ଘରୁ ଗୋଡ଼ କାଢ଼ିଲେ ବିପଦ: ମୃତ୍ୟୁଯନ୍ତା ପାଲଟିଛି ଜାତୀୟ ରାଜପଥ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡ଼ିକ ଏବେ ମୃତ୍ୟୁଯନ୍ତା ପାଲଟିଛି। କେତେବେଳେ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଛି ଆଉ କେତେବେଳେ ପ୍ରାଣ ହରାଉଛନ୍ତି ହାତୀ। ଆଜି ୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ ବ୍ଲକ୍‌ ପିପିଳିଆ ନିକଟସ୍ଥ ବଡ଼ପଶିଠାରେ ହାଇୱା ଏବଂ କାର୍‌ ମଧ୍ୟ ମୁହାଁମୁହିଁ ଧକ୍କାରେ ୪ଜଣଙ୍କ ମୃତ୍ୟୁ ଘଟିବା ଏହାର ପ୍ରମାଣ ଦେଉଛି।

ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲା ଦେଇ ଦୁଇଟ ଜାତୀୟ ରାଜପଥ ଅତିକ୍ରମ କରିଛି। ଗୋଟିଏ ହେଉଛି ୨୦ ନମ୍ବର ଜାତୀୟ ରାଜପଥ। ଯାହା ପାଣିକୋଇଲିରୁ ରିମୁଳି ପର୍ଯ୍ୟନ୍ତ ଲମ୍ବିଛି। ଅନ୍ୟଟି ହେଉଛି ମୁମ୍ବାଇ–କୋଲକାତା ୪୯ ନମ୍ବର ଜାତୀୟ ରାଜପଥ। ସବୁଠୁ ଅଧିକ ବିପଦସଙ୍କୁଳ ହେଉଛି ୨୦ ନମ୍ବର ଜାତୀୟ ରାଜପଥ। ପାଣିକୋଇଲିଠାରୁ ରିମୁଳି ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ କାମ ଗାୟତ୍ରୀ କନଷ୍ଟ୍ରକ୍ସନ ନେଇଥିଲା। ଏହି ଠିକାସଂସ୍ଥା ଅଧାରୁ କାମ ଛାଡ଼ି ପଳାଇଥିଲା। ପରେ ଅବଶିଷ୍ଟ କାମ ସାରିବା ପାଇଁ ପୁଣି ଟେଣ୍ଡର କରାଯାଇ ଏଆର୍‌ଏସ୍‌ଏସ୍‌କୁ ଦିଆଯାଇଥିଲା। ଅସଂପୂର୍ଣ୍ଣ ଜାତୀୟ ରାଜପଥର ଲମ୍ବ ଥିଲା ୨୧ କିମି। ୨୦୨୧ ଫେବ୍ରୁଆରିରୁ ଏଆର୍‌ଏସ୍‌ଏସ୍‌ କଂପାନି କାମ ଆରମ୍ଭ କରିଥିଲେ ମଧ୍ୟ ଏବେ ସୁଦ୍ଧା ଶେଷ ହୋଇନାହିଁ। ଅଦ୍ୟାବଧି ୧୯ କିମି ରାସ୍ତା କାମ କାମ ଶେଷ ହୋଇଥିବା ଜଣାପଡ଼ିଛି। ସେହିପରି ୩୪ କିମି ସର୍ଭିସରୋଡ ନିର୍ମାଣ ହେବାକୁ ବାକି ଥିଲା। ଏଯାଏ ଅଧିକାଂଶ ସ୍ଥାନରେ ସର୍ଭିସ ରୋଡ କାମ ଶେଷହୋଇ ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବେଲବାହାଳି ପୋଲ କାମ ଅଧେ ସରିଛି।

ଅଧାପନ୍ତରିଆ ଜାତୀୟ ରାଜପଥରେ ନିୟମିତ ଦୁର୍ଘଟଣା ଘଟୁଛି।। ୨୦୧୯ ଅଗଷ୍ଟ ୨୨ରେ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରକ୍‌ ଧକ୍କାରେ ୩ଟି ହାତୀ ପ୍ରାଣ ହରାଇଥିଲେ। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ବନ ବିଭାଗ ଏକ ବସ୍‌ ସମେତ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଜବତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଥିଲା। ଆଜି ପୁଣି ବଡ଼ପଶି ନିକଟରେ ଦୁଘଟଣା ଘଟି ୪ଜଣଙ୍କ ଜୀବନ ଯାଇଛି।

୨୦୧୭ରେ କେନ୍ଦୁଝର ଜିଲ୍ଲାରେ ମୋଟ ୫୯୨ଟି ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ  ୩୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୭୪ଜଣ ଆହତ ହୋଇଥିଲେ। ୨୦୧୮ରେ ୬୩୩ଟି ଦୁର୍ଘଟଣାରେ ୩୧୫ଜଣଙ୍କ ଜୀବନ ଯାଇଥିବା ବେଳେ ୭୬୭ ଜଣ ଆହତ ହୋଇଥିଲେ। ୨୦୧୯ରେ ୬୭୪ଟି ଦୁର୍ଘଟଣାରେ ୩୩୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦୮ଜଣ ଆହତ ହୋଇଥିଲେ। ୨୦୨୦ରେ ୬୪୯ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୪୩୫ଜଣ ଗୁରୁତର ଆହତ ହୋଇଥିଲେ। ୩୫୪ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୧ରେ ଜିଲ୍ଲାରେ ୩୫୨ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩୨୦ଜଣ ଆହତ ଏବଂ ୨୧୬ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରୁ ଅଧିକାଂଶ ଦୁର୍ଘଟଣା ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥରେ ଘଟିଥିଲା।

ସମ୍ବନ୍ଧିତ ଖବର