ପୁଲିସ ଡିଜିଙ୍କୁ ଚିଠି ଲେଖିଲେ ଜାତୀୟ ଏସ୍‌ଟି କମିସନ, ୧୫ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍‌ ଅନ୍ତର୍ଗତ ଚିତ୍ରା ପଞ୍ଚାୟତର ବାଗ୍‌ଚୁଆଁ ଗାଁରେ ନାବାଳିକା ଆଦିବାସୀ ଝିଅର ଝୁଲନ୍ତା ଅବସ୍ଥାରେ ଶବ ମିଳିବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ଏସ୍‌ଟି କମିସନ। ବିଜେପି ରାଜ୍ୟ ଉପସଭାନେତ୍ରୀ ସୁକେଶି ଓରାମ ଓ ଅନ୍ୟ ନେତାଙ୍କ ଆବେଦନର ବିଚାର କରି ଘଟଣାର ସ୍ବତନ୍ତ୍ର ନିରପେକ୍ଷ ତଦନ୍ତ କରିବା ସହିତ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଆଜି ରାଜ୍ୟ ପୁଲିସ୍‌ ଡିଜିଙ୍କୁ କମିସନ ଚିଠି ଲେଖିଛନ୍ତି।

ବାଗଚୁଆଁରୁ ନାବାଳିକା ଶବ ମଟଣାରେ ସୁଶ୍ରୀ ଓରାମ୍‌ ଗତମାସ ୨୯ ତାରିଖରେ ଜାତୀୟ ଏସ୍‌ଟି କମିସନଙ୍କ ପାଖରେ ଅଭିଯୋଗ ଦାଖଲ କରିଥିଲେ। ନାବାଳିକାକୁ ରାତିରେ ଦୁଷ୍କର୍ମ କରାଯିବା ପରେ ହତ୍ୟା କରି ଗଛରେ ଟାଙ୍ଗିଦିଆଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ଏହାସହିତ ରାଜ୍ୟ ବିଜେପି ଏସ୍‌ଟି ମୋର୍ଚ୍ଚା ଜାତୀୟ ଉପସଭାପତି କାଳିରାମ ମାଞ୍ଝି ମଧ୍ୟ ଜାତୀୟ ଏସ୍‌ଟି କମିସନଙ୍କ ପାଖରେ ଅନୁରୂପ ଅଭିଯୋଗ ଦାୟର କରିଥିଲେ। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲେ ବି ତାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି। ଏଥିପାଇଁ ସ୍ଥାନୀୟ ପୁଲିସ ଓ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଦାଖଲ ହୋଇଥିବା ଏଫ୍‌ଆଇଆର୍‌କୁ ସାର୍ବଜନୀନ କରିବା ସହ ସମ୍ପୃକ୍ତ ପୁଲିସ୍‌ ଓ ଡାକ୍ତରଙ୍କ ବିରୋଧରେ ଏସ୍‌ସି-ଏସ୍‌ଟି ଆଟ୍ରୋସିଟି ଆଇନ୍‌ ଓ ପୋକ୍‌ସୋ ଆଇନ ବଳରେ ମାମଲା ଦରଜ କରିବାକୁ ଉଭୟ ଆବେଦନକାରୀ କମିସନଙ୍କୁ ନିବେଦନ କରିଥିଲେ।

ସୂଚନାଥାଉକି ଗତମାସ ୨୧ ତାରିଖରେ ସମ୍ପୃକ୍ତ ନାବାଳିକା ଜଣକ ବିଳମ୍ବିତ ରାତିରେ ଘରୁ ପରିସ୍ରା କରିବାକୁ ବାହାରକୁ ଯାଇଥିଲେ। ହେଲେ ଆଉ ସେ ଘରକୁ ଫେରି ନଥିଲେ। ସକାଳୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ନାବାଳିକା ଜଣଙ୍କ ତାଙ୍କ ବାଡ଼ି ଭିତରେ ଥିବା ଏକ ତେନ୍ତୁଳି ଗଛରେ ବେକରେ ଫାଶୀ ଲଗାଇ ଝୁଲି ରହିଥିବା ଦେଖିବାକୁ ପାଇଥିଲେ। ମୃତ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହରେ ତାର ବାପା ଥାନାରେ ଏତଲା ଦେଇଥିଲେ। ଏହି ଘଟଣାରେ ନାବାଳିକାର ପ୍ରେମିକକୁ ମଧ୍ୟ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର