ଜାତୀୟ କୃଷି ବିକାଶ ଯୋଜନା ଦିଗହରା

୮ କୋଟିର ୟୁସି ବାକି, ଅନୁପଯୋଗୀ ହୋଇପଡ଼ିଛି ୫୪ କୋଟି ୫୫ ଲକ୍ଷ
ବିଫଳ ହୋଇଗଲା ଆଳୁ ପ୍ରୋତ୍ସାହନ କାର୍ଯ୍ୟକ୍ରମ

ଭୁବନେଶ୍ବର : ଦିଗହରା ହୋଇପଡ଼ୁଛି ଜାତୀୟ କୃଷି ବିକାଶ ଯୋଜନା। ୨୦୧୩ରୁ ୨୦୧୯ ମଧ୍ୟରେ ଏହି ଯୋଜନା ଅନ୍ତର୍ଗତ କାର୍ଯ୍ୟକାରୀ କରାଯାଇଥିବା ଉଦ୍ୟାନ ବିଭାଗର ବିଭିନ୍ନ ପ୍ରକଳ୍ପର ସଫଳ ରୂପାୟନ ହୋଇପାରୁନି। ଆଳୁ, କନ୍ଦମୂଳ, ପିଆଜ ସମେତ ବିଭିନ୍ନ ପ୍ରକାର ପରିବାରେ ଓଡ଼ିଶା ସ୍ବାବଲମ୍ବୀ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଉଛି ସିନା, କିନ୍ତୁ ଉପଯୁକ୍ତ ଭାବରେ ଯୋଜନା କାର୍ଯ୍ୟକାରୀ ହୋଇ ପାରୁନଥିବାରୁ ଲକ୍ଷ୍ୟ ପୂରଣ ହୋଇ ପାରୁନି। ଏହି ଯୋଜନାରେ ୮ କୋଟିରୁ ଊର୍ଧ୍ବ ଟଙ୍କାର ବିନିଯୋଗପତ୍ର ଦାଖଲ ହୋଇ ନଥିବାରୁ ୫୪ କୋଟି ୫୫ ଲକ୍ଷ ଟଙ୍କା ଅନୁପଯୋଗୀ ହୋଇ ପଡ଼ିଛି। ଏହି ବିନିଯୋଗପତ୍ର ଦାଖଲ କରାଗଲେ କେନ୍ଦ୍ର ସରକାରଙ୍କ ପାଣ୍ଠି ଆସିପାରିବ ବୋଲି ଉଦ୍ୟାନ ବିଭାଗ ଉପନିର୍ଦେଶକ ଏବଂ ସହକାରୀ ନିର୍ଦେଶକଙ୍କୁ ଚିଠି କରିଛନ୍ତି ନିର୍ଦେଶକ ।

Skymet Weather

ଜାତୀୟ କୃଷି ବିକାଶ ଯୋଜନାର ସହାୟତାରେ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିଲା ଶୀତଳ ଭଣ୍ଡାର କେନ୍ଦ୍ରୀକ ଆଳୁ ପ୍ରୋତ୍ସାହନ କାର୍ଯ୍ୟକ୍ରମ। ଏଥିପାଇଁ ୩କୋଟି ୭୮ ଲକ୍ଷ ୭୫ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏକ ବର୍ଷ ମଧ୍ୟରେ ଯୋଜନା କାର୍ଯ୍ୟକାରୀ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଆଳୁ ଚାଷୀଙ୍କୁ ଚାଷ ପାଇଁ ଇନପୁଟ୍‌ ସବ୍‌ସିଡି ପ୍ରଦାନ କରାଯାଇ ରାଜ୍ୟକୁ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ କରାଯିବାର ଉଦ୍ଦେଶ୍ୟ ରହିଥିଲା। ଯୋଜନା ଖସଡ଼ା ପ୍ରସ୍ତୁତ ବେଳେ କୁହାଯାଇଥିଲା, ଓଡ଼ିଶାର ମାଟି ଆଳୁ ଉତ୍ପାଦନ ପାଇଁ ଉପଯୁକ୍ତ। ରବି ଋତୁରେ ସମସ୍ତ ଜିଲ୍ଲାରେ ଆଳୁ ହୁଏ। କୋରାପୁଟ, କନ୍ଧମାଳରେ ଖରିଫରେ ବି ଏହା ଉତ୍ପାଦିତ ହୋଇ ପାରୁଛି। ପୁରୀ, କଟକ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର ଏବଂ କୋରାପୁଟ ଆଳୁ ଚାଷରେ ଅଗ୍ରଣୀ ହେଲାଣି। ଏହା ସତ୍ତ୍ବେ ଓଡ଼ିଶାର ନିଜ ଆବଶ୍ୟକତାର ମାତ୍ର ୨୦ ପ୍ରତିଶତ ହିଁ ଆଳୁ ଉତ୍ପାଦନ କରିପାରୁଛି। ଏଥିଯୋଗୁଁ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ୁଛି, ଏହାର ପରିଣାମ ସ୍ବରୂପ ଆଳୁର ବଜାର ଦର ୫୦ ଟଙ୍କାକୁ ବି ପହଞ୍ଚି ଯାଉଛି।

Lopol.org

କେବଳ ସେତିକି ନୁହେଁ; ଏହି ଯୋଜନା ମାଧ୍ୟମରେ ବିଭିନ୍ନ ସ୍ଥାନରେ ଶୀତଳଭଣ୍ଡାର ଖୋଲାଯାଇ ପରିଚାଳନା କରିଯିବାର ଥିଲା। ଘରୋଇ ସଂସ୍ଥା ଜରିଆରେ ବିଭିନ୍ନ ସ୍ଥାନରେ ଏହି ଯୋଜନାକୁ କାର୍ଯ୍ୟକାରୀ ପାଇଁ ୨ କୋଟି ଟଙ୍କା ଦିଆଯାଇଥିଲା। ଏଥିରୁ ୧ କୋଟି ଟଙ୍କା ଖର୍ଚ ହୋଇ ବିନିଯୋଗପତ୍ର ଦାଖଲ ହୋଇଛି। ବାକି ୧ କୋଟି ଟଙ୍କାର ବିନିଯୋଗପତ୍ର ଦାଖଲ ହୋଇନି। ଏଥିଯୋଗୁଁ ୧ କୋଟି ୭୮ ଲକ୍ଷ ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇ ପାରି ନାହିଁ। ୨୦୧୩ ରୁ ୨୦୧୯ ମସିହା ମଧ୍ୟରେ ବିଭିନ୍ନ ସମୟରେ ଆଳୁର ବିଭିନ୍ନ ପ୍ରକଳ୍ପ ପାଇଁ ଆସିବାକୁ ଥିବା ଟଙ୍କା ଅଧାରେ ରହିଯାଇଛି। ୨୦୧୯ ମସିହାରେ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ ହେବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଆନ୍ତର୍ଜାତୀୟ ଆଳୁ କେନ୍ଦ୍ରକୁ ଗୁରୁତ୍ବ ଦିଆଯାଇଥିଲା। ଏଥିପାଇଁ ୨୦୧୯ ମସିହାରେ ୯ କୋଟି ୧୬ ଲକ୍ଷ ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଏହି ସମସ୍ତ ଟଙ୍କା ଜାତୀୟ କୃଷି ବିକାଶ ଯୋଜନା ପକ୍ଷରୁ ଦିଆଯାଇଛି। ଏଥିରୁ ୫ କୋଟି ୧୬ ଲକ୍ଷ ଟଙ୍କା ଖର୍ଚ ହୋଇଛି। ୪ କୋଟିର ବିନିଯୋଗପତ୍ର ବାକି ରହିଛି।

HM Herbals

ସେହିପରି ଜାତୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତରେ ୨୦୧୭ ମସିହାରେ କୋରାପୁଟ, ଗଜପତି, ମୟୂରଭଞ୍ଜ ଏବଂ ବୌଦ୍ଧ ଜିଲ୍ଲାର ୪୮୦ ହେକ୍ଟର ଜମିରେ ଲେମନ୍‌ ଗ୍ରାସ ପ୍ରକଳ୍ପ ପାଇଁ ୩ କୋଟି ୭୩ ଲକ୍ଷ ଟଙ୍କା ଦିଆଯାଇଥିଲା। ୧ ବର୍ଷ ମଧ୍ୟରେ ଏହି ଟଙ୍କା ଖର୍ଚର ଲକ୍ଷ୍ୟ ରହିଥିଲା। ଏହି ଯୋଜନାରେ ଲେମନ ଗ୍ରାସ ଚାଷ ବୃଦ୍ଧି, ଅନୁପଯୋଗୀ ଜମିକୁ ଉତ୍ପାଦନକ୍ଷମ କରିବା, ଆଦିବାସୀ ଚାଷୀଙ୍କ ସାମାଜିକ-ଆର୍ଥିକ ଆୟ ବୃଦ୍ଧି ସମେତ ବିଭିନ୍ନ ପ୍ରକାର ଲକ୍ଷ୍ୟ ରହିଥିଲା। ଏହି ଯୋଜନାରେ ୨ କୋଟି ଟଙ୍କା ଖର୍ଚ ହୋଇଛି। ମାତ୍ର ୧ କୋଟି ୮୦ ଲକ୍ଷ ୪୦ ହଜାର ଟଙ୍କାର ବିନିଯୋଗପତ୍ର ବର୍ତ୍ତମାନ ମଧ୍ୟ ଦାଖଲ ହୋଇ ପାରି ନାହିଁ। ଏଥିଯୋଗୁଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ୧ କୋଟି ୭୩ ଲକ୍ଷ ଟଙ୍କା ୪ ବର୍ଷ ପରେ ବି ମିଳିପାରି ନାହିଁ।

Gardening Channel

ଅନୁରୂପ ଭାବେ ୨୦୧୮ ଏବଂ ୨୦୧୯ ମସିହା ୨ ବର୍ଷ ପାଇଁ ରାଜ୍ୟରେ କନ୍ଦମୂଳ ଉତ୍ପାଦନ ବୃଦ୍ଧି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ବୌଦ୍ଧ, ଅନୁଗୁଳ ଏବଂ ବଲାଙ୍ଗୀର ପାଇଁ ୨ କୋଟି ୫୩ ଲକ୍ଷ ୩୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ୧ କୋଟି ୭୮ ଲକ୍ଷ ଟଙ୍କା ଦିଆଯାଇଥିଲା। କିନ୍ତୁ ୭୫ ଲକ୍ଷ ୬୫ ହଜାର ଟଙ୍କାର ବିନିଯୋଗପତ୍ର ଦାଖଲ କରାଯାଇ ପାରିନଥିବାରୁ ୭୫ ଟଙ୍କା ମିଳି ପାରିନାହିଁ। କନ୍ଦମୂଳ ଜରିଆରେ ପୋଷଣ କାର୍ଯ୍ୟକ୍ରମ ପାଇଁ ୩ ବର୍ଷରେ ୮ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏଥିପାଇଁ ସବୁ ଟଙ୍କା ଦିଆଯାଇଥିଲେ ମଧ୍ୟ ୪ କୋଟି ୨୫ ଲକ୍ଷ ୮୨ ହଜାର ଟଙ୍କାର ବିନିଯୋଗପତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଦାଖଲ ହୋଇ ପାରିନାହିଁ। ଏହାଛଡ଼ା ପିଆଜ ଚାଷ ପ୍ରୋତ୍ସାହନ ପାଇଁ ୧ କୋଟି ୬ ଲକ୍ଷ ଟଙ୍କା ଖର୍ଚ ହୋଇଛି। ଏଥିରୁ ୫୩ ଲକ୍ଷ ଟଙ୍କାର ବିନିଯୋଗପତ୍ର ଦାଖଲ ହୋଇ ପାରିନାହିଁ। ମାତ୍ର କିଛି ପ୍ରକଳ୍ପର ବିନିଯୋଗପତ୍ର ରାଜ୍ୟ ସରକାର ଦାଖଲ କରି ନାହାନ୍ତି। ଏଥିଯୋଗୁଁ ଯୋଜନାଗୁଡ଼ିକ ଅଧପନ୍ତରିଆ ହୋଇ ପଡ଼ିଛି। ଏଥି ମଧ୍ୟରେ ୫୪ କୋଟି ୫୫ ଲକ୍ଷ ଟଙ୍କା ମଧ୍ୟରେ ଶୀତଳଭଣ୍ଡାର କେନ୍ଦ୍ରୀକ ଆଳୁ ପ୍ରୋତ୍ସାହନ କାର୍ଯ୍ୟକ୍ରମର ୯ କୋଟି ୬୫ ଲକ୍ଷ, ପିଆଜ ଚାଷ ପ୍ରୋତ୍ସାହନ ୪ କୋଟି ୬୨ ଲକ୍ଷ, ଗଞ୍ଜାମ ଜିଲ୍ଲାରେ ସମନ୍ବିତ ବିକାଶ ଫର୍ଟିକଲଚର ୟୁନିଟ ପାଇଁ ୩୦ ଲକ୍ଷ ୭୮ ହଜାର, ଲେମନ ଗ୍ରାସ ପାଇଁ ୧ କୋଟି ୭୩ ଲକ୍ଷ, କନ୍ଦମୂଳ ସମ୍ପ୍ରସାରଣ ପାଇଁ ୭୫ ଲକ୍ଷ, କାଜୁ ଚାଷ ସମ୍ପ୍ରସାରଣ ପାଇଁ ୨୪ କୋଟି ୬୭ ଲକ୍ଷ, ଫଳ ପରିବା ଚାଷକୁ ରୋଗପୋକ ଆକ୍ରମଣରୁ ରକ୍ଷା ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ପ୍ରମୁଖ ଅଟେ। ଉଦ୍ୟାନ ବିଭାଗ ପକ୍ଷରୁ କୁହାଯାଇଛି, ବିଭିନ୍ନ କାରଣରୁ ଟଙ୍କା ବିନିଯୋଗ ହୋଇ ପାରିନାହିଁ। ଆଳୁ ଶୀତଳଭଣ୍ଡାର ପ୍ରକଳ୍ପ ଟଙ୍କା ବିନିଯୋଗ ନ ହେବାର ପ୍ରମୁଖ କାରଣ ହେଲା, ଘରୋଇ ସଂସ୍ଥା ସହିତ ସହଭାଗିତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ଥିଲା। ଅନେକ ଘରୋଇ ସଂସ୍ଥା ଏଥିପ୍ରତି ଦୃଷ୍ଟି ଦେଇନଥିଲେ। ବାକି ପଡ଼ିଥିବା ଟଙ୍କା ଖର୍ଚ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ାଯାଇଛି। କେନ୍ଦ୍ର ଅନୁମତି ଦେଲେ ଟଙ୍କା ଖର୍ଚ ଦେବ।

ସମ୍ବନ୍ଧିତ ଖବର