ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରିଛି ନବନିର୍ମାଣ କୃଷକ ସଂଗଠନ। ଆଜି ବିମାନବନ୍ଦର ଛକରେ ଆନ୍ଦୋଳନ ସମୟରେ ପୁଲିସ ଆନ୍ଦୋଳନକାରୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇ ଅଟକ ରଖିଥିଲା। ସଂଗଠନ ପକ୍ଷରୁ କୁହାଯାଇଛି ଯେ ସାରା ଭାରତ ବର୍ଷରେ ମିଥ୍ୟାକୁ ପ୍ରଚାର କରି ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ନରେନ୍ଦ୍ର ମୋଦୀ ଅନ୍ୟତମ। ମୋଦୀ ପ୍ରଧାନମନ୍ତ୍ରୀ ହେବା ଦିନରୁ ଆଜି ପର୍ଯ୍ୟନ୍ତ ପାହାଡ଼ ଭଳି ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି। ୨୦୧୪ ନିର୍ବାଚନ ପୂର୍ବରୁ ମୋଦୀ କହିଥିଲେ ଯେ ସ୍ବାମୀନାଥନ୍ କମିଟି ରିପୋର୍ଟ ଆଧାରରେ ଚାଷୀର ଉତ୍ପାଦନକୁ ଦେଢ଼ଗୁଣା କରାଯିବ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ହେଲା ନାହିଁ।

Advertisment

ବିଦେଶରେ ଥିବା କଳାଧନ ପ୍ରସଙ୍ଗରେ ମଧ୍ୟ ମୋଦୀ ମିଥ୍ୟ ପ୍ରତିଶ୍ରୁତି ଦେଇଥିଲେ। ୨୦୨୨ରେ କହିଥିଲେ ଚାଷୀଙ୍କ ଆୟ ୨ ଗୁଣା ହୋଇଯିବ। କିନ୍ତୁ ଚାଷୀଙ୍କ ଆୟ ଅଧା ହୋଇଗଲା। ୨ କୋଟି ଯୁବକଙ୍କୁ ରୋଜଗାର ମିଳିବ। ଏସବୁ ମିଛର ଗ୍ୟାରେଣ୍ଟି ବୋଲି ୧୦ ବର୍ଷ ହେଲା ପ୍ରମାଣିତ ହୋଇଯାଇଛି। ଓଡ଼ିଶାବାସୀ ମୋଦୀଙ୍କ ଏହି ମିଛ ପ୍ରତିଶ୍ରୁତିକୁ ଆଦୌ ବିଶ୍ବାସ କରିବେ ନାହିଁ। କାରଣ ମୋଦୀ କେବଳ କଥାର ପ୍ରଧାନମନ୍ତ୍ରୀ। କଳା କାନୁନ୍ ଲାଗୁ କରି ଆନ୍ଦୋଳନ ସମୟରେ ୭୫୦ ଚାଷୀଙ୍କ ଜୀବନ ନେଇଥିବା ମୋଦୀଙ୍କୁ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିବା ପାଇଁ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆହ୍ବାନ ଦେଇଛନ୍ତି। ଆଜିର ବିକ୍ଷୋଭରେ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ଭୁବନେଶ୍ବର ଯୁବଛାତ୍ର ସଭାପତି ଅମିତ୍ ଜେନା, ଯଶୋବନ୍ତ ଦାସ, ସ୍ମୃତିମୟୀ ସାମଲ, ହିତେଶ ଦାସ, ସୁମନ ଦାସ, ଶ୍ରୀୟାଶୁଂ ଖଣ୍ଡାୟତ, ଧର୍ମେନ୍ଦ୍ର ବରାଳ, ସତ୍ୟଜିତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।