ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ: ପାଲଟା ଅଭିଯୋଗ ଆଣିଲେ ପତ୍ନୀ, ଅନ୍ୟ ଝିଅ ସହ ଥିଲା ସୌମ୍ୟରଞ୍ଜନଙ୍କ ସଂପର୍କ

ସ୍ବାମୀ-ସ୍ତ୍ରୀଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ୍‌, ପାରଳାଖେମୁଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ

କପ୍ତିପଦା/ପାରଳାଖେମୁଣ୍ଡି: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। ଏହି ମାମଲାରେ ପାରଳାଖେମୁଣ୍ଡି ପୁଲିସ୍‌ ମାରାଥନ୍‌ ଜେରା କରିଥିବା ବେଳେ ପାଲଟା ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଭାରତୀ। ଅନ୍ୟ ଝିଅ ସହ ସୌମ୍ୟରଞ୍ଜନଙ୍କ ସମ୍ପର୍କ ଥିଲା ଏବଂ ପ୍ରମାଣ ଭାବେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଏକ ଅଡିଓ ରେକର୍ଡିଂକୁ ଦର୍ଶାଇଛନ୍ତି। ବିଦ୍ୟାଭାରତୀଙ୍କ ଅଭିଯୋଗ ତଦନ୍ତର ଗତିକୁ କି ମୋଡ଼ଦେବ ତାହା ଭିନ୍ନକଥା। ମାତ୍ର, ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

ସୌମ୍ୟରଞ୍ଜନଙ୍କ ପୂରା ପରିବାର ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରୁଥିବା ବେଳେ ଗଲା ୫ ଦିନ ଧରି ଚୁପ୍ ରହିଥିବା ବିଦ୍ୟାଭାରତୀ ଆଜି ଗଣମାଧ୍ୟମ ସମ୍ମୁଖକୁ ଆସି ଶ୍ୱଶୁର ଘରର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏମିତିକି ସୌମ୍ୟରଞ୍ଜନଙ୍କ ଅନ୍ୟ ଝିଅ
ସହିତ ସଂପର୍କ ଥିଲା ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଏକ ଅଡିଓ ରେକର୍ଡିଂକୁ ପ୍ରମାଣ ଭାବେ ଦର୍ଶାଇ ବିଦ୍ୟାଭାରତୀ କହିଛନ୍ତି, ବାହାଘରର ୩ ମାସ ଯାଏ ସବୁ ଠିକ୍‌ଠାକ୍‌ ଚାଲିଥିଲା। ଦିନେ ବିଦ୍ୟାଭାରତୀ ତାଙ୍କ (ସୌମ୍ୟରଞ୍ଜନ) ନିକଟରେ ବସିଥିବା ବେଳେ ଏକ ଅଜଣା ନମ୍ୱରରୁ ସୌମ୍ୟରଞ୍ଜନଙ୍କ ମୋବାଇଲକୁ ଏକ କଲ୍ ଆସିଥିଲା। କଲ୍‌ଟିକୁ ଦେଖି ସୌମ୍ୟରଞ୍ଜନ ହଡ଼ବଡ଼େଇ ଯିବାସହ କୌଣସି ପ୍ରୋଜେକ୍ଟ ନେଇ କେହି ଜଣେ କଥା ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ। ବିଦ୍ୟାଭାରତୀ ତାଙ୍କୁ ଫୋନ୍ ରିସିଭ୍ କରିବା ପାଇଁ କହିବା ସହିତ ଇଅର୍ ଫୋନଟି ନିଜ କାନରେ ଲଗାଇବାରୁ ସେପଟୁ ଜଣେ ଝିଅ ‘କଣ ସୌମ୍ୟ ଏତେ ଦିନ ହେଲାଣି ଫୋନ୍‌ଫାନ୍ କରୁନ, ଭୁଲିଗଲଣି ନା କ’ଣ କହୁଥିବା ଶୁଣିବାକୁ ପାଇଥିଲେ। ଏହାପରେ ସୌମ୍ୟରଞ୍ଜନ ସଙ୍ଗେ ସଙ୍ଗେ ଇଅର୍ ଫୋନ୍‌ଟି ତାଙ୍କଠୁ ଛଡ଼ାଇ ନେଇଥିଲେ। ଏମିତିକି ସୌମ୍ୟରଞ୍ଜନଙ୍କ ମୋବାଇଲ୍‌ରୁ ଅଜଣା ନମ୍ୱରକୁ ‘ଆଇ ଲଭ୍ ୟୁ ମେସେଜ୍ ପଠାଯାଇଥିବା ପୂର୍ବରୁ ସେ ଦେଖିଥିବା କହିଛନ୍ତି। ଏ ନେଇ ସୌମ୍ୟରଞ୍ଜନଙ୍କ ମୋବାଇଲ୍ ଯାଞ୍ଚ କରିବାକୁ ଅନେକଥର ଚାହିଁଥିଲେ ସୁଦ୍ଧା ସୌମ୍ୟ ସଙ୍ଗେ ସଙ୍ଗେ ନିଜ ପାସ୍‌ୱାର୍ଡ ବଦଳାଇ ଦେଉଥିଲେ। ଏହାସତ୍ତ୍ୱେ ସୌମ୍ୟରଞ୍ଜନଙ୍କ ସହିତ ତାଙ୍କର ସମ୍ପର୍କ ଖୁବ୍‌ଭଲ ଥିଲା ବୋଲି କହିଛନ୍ତି ବିଦ୍ୟାଭରତୀ।

ଘଟଣାଦିନ ଆମ୍ବୁଲାନ୍ସ ଅଟକିବା ଘଟଣାକୁ ବିଦ୍ୟାଭାରତୀ ଖଣ୍ଡନ କରିବା ସହିତ ଟଙ୍କା ଦରକାର ହେବାରୁ ସେ ସରକାରୀ ବଙ୍ଗଳାକୁ ପୁନର୍ବାର ଆସି ସୌମ୍ୟଙ୍କ ଏଟିଏମ୍, ପର୍ସ, ବେଡ୍‌ସିଟ୍ ଆଣିଥିଲେ ବୋଲି କହିଛନ୍ତି। ଏହାଛଡ଼ା ତାଙ୍କ ଶାଶୂ ତୁଳସୀ ମହାପାତ୍ର ବଲାଙ୍ଗୀରରେ ବ୍ୟାଚଲର୍‌ ପାର୍ଟି କରିଥିବା ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା ମଧ୍ୟ ଗଣମାଧ୍ୟମ ଆଗରେ ସମୁଦି ଘର ସହିତ ତାଙ୍କର ଉତ୍ତମ ସମ୍ପର୍କ ଥିବା ପ୍ରକାଶ କରି ‘ମୋ ଜ୍ୱାଇଁ ଦେବତା’ ବୋଲି କହିଥିଲେ।

ଅପରପକ୍ଷେ ତାଙ୍କ ପୁଅର ଅନ୍ୟ ଝିଅ ସହ ସଂପର୍କ ଥିବା କଥାକୁ ଅସ୍ବୀକାର କରିଛନ୍ତି ସୌମ୍ୟରଞ୍ଜନଙ୍କ ମା’ ତୁଳସୀ ମହାପାତ୍ର ଓ ବାପା ଅଭିରାମ ମହାପାତ୍ର। ଏହା ବିଦ୍ୟାଭାରତୀଙ୍କ ଆଉ ଏକ ନୂଆ କାହାଣୀ। କେବଳ ତଦନ୍ତକୁ ବାଟବଣା କରିବା ପାଇଁ ଏଭଳି ପ୍ରାୟୋଜିତ କଥା କୁହାଯାଉଛି ବୋଲି ଦୁହେଁ କହିଛନ୍ତି। ବୋହୂ ବିଦ୍ୟାଭାରତୀ, ଡିଏଫ୍‌ଓ, ରୋଷେୟା ତିନିଜଣଙ୍କୁ ଏକାଠି ଓ ପୃଥକ୍‌ ଜେରା ସହିତ ତିନିଜଣଙ୍କର ପଲିଗ୍ରାଫ୍‌ ଟେଷ୍ଟ (ମିଛଧରା ପରୀକ୍ଷା), ଫରେନସିକ୍ ଟେଷ୍ଟ ଏବଂ ପୁଲିସ ତଦନ୍ତରୁ ସତକଥା ନିଶ୍ଚୟ ପଦାକୁ ଆସିବ ବୋଲି ସୌମ୍ୟରଞ୍ଜନଙ୍କ ବାପା, ମା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କପ୍ତିପଦା ଆସିଥିବା ପାରଳାଖେମୁଣ୍ଡି ପୁଲିସର ୬ ଜଣିଆ ତଦନ୍ତକାରୀ ଟିମ୍ ଆଜି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, ତାଙ୍କ ବାପା ଶ୍ରୀହରି ପଣ୍ତା ଓ ମାଆ ବିଦ୍ୟୁତ୍‌ଲତା ପଣ୍ତାଙ୍କୁ ଦୀର୍ଘ ୪ ଘଣ୍ଟା ଧରି ପଚରାଉଚୁରା କରିଛନ୍ତି। ଗତକାଲି ଜେରା ଶେଷ ହୋଇ ନଥିବାରୁ ଆଜି ଦିନ ପ୍ରାୟ ୧୧ଟା ବେଳେ ତଦନ୍ତକାରୀ ଟିମ୍ ବିଦ୍ୟାଭାରତୀଙ୍କ ଗୌଡ଼ଗାଁସ୍ଥିତ ବାପଘରେ ଆସି ପହଞ୍ଚିଥିଲେ। ଜେରାବେଳେ ବିଦ୍ୟାଭାରତୀଙ୍କ ନିକଟରୁ ଏକ ଚିଠି ଜବତ କରାଯାଇଛି। ଗତକାଲି ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ମୋବାଇଲ୍‌କୁ ଜବତ କରିଥିଲା ପୁଲିସ।

ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍‌ ଆଜି ଅପରାହ୍ନରେ ଆସି ପାରଳାରେ ପହଞ୍ଚିଛନ୍ତି। ଡିଏସ୍‌ପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ୪ଜଣିଆ କ୍ରାଇମବ୍ରାଞ୍ଚ ଦଳ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ସେମାନେ ପାରଳା ଥାନାରେ ରୁଜୁ ହୋଇଥିବା ମାମଲାର ବିବରଣୀ ସଂଗ୍ରହ ଆରମ୍ଭ କରିଛନ୍ତି। ବାଲେଶ୍ବର ଓ ମୟୂରଭଞ୍ଜ ଯାଇଥିବା ପାରଳା ପୁଲିସ ଦଳ ସେଠାରେ ତଦନ୍ତ ସାରି ଫେରିବା ପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଜ୍‌ ଟିମ୍‌ ଅପେକ୍ଷା କରିବେ ଏବଂ ବିଭିନ୍ନ ଦିଗରୁ ତଦନ୍ତ ଧାରାକୁ ଆଗେଇ ନେବେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର