ଭୁବନେଶ୍ବର: ଆଜି ଅପରାହ୍ନରେ ପ୍ରାୟ ୧୬ଜଣ ବିଧାୟକ ସେମାନଙ୍କ ଅଞ୍ଚଳର ସମସ୍ୟା ବିଷୟରେ କହିଥିଲେ। ଏହାର ତୁରନ୍ତ ସମାଧାନ ପାଇଁ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ହେଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋସ୍ ‌ଅତି ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇଥିଲେ। କିପରି ସରକାରଙ୍କ ଦୁଇ ବିଭାଗ ମଧ୍ୟରେ ସମନ୍ବୟର ଅଭାବରୁ ବହୁ ଶିଶୁଙ୍କୁ ଚିକିତ୍ସା ମିଳିପାରୁନି ତାହା କହିଥିଲେ। ସୋଫିଆ କହିଥିଲେ, କଟକ ଶିଶୁ ଭବନକୁ ପ୍ରତିଦିନ ଶହଶହ ଲୋକ ସେମାନଙ୍କ ପିଲାଙ୍କୁ ଚିକିତ୍ସା ପାଇଁ ଆଣୁଛନ୍ତି। ହେଲେ ଏଠାରେ ମାତ୍ର ୪୧୨ଟି ଶଯ୍ୟା ଥିବାରୁ ସେମାନେ ଘରୋଇ ହସ୍ପିଟାଲ ମୁହାଁ ହେଉଛନ୍ତି। ଶିଶୁ ଭବନର ଶଯ୍ୟା ବଢ଼ାଇବା ପାଇଁ ନିର୍ମାଣ ହୋଇଥିବା ୭ମହଲା ବିଶିଷ୍ଟ କୋଠାକୁ କାର୍ଯ୍ୟକ୍ଷମ କରାଯାଉନି। ଏଠାରେ ସମସ୍ତ ମେଡିକାଲ ଯନ୍ତ୍ରାଂଶ ବି ଲାଗି ସାରିଛି। କିନ୍ତୁ ଏହି କୋଠାଟିକୁ ପୂ୍ର୍ତ୍ତ ବିଭାଗ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରୁନି। ଏହି କୋଠା ପାଇଁ ପୂର୍ତ୍ତ ବିଭାଗ ଅଗ୍ନିଶମ ବିଭାଗରୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ଆଣିବା ପରେ ହସ୍ତାନ୍ତର କରିବ। ବର୍ଷେ ହେଲା ଏହା ଆସୁନି କି ହସ୍ତାନ୍ତର ହେଉନି। ଏପଟେ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ଉପରେ ଲୋକ ନିର୍ଭର କରୁଛନ୍ତି। କେବଳ ଏତିକି ନୁହେଁ ନିକଟରେ କଟକରେ ଯେଉଁ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁ କୁନି ଶିଶୁର ମୃତ୍ୟୁ ହେଲା ସେ ପ୍ରଥମେ ଶିଶୁଭବନ ଯାଇଥିଲେ। ସେଠାରେ ଶଯ୍ୟା ନମିଳିବାରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ଏମିତି ଆଉ କେତେ ଶିଶୁ ମରିଲେ ସରକାର ଚେତିବେ? ସ୍ବାସ୍ଥ୍ୟ ମନ୍ତ୍ରୀ ଏନେଇ ତୁରନ୍ତ ପଦକ୍ଷେପ ନେବା ଦରକାର।

Advertisment

ସେହିପରି ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଭିଯୋଗ ବି ସ୍ବତନ୍ତ୍ର ଥିଲା। ସେ କହିଥିଲେ, ରାଜ୍ୟ ସରକାର ପ୍ରତି ବ୍ଲକରେ ଦମ୍‌କଳ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ୩୧୪ଟି ବ୍ଲକରୁ ୩୧୩ଟି ବ୍ଲକରେ ଖୋଲିଛି। ଓଡ଼ିଶାର ଗୋଟିଏ ମାତ୍ର ବ୍ଲକ ସିମୁଳିଆ ଯେଉଁଠି ଆଜି ପର୍ଯ୍ୟନ୍ତ ଦମ୍‌କଳ କେନ୍ଦ୍ରଟିଏ ଖୋଲିପାରିଲାନି। ଘର ଜଳିପୋଡ଼ି ପାଉଁଶ ହେବା ପରେ ଏଠାରେ ଦମ୍‌କଳ ଗାଡ଼ି ପହଞ୍ଚେ। ସେ କହିଥିଲେ ସିମୁଳିଆରେ ଅଗ୍ନିକାଣ୍ଡ ହେଲେ ଖଇରା ବ୍ଲକରୁ ଦମ୍‌କଳ ଗାଡ଼ି ଆସେ। ବାଟରେ ଗୋଟିଏ ରେଳ ଲାଇନ୍ ପଡ଼େ। ଟ୍ରେନ୍ ଆସୁଥିଲେ ଦମ୍‌କଳ ଗାଡ଼ି ସେଇଠି ଅଟକିଯାଏ। ଏମିତି ଆଉ କେତେ ଦିନ ସିମୁଳିଆବାସୀଙ୍କ ପ୍ରତି ଅନ୍ୟାୟ ହେବ ବୋଲି କହିଥିଲେ।

ଗଣେଶ୍ବର ବେହେରା ଏପ୍ରିଲ ୧, ୨୦୦୪ ପରେ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ପୁରୁଣା ପେନସନ୍ ଲାଗୁ କରିବା, ନବକିଶୋର ମଲ୍ଲିକ ଜୟଦେବ ନିର୍ବାଚନ ମଣ୍ଡଳୀରେ କିପରି ବଇଁଚୁଆ ଓ ଅଚ୍ୟୁତପୁର କାଜ ଯୋଗୁ ବନ୍ୟା ହେଉଛି ଏବଂ ତା’ର ସ୍ଥାୟୀ ସମାଧାନ, ମନୋରଂଜନ ଦ୍ୟାନ ସାମନ୍ତରାୟ ଚିକିଟିରେ ଅଧିକ ଆଦିବାସୀ ସ୍କୁଲ ପ୍ରତିଷ୍ଠା କରିବା, ନିରଞ୍ଜନ ପୂଜାରୀ ସୋନପୁରରେ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତିରୁ ତେନ୍ତୁଳିଖୁଣ୍ଟା ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବା, ଅଶୋକ ମହାନ୍ତି ପାଲଲହଡ଼ାରେ ଜଳସେଚନ ସୁବିଧା କରିବା, ସୁଜାତା ସାହୁ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦୁର୍ଗା ପୂଜା ପୂର୍ବରୁ ଶେଷ କରିବା, ଶୁଭଷିନୀ ଜେନା ବସ୍ତା ଓ ବାଲିଆପାଳରେ ସ୍ବଳ୍ପବୃଷ୍ଟି ଯୋଗୁ ସୃଷ୍ଟି ହୋଇଥିବା ମରୁଡ଼ି ପରିସ୍ଥିତି, ବିଭୂତିଭୂଷଣ ପ୍ରଧାନ ପର୍ଜଙ୍ଗରେ ଓଟିପିସିଏଲ୍ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ସମସ୍ୟା, ରୂପେଶ କୁମାର ପାଣିଗ୍ରାହୀ ପାରଳାଖେମୁଣ୍ଡିରେ ବାଇପାସ୍ ନିର୍ମାଣ କରିବା, ବିଶ୍ବରଂଜନ ମଲ୍ଲିକ ବରୀରେ ଶୀତଳ ଭଣ୍ଡାର ନିର୍ମାଣ କରିବା, ଅଧିରାଜ ମୋହନ ପାଣିଗ୍ରାହୀ ବୋଡେଡ଼ ଓ ସିନାପାଲିରେ ଦୁଇଟି ସବ୍‌ରେଜିଷ୍ଟ୍ରି ଅଫିସ୍ ପ୍ରତିଷ୍ଠା କରିବା, ଅଗସ୍ତି ବେହେରା ଛେଣ୍ଡିପଦାରେ ଜଳସେଚନ ବ୍ୟବସ୍ଥା କରିବା, ଗୌତମବୁଦ୍ଧ ଦାସ ଖଡ଼ି ଚାଷକୁ କୃଷିର ମାନ୍ୟତା ଦେବା, ତୁଷାରକାନ୍ତି ବେହେରା କାକଟପୁରରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ପ୍ରସଙ୍ଗ ଉଠାଇଥିଲେ।

ଏହାପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଅର୍ଥ ବିଭାର ପ୍ରକାଶ ପାଇଥିବା ବିଭିନ୍ନ ବିଜ୍ଞପ୍ତିର କାଗଜ ଉପସ୍ଥାପନ କରିଥିଲେ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ୨୦୨୨-୨୩ ମସିହାର ୪୪ତମ ବାର୍ଷିକ ରିପୋର୍ଟ, ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଓଡ଼ିଶା ବନ ଉନ୍ନୟନ ନିଗମ ଲମିଟେଡର ୨୦୨୧-୨୨ ମସିହାର ୫୯ତମ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ।