ଦଉଡ଼ିର ନାମ ସ୍ବର୍ଣ୍ଣଚୂଡ଼: ଦର୍ପଦଳନ ରଥ ୪୪ ଫୁଟ ୬ ଇଞ୍ଚ

ଦର୍ପଦଳନରେ ବିରାଜନ୍ତି ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନ

ପୁରୀ: ବିଧି ଅନୁଯାୟୀ ତିନି ରଥର ନିର୍ମାଣ ଶୈଳୀ ଯେପରି ଭିନ୍ନ, ବିରାଜମାନ କରୁଥିବା ପାର୍ଶ୍ବ ଦେବଦେବୀ ମଧ୍ୟ ଭିନ୍ନ। ଦେବୀ ସୁଭଦ୍ରାଙ୍କ ରଥର ନାମ ଦର୍ପଦଳନ। ରଥର ଅଧିଶ୍ବର ଦେବତା ହେଲେ ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ। ଦେବୀଙ୍କ ରଥର ଉଚ୍ଚତା ୪୪ ଫୁଟ ୬ଇଞ୍ଚ। ମୋଟ୍‌ ୫୯୩ ଖଣ୍ଡ କାଠରେ ଏହା ନିର୍ମିତ ବୋଲି ଉଲ୍ଲେଖ ରହିଛି।

ଅନ୍ୟ ଗବେଷକଙ୍କ ମତରେ, ୭୧୧ ଖଣ୍ଡ କାଠରେ ରଥ ନିର୍ମିତ ହୋଇଥାଏ। ରଥର ଚକ ସଂଖ୍ୟା ୧୨। ରଥ ଚକର ନାମ ଦୀପ୍ତ। ଦେବୀଙ୍କ ରଥର ରକ୍ଷକ ଜୟଦୁର୍ଗା। ମା’ ସୁଭଦ୍ରାଙ୍କ ରଥ ଧ୍ବଜାରେ ତ୍ରିପୁରାସୁନ୍ଦରୀ ବିରାଜମାନ କରନ୍ତି। ରଥର ଆବରଣ କୃଷ୍ଣ ଓ ଲୋହିତ ବର୍ଣ୍ଣ। ରଥରେ ଚାମର ସେବା କରନ୍ତି ସୁମେଧା ଦେବୀ। ଆୟୁଧ ହେଉଛି ପଦ୍ମ କହ୍ଲାର। ରଥ ପୀଠର ନାମ କାମ୍ପଲ୍ୟ। ରଥର ସାରଥିଙ୍କ ନାମ ଅର୍ଜନୁ। ମତାନ୍ତରେ ଦେବଦତ୍ତ ଓ ସାତ୍ତ୍ବକୀ। ରଥ ଅଶ୍ବର ରଙ୍ଗ ରକ୍ତ ବର୍ଣ୍ଣ। ଅଶ୍ବମାନଙ୍କ ନାମ ହେଉଛି ରୋଚିକା, ମୋଚିକା, ଜିତା, ଅପରାଜିତା। ଭିନ୍ନ ମତରେ ପ୍ରଜ୍ଞା, ଅନୁଜ୍ଞା, ଘୋରା ଓ ଅଘୋରା। ରଥର ଋଷି ହେଉଛନ୍ତି ଯାଜ୍ଞ ବଳ୍‌କ୍ୟ। ରଥ ମୁହଁରେ ରୁହନ୍ତି ବ୍ରହ୍ମବର୍ତ୍ତା। ରଥର ରକ୍ଷୟିତ୍ରୀ ହେଉଛନ୍ତି ଉଗ୍ରଚଣ୍ଡୀ। ରଥର ଦେବୀ ହେଉଛନ୍ତି ଶ୍ରୀ ଓ ଭୂ। ରଥ ଯକ୍ଷ କିଂଜ୍ବଳିକା। ରଥର ଶକ୍ତି ହେଉଛନ୍ତି ଶକ୍ତିସପ୍ତା, ଜୟା, ବିଜୟା, ଘୋରା, ଅଘୋରା, ସୂକ୍ଷ୍ମା ଓ ଜ୍ଞାନା।

ଋଷିପଟାରେ ଭୃଗୁ, ସୁପ୍ରଭ, ବଜ୍ର, ଶୃଙ୍ଗୀ, ଧ୍ରୁବ, ଉଲ୍ଲୁକ ଓ ପ୍ରବର୍ତ୍ତକ ଋଷି ମଣ୍ଡଳ ରୁହନ୍ତି। ରଥର କୁମ୍ଭ ହେଉଛି ଅମୃତ, ଜୀବା ଓ କାୟା। ରଥର ଦ୍ବାରପାଳ ହେଉଛନ୍ତି ଗଙ୍ଗା ଓ ଯମୁନା। ଗନ୍ଧର୍ବଙ୍କ ନାମ ହା ହା। ଚାରଣଙ୍କ ନାମ ମହାକ୍ରୁର। ରଥର ରତ୍ନ ହେଉଛି ମାଣିକ୍ୟ। ନେତର ନାମ ନାଦାମ୍ବିକା। ରଥକାଳ କାଳନେମୀ। କଳସ ଉପରେ ଥିବା ଶୂନ୍ୟ ଚକ୍ରର ନାମ ସୁଦର୍ଶନ। ରଥର ଶକ୍ତି ହେଉଛନ୍ତି ଚନ୍ଦ୍ରଘଣ୍ଟା। ଦଧିନଉତି ଉପରେ ଥିବା କଳସ ତ୍ରୟର ନାମ ପରା, ଅପରା ଓ ବୈଖାରୀ। ରଥ ଦଉଡ଼ିର ନାମ ସ୍ବର୍ଣ୍ଣଚୂଡ଼ ନାମକ ନାଗ। ରଥପାଳ ହେଉଛନ୍ତି ହରିହର। ଏହି ରଥ ବିଶ୍ବାସ ପୂର୍ବକ ଦର୍ଶନରେ ମନୁଷ୍ୟର ଦର୍ପନାଶ ପୂର୍ବକ ସମସ୍ତ ରୋଗ ସନ୍ତାପ ନାଶ ହୋଇଥାଏ ବୋଲି ବିଶ୍ବାସ ରହିଛି।

ସମ୍ବନ୍ଧିତ ଖବର