ରାଉରକେଲା : ବସ୍ତିରୁ ବାହାରି ନିଜକୁ ଜଣେ ଜାତୀୟ ସ୍ତରୀୟ ଖେଳାଳି ଭାବେ ପରିଚିତ କରିବା ଏତେ ସହଜ ନଥିଲା। ତଥାପି, ନିଜର ନିଷ୍ଠାପର ଉଦ୍ୟମ ଏବଂ ନିରବଚ୍ଛିନ୍ନ ସଂଘର୍ଷ ବଳରେ ସେ ଏହି ଅସମ୍ଭବକୁ ସମ୍ଭବ କରିପାରିଛନ୍ତି। ସେ ହେଉଛନ୍ତି, ସେ ହେଉଛନ୍ତି ରାଉରକେଲା ବାଲୁଘାଟ ବସ୍ତିର ନାରାୟଣ ମୁଣ୍ଡା, ଯିଏକି ଜାତୀୟ ୱିଣ୍ଡ୍ସର୍ଫର୍ ଭାବେ ବେଶ୍ ସୁନାମ ଅର୍ଜନ କରିସାରିଛନ୍ତି।
ନାରାୟଣଙ୍କ ପରିବାର କହିଲେ ବାପା ସ୍ବର୍ଗତ ଅର୍ଜୁନ ମୁଣ୍ଡା, ମା’ ପାର୍ବତୀ ଦେବୀ ଓ ୫ ବଡ଼ ଭଉଣୀ। ବଡ଼ ଭଉଣୀମାନଙ୍କ ମଧ୍ୟରୁ ୪ ଜଣ ବିବାହ କରିସାରିଛନ୍ତି। ବାପା ଜଣେ ୱେଲଡର୍ଭାବେ କାମ କରୁଥିଲେ। ସ୍ବଳ୍ପ ଆୟରେ ନିଜର ୪ ଝିଅଙ୍କୁ ବିବାହ କରାଇଥିଲେ। ନାରାୟଣଙ୍କ ମା’ ମଧ୍ୟ ଦିନ ମଜୁରିଆ ସାଜି ପରିବାର ଭରଣପୋଷଣରେ ସହଯୋଗ କରୁଥିଲେ। ନାରାୟଣ ଯେତେବେଳେ ସ୍ଥାନୀୟ ପ୍ରାଥମିକ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ; ସେତେବେଳେ ବାପାଙ୍କ ଦେହାନ୍ତ ହୋଇଥିଲା। ଫଳରେ, ଆୟ ଠପ୍ ହୋଇଯିବାରୁ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିଲା। ଯେନତେନ ପ୍ରକାରେଣ ଦିନମଜୁରି କରି ପରିବାର ପୋଷିଥିଲେ।
୨୦୧୪ ମସିହା କିନ୍ତୁ ନାରାୟଣଙ୍କୁ ଜୀବନ ଜିଇଁବାକୁ ନୂଆ ଦିଶା ଦେଇଥିଲା। ସେହିବର୍ଷ ଅନ୍ତର୍ଜାତୀୟ ସ୍କୁବା ଡାଇଭର୍ ସବୀର ବକ୍ସଙ୍କଠାରୁ ପ୍ରଶିକ୍ଷଣ ନେଉଥିବା ସ୍ଥାନୀୟ ବାଲୁଘାଟର କାହ୍ନୁ ସେଠୀ ନାମକ ଜଣେ ୱିଣ୍ଡ୍ସର୍ଫର୍ ଘରକୁ ଆସିଥିଲେ। ଶ୍ରୀ ବକ୍ସଙ୍କ ନିର୍ଦ୍ଦେଶକ୍ରମେ କାହ୍ନୁ ୱିଣ୍ଡସର୍ଫିଂ ପାଇଁ କିଛି ଇଚ୍ଛୁକ ଯୁବକଙ୍କୁ ସଂପୂର୍ଣ୍ଣ ମାଗଣାରେ ପ୍ରଶିକ୍ଷଣ ଯୋଗଦେବାକୁ ପୁରୀକୁ ନେଇଯାଇଥିଲେ। ଯେଉଁ ୧୦/୧୫ ଜଣ ସ୍ଥାନୀୟ ଯୁବକ ପୁରୀ ଯାଇଥିଲେ, ସେଥିମଧ୍ୟରୁ ଜଣେ ଥିଲେ ନାରାୟଣ। ସେତେବେଳ ଯାଏ ୱିଣ୍ଡ୍ସର୍ଫିଂ ବିଷୟରେ ଆଦୌ ଜାଣିନଥିବା ନାରାୟଣ କେବଳ ପୁରୀ ବୁଲିବା ଆଶାରେ ସେମାନଙ୍କ ସହ ଆସିଥିଲେ। ଜୀବନର ଏହି ପ୍ରଥମ ପୁରୀ ଗସ୍ତ, ତାଙ୍କୁ ଜୀବନର ଗତିପଥ ବଦଳାଇଦେଇଥିଲା। ପୁରୀରେ ଶ୍ରୀ ବକ୍ସଙ୍କ ଅଧୀନରେ କିଛିଦିନ ପ୍ରଶିକ୍ଷଣ ନେବାପରେ ଘରକୁ ପଳାଇଆସିଥିଲେ; କିନ୍ତୁ ଘରେ ତାଙ୍କର ମନ ଲାଗିନଥିଲା। ପରେ ପରିବାର ସଦସ୍ୟଙ୍କୁ ବୁଝାସୁଝା କରି ତିନି ମାସ ବ୍ୟବଧାନରେ ପୁଣି ଧାଇଁଆସିଥିଲେ ପୁରୀ। ସେଠାରେ କିଛିଦିନ ପ୍ରଶିକ୍ଷଣ ନେବାପରେ ୨୦୧୫ରେ ରାମେଶ୍ବରମ୍ରେ ଅନୁଷ୍ଠିତ ଜୀବନର ପ୍ରଥମ ପ୍ରତିଯୋଗିତାରେ ଭାଗନେଇଥିଲେ। ଏଥିରେ କୌଣସି ପଦକ ମିଳିନଥିଲା ସତ; କିନ୍ତୁ ତାଙ୍କର କଳାକୌଶଳ ସମସ୍ତଙ୍କୁ କିମିଆ କରିଥିଲା। ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁ ଉଚ୍ଚ ପ୍ରଶଂସିତ ହୋଇଥିଲେ।
ସେବେଠାରୁ ଆଉ ପଛକୁ ଫେରି ଚାହିଁନାହାନ୍ତି ନାରାୟଣ। ୱିଣ୍ଡ୍ ସର୍ଫିଂରେ ପ୍ରଥମ ସ୍ବାଦ ଚାଖିଥିଲେ ୨୦୧୬ ମସିହାରେ। ଗୋଆରେ ଅନୁଷ୍ଠିତ ଜାତୀୟ ୱିଣ୍ଡ୍ସର୍ଫିଂ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିଲେ। ଏହାପରେ ମହୀଶୂର ମଲ୍ଟି କ୍ଲାସ ୟୁଥ୍ ସେଲିଂ ଚାମ୍ପିଅନସିପ୍(୨୦୨୧)ରେ କାଂସ୍ୟ ପଦକ, ମୁମ୍ବାଇରେ ଅନୁଷ୍ଠିତ ଜାତୀୟ ୱିଣ୍ଡ୍ସର୍ଫିଂ ଚାମ୍ପିଅନସିପ୍(୨୦୨୨)ରେ କାଂସ୍ୟ ପଦକ ଏବଂ ଗତ ୧୯ରୁ ୨୪ ତାରିଖଯାଏ ଗୋଆର ଡୋନା ପୌଲାରେ ଆୟୋଜିତ ଜାତୀୟ ମଲ୍ଟି କ୍ଲାସ୍ ସେଲିଂ ଚାମ୍ପିଅନସିପ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି। ଆଗାମୀ ଦିନରେ ଅଲିମ୍ପିକ୍ସରେ ଭାଗନେଇ ଦେଶ ପାଇଁ ପଦକ ଆଣିବାକୁ ଲକ୍ଷ୍ୟ ରଖିଛନ୍ତ ନାରାୟଣ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/rkl-1.jpg)