କଟକ,୨୦।୪(ଇମିସ): ପୁଣି ଚିକିତ୍ସା ବିଜ୍ଞାନରେ ନୂଆ ଅଧ୍ୟାୟ ଯୋଡ଼ିଲା କଟକ ବଡ଼ ଡାକ୍ତରଖାନା। ରାଜ୍ୟର ପ୍ରଥମ ମେଡିକାଲ କଲେଜ ଭାବେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗରେ ଆଫେରେସିସ୍ ମେସିନ୍ ମାଧ୍ୟମରେ ‘ଥେରାପ୍ୟୁଟିକ୍ ପ୍ଲାଜ୍ମାଫେରେସିସ୍ ବା ପ୍ଲାଜ୍ମା ଏକ୍ସଚେଞ୍ଜ ପଦ୍ଧତିରେ ‘ଗୁଲେନ୍ ବାରି ସିନ୍ଡ୍ରୋମ୍' ରୋଗର ସଫଳ ଚିକିତ୍ସା କରାଯାଇଛି। ଏଥିରେ ନୂଆ ଜୀବନ ପାଇଛନ୍ତି ବରଗଡ଼ର ୬୦ ବର୍ଷୀୟା ମହିଳା ସରୋଜିନୀ ସାହୁ। ଏସ୍ସିବି ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗରେ ଏଭଳି ସଫଳ ଓ ଉଚ୍ଚମାନର ଚିକିତ୍ସା ପଦ୍ଧତିକୁ ନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍ କରିବା ସହ ବିଶେଷଜ୍ଞମାନଙ୍କୁ ସାଧୁବାଦ ଜଣାଇଛନ୍ତି।
ବରଗଡ଼ ଜିଲ୍ଲାର ସରୋଜିନୀ ଗତ ମାର୍ଚ୍ଚ ମାସରୁ ଅସୁସ୍ଥ ହୋଇପଡିବା ସହ ତାଙ୍କ ଗୋଡ ଝିମ୍ଝିମ୍ ହୋଇଥିଲା। ଧୀରେ ଧୀରେ ଦୁଇ ଗୋଡ, ହାତ ସବୁ ଅଚଳ ହୋଇପଡିବା ସହ ସେ ଖାଦ୍ୟ ମଧ୍ୟ ଖାଇ ପାରି ନଥିଲେ। ଯାହା ଫଳରେ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରୁ ଅଧିକ ଚିକିତ୍ସା ପାଇଁ ଭୀମ୍ସାର ମେଡିକାଲ କଲେଜକୁ ଯାଇଥିଲେ। ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏସ୍ସିବି ନ୍ୟୁରୋଲୋଜି ବିଭାଗରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ତାଙ୍କଠାରେ ‘ଗୁଲେନ୍ ବାରି ସିନ୍ଡ୍ରୋମ୍' ରୋଗ ଥିବା ଜଣାପଡିଥିଲା। ଏହି ରୋଗ ଦ୍ବାରା ନିଜ ଶରୀରର ଆଣ୍ଟିବଡି ନିଜ ଶରୀର ପାଇଁ ଘାତକ ସାଜିଥାଏ। ଏଭଳି ରୋଗ ଜଣାପଡିବା ପରେ ସରୋଜିନୀଙ୍କ ଚିକିତ୍ସା ପାଇଁ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍, ନ୍ୟୁରୋଲୋଜି, ନେଫ୍ରୋଲୋଜି ଓ ନିଶ୍ଚେତକ ବିଭାଗ ବିଶେଷଜ୍ଞଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ତାଙ୍କ ଶରୀରରେ ୫ଟି ପର୍ଯ୍ୟାୟରେ ୧୨ଦିନ ମଧ୍ୟରେ ୨ ଲିଟର ପ୍ଲାଜମା କଢାଯିବା ସହ ତା ବଦଳରେ ୨ଲିଟର ନୂତନ ପ୍ଲାଜମା ଦିଆଯାଉଥିଲା। ୫ଟି ପର୍ଯ୍ୟାୟରେ ଏଭଳି ଚିକିତ୍ସା ଦ୍ବାରା ଏବେ ଉକ୍ତ ରୋଗୀ ସୁସ୍ଥ ହେବା ସହ ତାଙ୍କ ହାତଗୋଡ ସଚଳ ହେବାରେ ଲାଗିଛି ଓ ସେ ଅନ୍ୟର ସାହାରା ମାଧ୍ୟମରେ ଛିଡା ମଧ୍ୟ ହୋଇ ପାରୁଛନ୍ତି। ଏପରିକି ସେ ଖାଦ୍ୟ ମଧ୍ୟ ଠିକ୍ଭାବରେ ଖାଇପାରୁଛନ୍ତି।
ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ମୁଖ୍ୟ ଦାୟିତ୍ବରେ ଥିବା ପ୍ରଫେସର ଡାକ୍ତର ସ୍ମିତା ମହାପାତ୍ରଙ୍କ ନେତୃତ୍ବରେ ନ୍ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅଶୋକ ମଲ୍ଲିକ, ନେଫ୍ରୋଲୋଜି ବିଭାଗ ଆସୋସିଏଟ୍ ପ୍ରଫେସର ଡାକ୍ତର ଅରୁଣା ଆଚାର୍ଯ୍ୟ ଓ ନିଶ୍ଚେତକ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନିବେଦିତା ପାଣିଙ୍କ ତତ୍ତ୍ବାବଧାନରେ ଏଭଳି ବିରଳ ରୋଗର ସଫଳ ଚିକିତ୍ସା କଟକ ବଡ ଡାକ୍ତରଖାନାରେ କରାଯାଇପାରିଛି। ଏହି ‘ଗୁଲେନ୍ ବାରି ସିନ୍ଡ୍ରୋମ୍' ରୋଗ ଦ୍ବାରା ରୋଗୀର ଶରୀର ପାରାଲିସିସ୍ ହୋଇ ଗୋଡରୁ ଉପରଭାଗକୁ ଯାଇଥାଏ ଓ ଶ୍ବାସକ୍ରିୟା ବନ୍ଦ ହୋଇଯିବା ଫଳରେ ରୋଗୀର ମୃତ୍ୟୁ ହୋଇଥାଏ ବୋଲି ଏସ୍ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, କୋଭିଡ୍ ସମୟରେ ଏସ୍ସିବି ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ଡାକ୍ତର ସ୍ମିତା ମହାପାତ୍ରଙ୍କ ନେତୃତ୍ବରେ ହଜାରେରୁ ଅଧିକ ପ୍ଲାଜମା ସଂଗ୍ରହ କରି ଏସ୍ସିବି ମେଡିକାଲ ଏକ ରେକର୍ଡ ସୃଷ୍ଟି କରିଥିଲା। ଯାହାକୁ ନେଇ ସେହି ସମୟରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରିବା ସହ ବ୍ୟକ୍ତିଗତଭାବେ ଫୋନ୍ ମାଧ୍ୟମରେ ଡାକ୍ତର ସ୍ମିତା ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଥିଲେ।