ସମ୍ବଲପୁର/ବାମରା : ଗାଁ ଟିର ନୂଆ ନାଁ ଲେଖା ଯାଇଥିବା ଲୁହା ଫଳକରେ ଇତି ମଧ୍ୟରେ କଳଙ୍କି ଲାଗି ଗଲାଣି। ଝାପ୍ସା ଦେଖା ଯାଉଥିବା ସେହି ଫଳକ ଭିତରେ କେବଳ ମଳିନ ପଡ଼ି ଯାଇନି ‘ରଂଗବତୀ ବିଲୁଙ୍ଗ, ବରଂ ବର୍ଷେ ତଳେ ଏହି ନୂଆ ନାଁକୁ ନେଇ ସୃଷ୍ଟ ସମସ୍ତ ଆଶା ଓ ସ୍ବପ୍ନ ବି ଝାଁଉଳିବାକୁ ବସିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ, ବାମରା ବ୍ଲକ, ଜରାବଗା ପଞ୍ଚାୟତ ଅନ୍ତର୍ଗତ ‘ବିଲୁଙ୍ଗ ଗାଁକୁ ଗତ ବର୍ଷ ଜୁଲାଇ ୨୨ ତାରିଖରେ ‘ରଂଗବତୀ ବିଲୁଙ୍ଗ ଭାବେ ପୁନଃ ନାମକରଣ କରାଯାଇଥିଲା। ସରକାରୀ ଭାବେ କାଗଜପତ୍ରରେ ଏହି ରାଜସ୍ବ ଗ୍ରାମର ନାମ ରଖା ଯାଇଥିଲା ‘ରଂଗବତୀ ବିଲୁଙ୍ଗ।
Twitterବିଶ୍ବ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଂଗବତୀ ଓ ଏହାର ରଚୟିତା ମିତ୍ରଭାନୁ ଗୌନ୍ତିଆଙ୍କୁ ସମ୍ମାନ ଦେବା ପାଇଁ ୨୦୦୪ ମସିହାରୁ ବିଲୁଙ୍ଗ ଗ୍ରାମବାସୀ ଗାଁ'ଟିର ନାମ ‘ରଂଗବତୀ ବିଲୁଙ୍ଗ ରଖିବାକୁ ଦାବି କରିଥିଲେ। ଗ୍ରାମବାସୀଙ୍କ ଦାବି ପଞ୍ଚାୟତରୁ ପଞ୍ଚାୟତ ସମିତିକୁ ଗଲା। ଏହାପରେ ଉକ୍ତ ପ୍ରସ୍ତାବ ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ, ଆର୍ଡିସିଙ୍କ ଦେଇ ବୋର୍ଡ ଅଫ୍ ରେଭିନ୍ୟୁରେ ପହଞ୍ଚିଥିଲା। ବୋର୍ଡ ଅଫ୍ ରେଭିନ୍ୟୁ ପକ୍ଷରୁ ରାଜ୍ୟ ରାଜସ୍ବ ବିଭାଗକୁ ଏନେଇ ପ୍ରସ୍ତାବ ଦିଆ ଯାଇଥିଲା। ବିଭାଗ ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଲୋଡ଼ା ଯାଇଥିଲା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସ୍ବୀକୃତି ଦେଇଥିଲେ। ଏହାପରେ ବିଭାଗ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଥିଲେ। ସବୁ ସ୍ତରରେ ପ୍ରସ୍ତାବକୁ ସମର୍ଥନ ମିଳିବା କାରଣରୁ ଶେଷରେ ତାହା ପୂରଣ ହୋଇଥିଲା। ସେହି ଅବସରରେ ନିଜ ପ୍ରତିକ୍ରିୟା ରଖି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ କହିଥିଲେ ଗାଁର ନାମ ପରିବର୍ତ୍ତନ କରି ରାଜ୍ୟ ଓ କେନ୍ଦ୍ର ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି। ତେଣୁ ତାଙ୍କ ଗାଁ'ର ବିକାଶ ପାଇଁ ମଧ୍ୟ ସେହିଭଳି ପଦକ୍ଷେପ ନେବେ ବୋଲି ଆଶା ପୋଷଣ କରିଥିଲେ। ତାଙ୍କ ଗାଁ'ରେ ରଂଗବତୀ ଭବନ ନାମକ ଏକ ଭବନ ନିର୍ମାଣ କରି ଉକ୍ତ ଭବନରେ କଳା, ସଂସ୍କୃତି, କ୍ରୀଡ଼ାର ପ୍ରୋତ୍ସାହନ ପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା କରିବେ ବୋଲି ଶ୍ରୀ ଗୌନ୍ତିଆ ଆଶା ବ୍ୟକ୍ତ କରିଥିଲେ।
/sambad/media/post_attachments/wp-content/uploads/2021/07/rangabavi-v1.jpg)
ଆଜି ଏହି ଗାଁ'ର ନୂଆ ନାମକରଣକୁ ଠିକ୍ ବର୍ଷେ ପୂରିଛି। ଗାଁର ନାଁ ବଦଳି ଯାଇଛି ସିନା ଏହାର ଚିତ୍ର ଅପରିବର୍ତ୍ତିତ ରହିଛି। ସେଦିନ ବିକାଶର ସ୍ବପ୍ନ ଦେଖିଥିବା ଶ୍ରୀ ଗୌନ୍ତିଆ ଓ ସେହି ଗ୍ରାମବାସୀ ଆଜି ତାଙ୍କ ଗାଁକୁ ସରକାର ଭୁଲି ଯାଇଥିବା ନେଇ ଅବସୋସ ବ୍ୟକ୍ତ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଏହି ଗାଁର ରାସ୍ତାଘାଟ ଭଲ ନାହିଁ। ପଞ୍ଚାୟତ ମହାବନ୍ଧ କହା ଯାଉଥିବା ଗାଧୁଆ ପୋଖରୀ ରାସ୍ତାରେ ବର୍ଷା ଦିନେ ଚାଲି ହୁଏ ନାହିଁ। ରୋହିଦାସପଡ଼ାରୁ କିସାନ୍ପଡ଼ାକୁ ୨୦୦ ମିଟର୍ ଆଦୌ ରାସ୍ତା ନାହିଁ କହିଲେ ଚଳେ। ପାନୀୟ ଜଳ ପାଇଁ ଓଭର୍ ହେଡ୍ ଟ୍ୟାଙ୍କ ଅଛି, କିନ୍ତୁ ଜଳଯୋଗାଣ ହେଉ ନାହିଁ। ଗାଁ'ର କ୍ଲବ୍ ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରଂଗବତୀ ଭବନ ନିର୍ମାଣ ଦାବି ଦାବିରେ ହିଁ ରହିଯାଇଛି। ଗାଁ'କୁ ବିଏସ୍ଏନ୍ଏସ୍ ମୋବାଇଲ୍ ସେବା ୩ ମାସ ହେଲା ଠପ୍ ହୋଇ ପଡ଼ିଛି। ପୋଲଟେ ଅଧା ତିଆରି ହୋଇ ପଡ଼ି ରହିଛି ଯେ ତା'କୁ ପୂରା କରିବାକୁ କେହି ଧ୍ୟାନ ଦେଉ ନାହାନ୍ତି। ଗାଁରେ ଏକ ଖେଳ ପଡ଼ିଆ ଥିଲେ ବି ଅସଜଡ଼ା ଅବସ୍ଥାରେ ପଡ଼ି ରହିଛି। ହକିର ଶକ୍ତି କେନ୍ଦ୍ର କହା ଯାଉଥିବା ସୁନ୍ଦରଗଡ଼ ଜିଲ୍ଲାର ସୀମାରେ ଅବସ୍ଥିତ ଏହି ଅଞ୍ଚଳରେ ହକି, ଫୁଟବଲ୍ ଆଦି ଖେଳର ବିକାଶ ଦିଗରେ ବି ପଦକ୍ଷେପ ନିଆଯାଇ ପାରନ୍ତା ବୋଲି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ମତ ଦେଇଛନ୍ତି। ପଦ୍ମଶ୍ରୀ ଗୌନ୍ତିଆଙ୍କ ଉଦ୍ୟମରେ ଗାଁରେ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ୍ଟିଏ ସ୍ଥାପିତ ହୋଇ ଭଲ ପାଠପଢ଼ା ହେଉଛି। ଏହାଛଡ଼ା ସେବାଶ୍ରମ ସ୍କୁଲ, ନିକଟସ୍ଥ ଜରାବଗାରେ ସ୍କୁଲ୍, କଲେଜ୍, ସ୍ବାସ୍ଥ୍ୟ କେନ୍ଦ୍ର ଆଦି ପୂର୍ବରୁ ରହିଛି। ହେଲେ ସବୁ ଅନୁଷ୍ଠାନରେ ଉପଯୁକ୍ତ ସଂଖ୍ୟାରେ ଶିକ୍ଷକ, ଡାକ୍ତର ଆଦି ନାହାନ୍ତି। ଏସବୁ ପ୍ରତି ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରନ୍ତି। 'ରଂଗବତୀ ବିଲୁଙ୍ଗ'କୁ ନୂଆଁ ନାଁ ଦେଇ ଐତିହାସିକ ପଦକ୍ଷେପ ନେଇଥିବା ରାଜ୍ୟ ଓ କେନ୍ଦ୍ର ସରକାର ଏହି ଗାଁ'କୁ ଏକ ଆଦର୍ଶ ଓ ଦୃଷ୍ଟାନ୍ତମୂଳକ ଗାଁ ଭାବେ ଗଢ଼ି ତୋଳିବା ଦିଗରେ ନିଜ ପ୍ରତିବଦ୍ଧତା ଦେଖାନ୍ତୁ ବୋଲି ସବୁ ମହଲରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/rangabati-bilinga-bm.jpg)