ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଅଞ୍ଚଳର ନିଶ୍ଚିତା ପାହାଡ଼ ଏବେ ପଥର ମାଫିଆଙ୍କ ଅମରାବତୀ ପାଲଟିଛି। ବେଆଇନ ଭାବେ ପାହାଡ଼ରେ ବଡ଼ ବଡ଼ ମେସିନ୍‌ ଲଗାଇ ପଥର ଫଟାଇବା ସହ ବ୍ୟାପକ ପଥର ଲୁଟି ଚାଲିଛନ୍ତି। ମାଫିଆଙ୍କ ପାଇଁ ନିଶ୍ଚିତା ପାହାଡ଼ ନିଶ୍ଚିହ୍ନ ହେବାକୁ ବସିଲାଣି। ଯେମିତି ପାହାଡ଼ରୁ ପଥର ସରିବା ପର୍ଯ୍ୟନ୍ତ କଣ୍ଟ ରଖି ବର୍ଷସାରା ମାଫିଆମାନେ କଳା ମୁଗୁନି ପଥର କୋରି ଚାଲିଛନ୍ତି। ସରକାର ଓ ଆଇନକାନୁନର ନାଲିଆଖିକୁ ମାଫିଆମାନେ ବେଖାତିର୍ କରି ଚାଲିଛନ୍ତି। ଏପରିକି ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ତାଗିଦ୍ ମଧ୍ୟ କାମ କରୁ ନାହିଁ। ବିଭିନ୍ନ ରାଜନୈତିକ ନେତାଙ୍କ ଛତ୍ରଛାୟା ତଳେ ଏହି କଳା କାରବାର ଚାଲିଥିବା ଅଭିଯୋଗ ହେଉଛି। ଏପଟେ ପ୍ରାଶାସନିକ ଅଧିକାରୀମାନେ କାଁଭାଁ ଚଢ଼ଉ କରି ନିଜ ମୁଣ୍ଡରୁ ଦୋଷ ଖସାଇ ବସି ପଡୁଛନ୍ତି। କିଛିଦିନ ତଳେ ପ୍ରଶାସନ ପକ୍ଷରୁ ନିଶ୍ଚିତା ପାହାଡ଼ରେ ଚଢ଼ଉ କରାଯାଇ ବ୍ୟାପକ ମେସିନ୍‌ ଜବତ ସହ ଏଥିରେ ନିୟୋଜିତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଫଳରେ କିଛିଦିନ ପାଇଁ ବେଆଇନ ପଥର ଚାଲାଣ ବନ୍ଦ ହୋଇଥିଲା। ଏବେ ପୁଣି ସେଠାରୁ ବେଆଇନ ଭାବେ କଳା ମୁଗୁନି ପଥର ଲୁଟ୍ ଆରମ୍ଭ ହୋଇଯାଇଛି।

Advertisment

ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲଙ୍କ ତାଗିଦ୍‌କୁ ବି ଖାତିର୍ ନାହିଁ
ଦୈନିକ କୋରି ନେଉଛନ୍ତି ୫ ହଜାର ଟନ୍‌ କଳା ମୁଗୁନି 

ଖଣି ବିଭାଗର ସୂଚନା ଅନୁସାରେ, ଗଁଦିଆ ବ୍ଲକର ନିହଲପ୍ରସାଦ ରୋଡ୍‌ ମେଟାଲ ଖଣି- ୧, ୫ ଓ ୬ ନମ୍ବର ଏବଂ ନହଦା ରୋଡ୍‌ ମେଟାଲ ଖଣି- ୩ ନମ୍ବର ଏହିପରି ୪ଟି ଖଣିକୁ ନିଲାମ ଦିଆଯାଇଥିବା ବେଳେ ନିଶ୍ଚିତା ପାହାଡ଼ର କୌଣସି କଳାପଥର କ୍ୱାରିକୁ ନିଲାମ ଦିଆଯାଇ ନାହିଁ। ସେହିପରି ପାହାଡ଼ରେ ବ୍ୟାପକ ଲୁଟ୍‌କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଶ୍ଚତା ପାହାଡ଼ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍ ମଧ୍ୟ ଏଠାରୁ ପଥର ଚାଲାଣ ଉପରେ କଟକଣା ଲଗାଇଛନ୍ତି। ଏସବୁ ସତ୍ତ୍ବେ ମାଫିଆମାନେ ସେଠାରେ ବେଆଇନ କ୍ୱାରି ସୃଷ୍ଟି କରି ପଥର ଚାଲାଣ କରିବା ସାହସ କେଉଁଠାରୁ ପାଉଛନ୍ତି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। କିଛି ମାସ ତଳେ ଏଠାରୁ ଦୈନିକ ୫ ହଜାର ଟନ୍‌ରୁ ଅଧିକ କଳା ମୁଗୁନି ପଥର ଚାଲାଣ ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନର ଅସଲ ରୂପ ପଦାରେ ପଡ଼ି ଯାଇଥିଲା।

ଏହାକୁ ଚ୍ୟାଲେଞ୍ଜ ଭାବେ ନେଇ ଗତ ଡିସେମ୍ବର ୩୦ ବିଳମ୍ବିତ ରାତିରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରାଶାସନିକ ଅଧିକାରୀ, ବନ ବିଭାଗ ଏବଂ ପୁଲିସ ଅଧିକାରୀମାନେ ମିଳିତ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ୨୦ଟି ଗାଡ଼ି, ଏସ୍କାଭେଟର୍ ଓ ଅନ୍ୟ ମେସିନ୍ ଜବତ ହୋଇଥିଲା। ଏଥିସହିତ ୩୦ରୁ ଅଧିକ ଡ୍ରାଇଭର୍‌, ହେଲପର୍ ଓ ଶ୍ରମିକଙ୍କୁ ଗିରଫ କରାଯାଇଥିଲା। ହେଲେ ପ୍ରକୃତ କାର୍ପଟଦାର ଏବଂ ମାଫିଆମାନେ କିପରି ଖସି ଯାଇଥିଲେ, ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି। ସେହିପରି ଗତ ଜାନୁଆରି ୨୧ରେ ନିଶ୍ଚିତା ପାହାଡ଼ ଲୁଟ୍‌ ଚାଲିଥିବା ବେଳେ ପୁଲିସ ଚଢ଼ଉ କରିବାକୁ ଯାଇଥିଲା। ଏହି ଖବର ମାଫିଆଙ୍କ ମୋବାଇଲରେ ଭାଇରାଲ୍ ହେବା ପରେ ସେମାନେ ପୂର୍ବ ପ୍ରସ୍ତୁତି ଅନୁସାରେ ପଥର ମାଡ଼ କରି ପୁଲିସ କର୍ମଚାରୀଙ୍କୁ ଘଉଡ଼ାଇ ଦେଇଥିଲେ। ଏଥିରେ ପୁଲିସ କର୍ମଚାରୀମାନେ ଆହତ ବି ହୋଇଥିଲେ। ତା ପରଠାରୁ ପ୍ରାଶାସନିକ ଅଧିକାରୀମାନେ ପାହାଡ଼ ଲୁଟ୍ ସଂପର୍କରେ ମୁହଁ ଖୋଲୁ ନାହାନ୍ତି। ଏହାର ସୁଯୋଗ ନେଇ ପଥର ମାଫିଆମାନେ ପ୍ରଶାସନକୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ ଦେଇ ପୁଣି ଲୁଟପାଟ୍‌ ଚଳାଇଛନ୍ତି। ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ନିଶ୍ଚିତା ପାହାଡ଼ ବଞ୍ଚାଇବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଦାବି କରିଛନ୍ତି।