର ଆକାରରେ ଦେଇଥିଲେ। ଏହି ଗାଡ଼ିଟି ନଗଦ କ୍ୟାସ୍ରେ କିଣାଯାଇଥିବା ଜଣାପଡ଼ିଛି। ଉକ୍ତ ଗାଡ଼ିର ନମ୍ବର ବି ଥିଲା ସ୍ବତନ୍ତ୍ର। ହଂସିକାଙ୍କ ସବୁ ଗାଡ଼ିର ନମ୍ବର ଥିଲା ୭୭୭୭। ଏହି ଚଏସ୍ ନମ୍ବର ପାଇଁ ଅତିରିକ୍ତ ଦେୟ ପଇଠ କରୁଥିଲେ। କେବଳ ସେତିକି ନୁହେଁ, ଫ୍ଲାଟ୍ରେ ଜନ୍ମଦିନ ପାର୍ଟି ଧୁମ୍ଧାମରେ ପାଳନ କରାଯାଉଥିଲା ଏବଂ ଫ୍ଲାଟ୍ ବାସିନ୍ଦାମାନଙ୍କୁ ରୁପାର ଗଣେଶ ମୂର୍ତ୍ତି( ପ୍ରତ୍ୟେକର ଦାମ୍ ୩୦୦୦ ଟଙ୍କା) ଉପହାର ଆକାରରେ ବଣ୍ଟାଯାଉଥିଲା। ରିମାଣ୍ଡ୍ ସମୟର ଜେରାରୁ ଏଭଳି ଆଖି ତରାଟି ହୋଇଯିବା ଭଳି ତଥ୍ୟ ପୁଲିସର ହସ୍ତଗତ ହୋଇଛି।
ମାତ୍ର ଚାରି ବର୍ଷରେ ଅଚଳାଚଳ ସମ୍ପତ୍ତି
ପ୍ରାୟ ୪/୫ ବର୍ଷ ଭିତରେ ଏହି ଠକ ଯୋଡ଼ି ଅଚଳାଚଳ ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ସେମାନଙ୍କ ୪ଟି ଫ୍ଲାଟ୍ର ମୂଲ୍ୟ ୭କୋଟି ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଛି। ପଟିଆ ରଘୁନାଥପୁରସ୍ଥିତ ନାମୀ ଆପାର୍ଟମେଣ୍ଟ୍ରେ ପ୍ରଥମ ସ୍ବାମୀ ସରୋଜ ସାହୁ, ହଂସିତା ଓ ଅନୀଲ୍ଙ୍କ ଦଖଲରେ ୩ଟି ଫ୍ଲାଟ୍ ରହିଛି। ସେହିଭଳି ପଟିଆ ତାରିଣୀନଗରସ୍ଥିତ ଏସ୍ବି଼ଡି ଆପାର୍ଟମେଣ୍ଟ୍ରେ ଅନୀଲଙ୍କର ଆଉ ଏକ ଫ୍ଲାଟ୍ ରହିଛି, ଯେଉଁଠି ତାଙ୍କର କାର୍ଯ୍ୟାଳୟ ଚାଲିଛି। ଅନୀଲ୍ ଓ ହଂସିତା ରହୁଥିବା ଫ୍ଲାଟ୍ର ଇଣ୍ଟେରିୟର୍ ଡିଜାଇନ୍ ଓ ଡେକୋରେସନ୍ ମଧ୍ୟ ବେଶ୍ ଦାମୀ। ପ୍ରତ୍ୟେକ ଫ୍ଲାଟ୍ରେ ପାଖାପାଖି କୋଟିଏ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଥିବା ଆକଳନ କରାଯାଇଛି। ସେହିଭଳି ଫ୍ଲାଟ୍ଗୁଡ଼ିକର ଡୋର୍ ଲକ୍ ବ୍ୟବସ୍ଥା ମଧ୍ୟ ଦାମୀ। କୋଉଠି ସେନ୍ସର୍ ଲକ୍ ତ କେଉଁଠି ଫିଙ୍ଗର୍ ପ୍ରିଣ୍ଟ୍ ସଂଯୁକ୍ତ। ସୂଚନାଯୋଗ୍ୟ ଯେ ଗୁରୁଗ୍ରାମରେ ହଂସିକାଙ୍କର ଏକ ଫାର୍ମହାଉସ୍ ରହିଛି ବୋଲି ପୂର୍ବରୁ ପୁଲିସ ସୂଚନା ଦେଇସାରିଥିଲା।
୪ କମ୍ପାନିରୁ କୋଟି କୋଟି ଆୟ
ସେମାନଙ୍କ ପରିଚାଳନାରେ ୪ଟି କମ୍ପାନି କାମ କରୁଥିବା ତଦନ୍ତରୁ ଜଣାପଡ଼ିଛି। ଗୋଟିଏ ହଂସିତାଙ୍କ ପ୍ରଥମ ସ୍ବାମୀ ସରୋଜ ସାହୁଙ୍କ ନାଁରେ ଥିବା ବେଳେ ଗୋଟିଏ ଦ୍ବିତୀୟ ସ୍ବାମୀ ମନୋଜ ଆଚାର୍ଯ୍ୟଙ୍କ ନାଁ ରେ ଓ ବାକି ୨ଟି ଅନୀଲ୍-ହଂସିକାଙ୍କ ଯୁଗ୍ମ ପରିଚାଳନାରେ ରହିଛି। କମ୍ପାନିଗୁଡ଼ିକର ୪ଟି ଆକାଉଣ୍ଟ ରହିଛି ଏବଂ ସେମାନଙ୍କ ତିନିଟି ବ୍ୟକ୍ତିଗତ ଆକାଉଣ୍ଟ ଅଛି। ସମସ୍ତ ୭ ଆକାଉଣ୍ଟକୁ ନେଇ ପୁଲିସ ଓ ଆୟକର ବିଭାଗ ଯାଞ୍ଚ ଚଳାଉଛନ୍ତି। ଏହି କମ୍ପାନିମାନଙ୍କ ମଧ୍ୟରୁ ଗୋଟିଏ ବୋକାରୋସ୍ଥିତ ଏକ ପ୍ରତିଷ୍ଠିତ ଷ୍ଟିଲ୍ ପ୍ଲାଣ୍ଟ୍ର ସିଏସ୍ଆର୍ ପାଣ୍ଠି ପରିଚାଳନା କରୁଥିବା ଜଣାପଡ଼ିଛି। ସେହିଭଳି ହଂସିକାଙ୍କ ଦୁଇ ସ୍ବାମୀ ସରୋଜ ଓ ମନୋଜଙ୍କ ନାଁରେ ଥିବା ୨ କମ୍ପାନି ମଧ୍ୟ ଅନ୍ୟ କେତୋଟି ଇସ୍ପାତ କାରଖାନାର ସିଏସ୍ଆର୍ ପାଣ୍ଠି ବଣ୍ଟନ ବ୍ୟବସ୍ଥା ବୁଝାସୁଝା କରୁଥିବା ଜଣାପଡ଼ିଛି। ଅନୀଲଙ୍କ ପରିଚାଳନାରେ ଥିବା ସଂସ୍ଥା ହେଉଛି ଅନୀଲ ମହାନ୍ତି କମ୍ପାନି ଓ ହାର୍ଦିଵିକ୍ ଇନ୍ଫ୍ରା ପ୍ରାଇଭେଟ୍ ଲିମିଟେଡ୍। ମନୋଜ ଆଚାର୍ଯ୍ୟଙ୍କ ନାଁରେ ରହିଛି ସୀମାଞ୍ଚଳ ଆଚାର୍ଯ୍ୟ କମ୍ପାନି। ସରୋଜଙ୍କ ନାଁରେ ଥିବା ସଂସ୍ଥାର ନାଁ ସାଇ ଆସ୍। ୩ କମ୍ପାନିର ଜିଏସ୍ଟି ରେକର୍ଡପତ୍ର ରହିଛି ଏବଂ ଗୋଟିଏ ଆର୍ଓସିରେ ପଞ୍ଜୀକୃତ ହୋଇଛି। ପ୍ରତ୍ୟେକ କମ୍ପାନି ବାର୍ଷିକ ୧୫ କୋଟିରୁ ୨୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି। ସେହିଭଳି କିଛି ଆକାଉଣ୍ଟ୍ରୁ ଅନେକ ବେନାମୀ ଦେଣନେଣ ହୋଇଥିବା ସନ୍ଦେହ କରାଯାଇଛି ଏବଂ ସେନେଇ ଖୋଳତାଡ଼ ଚାଲିଛି।