ସମ୍ବଲପୁର : ଜାତୀୟ ରାଜପଥ ସୃଷ୍ଟି କରୁଥିଲା ଉଛୁଳା ନଦୀର ଭ୍ରମ। କାହାର ଆଣ୍ଠୁଏ ତ’ କାହାର ଅଣ୍ଟାଏ ପର୍ଯ୍ୟନ୍ତ ପାଣି। ତାହା ପୁଣି ୫ କି ୧୦ ମିଟର୍ ସ୍ଥାନରେ ନୁହେଁ। କିଲୋମିଟର୍ କିଲୋମିଟର୍ ଧରି ରାଜପଥ ବୁଡ଼ି ରହିଥିଲା ବର୍ଷା ପାଣିରେ। ଯାତାୟତ ଏକପ୍ରକାର ଠପ୍ ହୋଇ ଯାଇଥିଲା। ଏହାଥିଲା ସମ୍ବଲପୁର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଦୃଶ୍ୟ।
ସମ୍ବଲପୁର ସହରର ଅଇଁଠାପାଲି ଛକରୁ ରେମେଡ୍ ଛକ ଦେଇ ଯାଇଥିବା ରାଜପଥରେ ବର୍ଷା ଜଳ ନିଷ୍କାସନର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ହୋଇ ନଥିବାରୁ ତାହା ମଙ୍ଗଳବାର ହୋଇଥିବା ବର୍ଷାରେ ସଂପୂର୍ଣ୍ଣ ବୁଡ଼ି ରହିଥିଲା। ରାଜପଥରେ ପାଣି ଭରି ଉଭୟ ପାର୍ଶ୍ବର ରାସ୍ତା ମଧ୍ୟରେ ଥିବା ଡିଭାଇଡର୍ ବା ବାଡ଼ ବି ଦେଖାଯାଉ ନଥିଲା। ଯାତାୟତ ବନ୍ଦ ଏକପ୍ରକାର ବନ୍ଦ ହୋଇ ଯାଇଥିବାବେଳେ କାଁଭାଁ ଯାଉଥିବା ଗାଡ଼ି ଗୁଡ଼ିକ ଅଧା ବୁଡ଼ି ରହିଥିଲା। ଏହି ଜାତୀୟ ରାଜପଥ ନିର୍ମାଣ ବେଶି ଦିନର ନୁହେଁ। ଅଳ୍ପ କିଛି ବର୍ଷ ତଳେ ଅଶୋକ ବିଲ୍ଡକନ ନାମକ ସଂସ୍ଥା ଏହାର ନିର୍ମାଣ କରିଛି। ଯାତାୟତ କରୁଥିବା ଯାତ୍ରୀଙ୍କଠାରୁ ଏକାଧିକ ଟୋଲ୍ ଗେଟ୍ ମାଧ୍ୟମରେ ମୋଟା ଅଙ୍କର ରାଜସ୍ବ ବି ଅସୁଲ କରୁଛି। ହେଲେ ଯାତାୟତ ସୁଗମ କରିବାକୁ କୌଣସି ପଦକ୍ଷେପ ନେଉ ନାହିଁ। ଆରମ୍ଭରୁ ଏହି ରାସ୍ତାରେ ଅନେକ ତ୍ରୁଟି ବିଚ୍ୟୁତି ରହିଛି। ରାସ୍ତାରୁ ଜଳ ନିଷ୍କାସନର ଉପଯୁକ୍ତ ବ୍ୟବସ୍ଥା କରାଯାଇ ନଥିବାରୁ ବର୍ଷା ହେଲେ ଏଭଳି ସ୍ଥିତି ସୃଷ୍ଟି ହେଉଛି। ତୁରନ୍ତ ଏହାର ପ୍ରତିକାର କରିବାକୁ ସହରବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/sambalpur-rain.jpg)