ଅନୁଗୁଳ: ସରୁନି ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ। ବାଇପାସ୍‌ ରାସ୍ତା ବି ଅଧପନ୍ତରିଆ। ଏପଟେ  ଦିନବେଳା ନୋ-ଏଣ୍ଟ୍ରି  କଟକଣା ଲଗାଇ  ପ୍ରଶାସନ ଚୁପ୍‌ ବସିଛି। ଦିନରେ ଭାରୀଯାନ ବନ୍ଦ ହେବା ଫଳରେ ରାତିସାରା ଜାତୀୟ ରାଜପଥ ଜାମ୍‌ ରହୁଛି। ମଧ୍ୟାହ୍ନ ପର୍ଯ୍ୟନ୍ତ ଏହି ଜାମ୍‌ରୁ ତ୍ରାହି ମିଳୁନି। ଏଥିପାଇଁ ଉଭୟ ଅନୁଗୁଳ ଓ ଢେଙ୍କାନାଳବାସୀ ସବୁଦିନ ଯମଯନ୍ତ୍ରଣା ଭୋଗୁଛନ୍ତି। ଏପରି ସମସ୍ୟାକୁ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରାଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଦେଖୁଛନ୍ତି, ଅନୁଭବ କରୁଛନ୍ତି ହେଲେ ଅଜଣା ରହୁଛନ୍ତି।  

Advertisment

ଅନୁଗୁଳ ସହର ଛାତି ଉପରେ ଯାଇଛି ୫୫ ନମ୍ବର ଜାତୀୟ ରାଜପଥ। ଏହାର ପ୍ରଶସ୍ତୀକରଣ କାମ ୪ ବର୍ଷ ହେଲା ଚାଲିଥିଲେ ମଧ୍ୟ ସରିବାର ନାଁ ଧରୁନି। ଏନ୍‌ଏଚ୍‌ଏଆଇ ବାରମ୍ବାର କଣ୍ଟ ବଢ଼ାଇ ଚାଲିଛି। ବିଶେଷକରି ଢେଙ୍କାନାଳ-ଅନୁଗୁଳ ରାସ୍ତା ଆଗେଇ ପାରୁନି। କିଛି କିଛି ସ୍ଥାନରେ ରାସ୍ତା ଅତି କଦର୍ଯ୍ୟ ହୋଇ ପଡ଼ିଛି। ଏଥିପାଇଁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବଅଁରପାଳରୁ ରନ୍ତଲେଇ ମଧ୍ୟରେ ନିୟମିତ ଦୁର୍ଘଟଣା ହୋଇ ଧନଜୀବନ ନଷ୍ଟ ହେବା ପରେ ଅନୁଗୁଳ ସହରରେ ଦିନବେଳା ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ବଅଁରପାଳ ଛକରୁ ରନ୍ତଲେଇ ପର୍ଯ୍ୟନ୍ତ ସକାଳୁ ରାତି ୯ଟା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ଉପରେ ରୋକ୍‌ ଲାଗିଛି। ଏପଟେ ଗଣେଶପୂଜା ପାଇଁ ତାଳଚେର ସହର ଦେଇ ଯାଇଥିବା ରାଜପଥରେ ବି କଟକଣା ଲାଗିଛି। ଏଥିପାଇଁ ଦିନରେ ଶହ ଶହ ଟ୍ରକ୍‌ ଜାତୀୟ ରାଜପଥରେ ଅଟକି ରହୁଛି। ଏପରିକି ବଅଁରପାଳରୁ ‌ନିମବାହାଳି ପର୍ଯ୍ୟନ୍ତ ରାସ୍ତା ଉପରେ ଟ୍ରକ୍‌ ଲମ୍ବା ଧାଡ଼ିରେ ଛିଡ଼ାହୋଇ ରହୁଛି। ଏପଟେ ରନ୍ତଲେଇରୁ ବଡ଼କେରା ପର୍ଯ୍ୟନ୍ତ ଗାଡ଼ି ଛିଡ଼ା ହେଉଛି। ରାତିରେ ଏହି ଗାଡ଼ିଗୁଡ଼ିକ ପାସ୍‌ କରିବାରୁ ଗୁରୁତର ଟ୍ରାଫିକ୍‌ ସମସ୍ୟା ସୃ୍ଷ୍ଟି ହେଉଛି। ରାତିସାରା ରାସ୍ତା ଜାମ୍‌ ରହୁଛି।

ଏପରିକି ସାଧାରଣ ଲୋକେ ରାତି ୯ଟା ପରେ ଜାତୀୟ ରାଜପଥ ବ୍ୟବହାର କରିବା ଏକ ପ୍ରକାର କଷ୍ଟକର ହୋଇ ପଡ଼ୁଛି। ବିଳମ୍ବିତ ରାତିରେ ଯଦି କେହି ଗୁରୁତର ରୋଗୀଙ୍କୁ ନେଇ ଏହି ରାସ୍ତାରେ ବାହାରିଲା ତେବେ କଥା ସରିଲା। ସେ ଠିକ୍‌ ସମୟରେ ମେଡିକାଲ୍‌ରେ ପହଞ୍ଚି ପାରିବ କି ନାହିଁ ତାହାକୁ ନେଇ ଆଶଙ୍କାରେ ରହୁଛନ୍ତି। ବେଳେବେଳେ ଆମ୍ବୁଲାନ୍‌ସ ମଧ୍ୟ ଏହି ଜାମ୍‌ରେ ଫସି ରହୁଛି। ଜରୁରି ସେବା ଓ ଜରୁରି ସାମଗ୍ରୀ ପରିବହନ କରୁଥିବା ଗାଡ଼ି ମଧ୍ୟ ଜାତୀୟ ରାଜପଥରେ ଜାମ୍‌ରେ ଆଗକୁ ବଢ଼ିପାରୁନି। ଫଳରେ ସକାଳେ ଲୋକମାନେ ଏସବୁ ସେବାରୁ ବଞ୍ଚିତ ହେଉଛନ୍ତି। ବଡ଼କେରା ନିକଟରୁ ମେରାମଣ୍ଡଳୀ ପର୍ଯ୍ୟନ୍ତ ଅଧିକ ଜାମ୍‌ ରହୁଛି। ଏହି ସମୟରେ ଯଦି କୌଣସି ଗୋଟିଏ ଗାଡ଼ି ବ୍ରେକ୍‌ ଡାଉନ୍‌ ହୋଇଯାଉଛି କିମ୍ବା ରଙ୍ଗରୁଟ୍‌ରେ ଯାଇ ଫସୁଛି ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। ମଧ୍ୟାହ୍ନ ପର୍ଯ୍ୟନ୍ତ ଜାମ୍‌ କମୁନି। ଅଧା ଦିନ ଜାତୀୟ ରାଜପଥ ଅଚଳ ହୋଇଯାଉଛି। ସ୍ଥିତି ଏମିତି ହେଉଚି, କି ଜରୁରୀ କାମରେ ଯାଉଥିବା ଲୋକମାନେ ଜାତୀୟ ରାଜପଥରେ ଘଣ୍ଟା ଘଣ୍ଟା ଅଟକି ରହୁଛନ୍ତି। କର୍ମଚାରୀମାନେ ମଧ୍ୟ ଅଫିସ୍‌ରେ ପହଞ୍ଚି ପାରୁନାହାନ୍ତି। ସପ୍ତାହକୁ ପାଖାପାଖି ୨ରୁ ୩ ଦିନ ଏମିତି ସ୍ଥିତି ଦେଖା ଦେଉଛି।

ଅନୁଗୁଳର ଲାଇଫ୍‌ଲାଇନ୍‌ କୁହାଯାଉଥିବା ଜାତୀୟ ରାଜପଥର ଲୋକଙ୍କୁ ନିତି କନ୍ଦାଉଥିଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ରାଜପଥରୁ ଜାମ୍‌ କେମିତି କମିବ ସେଥିନେଇ ପ୍ରଶାସନର ନିଘା ନାହିଁ। କେବଳ ନୋ-ଏଣ୍ଟ୍ରି କରି କାମ ସାରି ଦେଇଛନ୍ତି ଅଧିକାରୀ। ଅତି ଜାମ୍‌ ହେଲେ କାଁ ଭାଁ ପୁଲିସ ପହଞ୍ଚୁଥିଲେ ମଧ୍ୟ ସ୍ଥିତି ଦେଖି ସେମାନେ ହାତ ଟେକି ଦେଉଛନ୍ତି। ଲୋକଙ୍କୁ ନିଜ ଭାଗ୍ୟ ଭରସାରେ ଛାଡ଼ି ପ୍ରଶାସନ ଓ ପୁଲିସ ବସିଥିଲା ବେଳେ ସରକାରଙ୍କର ମଧ୍ୟ ଏଥିପ୍ରତି ଗୁରୁତ୍ବ ଦେଉ ନାହାନ୍ତି। ରାସ୍ତା ତୁରନ୍ତ ଶେଷ କରିବା ନେଇ ସରକାରୀ ସ୍ତରରେ ଯେତିକି ଉଦ୍ୟମ କଥା ହେଉନି। ଏପଟେ ଜାମ୍‌ କମାଇବାକୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉନି। ଏହାକୁ ନେଇ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାବାସୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।