ପୁରୀରେ ହେବ ଏଏସ୍‌ଆଇର ନୂଆ ସର୍କଲ ମୁଖ୍ୟାଳୟ

ଭୁବନେଶ୍ବର : ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ବିଭାଗ (ଏଏସ୍‌ଆଇ)ର ଏକ ନୂଆ ସର୍କଲ ମୁଖ୍ୟାଳୟ ପୁରୀରେ ସ୍ଥାପନ ହେବ। ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ଦୀର୍ଘ ଦିନର ଦାବିକୁ ପୂରଣ କରିଛି। ପୁରୀରେ ଏଏସ୍‌ଆଇର ସର୍କଲ ମୁଖ୍ୟାଳୟ ହେବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ସୂଚନା ଦେଇଛନ୍ତି। ପୁରୀରେ ଏଏସ୍‌ଆଇର ଏକ ୟୁନିଟ୍ କାର୍ଯ୍ୟ‌ାଳୟ ଖୋଲିବା ପାଇଁ ରାଜ୍ୟ ସରକାର ପ୍ରାୟ ୧୦ବର୍ଷ ତଳୁ ଦାବି କରି ଆସୁଥିଲେ। ଏପରିକି ୨୦୧୩ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପୁରୀ ଗସ୍ତରେ ଆସିଥିବା ବେଳେ ତତ୍କାଳୀନ ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ରାଷ୍ଟ୍ରପତିଙ୍କୁ ଭେଟି ରାଜ୍ୟ ସରକାରଙ୍କ ଦାବି ବିଷୟରେ ଜଣାଇଥିଲେ। ଶ୍ରୀ ମୁଖାର୍ଜୀ ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପୁରୀରେ ଏଏସ୍‌ଆଇର ଏକ ୟୁନିଟ୍ କାର୍ଯ୍ୟ‌ାଳୟ ଖୋଲିବନି ବୋଲି ସଂସ୍କୃତି ମନ୍ତ୍ରଣାଳୟ ରୋକଠୋକ୍ କହିଦେଇଥିଲା।

ଟୁଇଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୁରୀରେ ଏଏସ୍‌ଆଇର ୟୁନିଟ୍ କାର୍ଯ୍ୟାଳୟ ପାଇଁ ରାଜ୍ୟ ସରକାର ୧୦ବର୍ଷ ହେଲା ଦାବି କରୁଥିଲେ

ଏହାପରେ ବି ରାଜ୍ୟ ସରକାର ଏଏସ୍‌ଆଇର ଏକ ୟୁନିଟ୍ କାର୍ଯ୍ୟାଳୟ ଖୋଲିବା ନେଇ ଦାବି କରି ଆସୁଥିଲେ। ଯାହା ଉପରେ ଏବେ ସଂସ୍କୃତି ମନ୍ତ୍ରଣାଳୟ ମୋହର ମାରିଛି। ଏଏସ୍‌ଆଇର ଏବେ ୭ଟି ସର୍କଲ ମୁଖ୍ୟାଳୟ ଭୁବନେଶ୍ବର, କୋଲକତା, ପାଟଣା, ଗୌହାଟୀ, ରାଞ୍ଚି, ଆଇଜଲ୍, ରାଇଗଞ୍ଜରେ ଅଛି। ପୁରୀରେ ଏଏସ୍‌ଆଇର ଅଷ୍ଟମ ସର୍କଲ ମୁଖ୍ୟାଳୟ ହେବ। ଏଏସ୍‌ଆଇର ଭୁବନେଶ୍ବର ସର୍କଲ ଅଧୀନରେ ରାଜ୍ୟର ୭୯ଟି କୀର୍ତ୍ତିରାଜି ଅଛି। ତେଣୁ ପୁରୀ ସର୍କଲ ମୁଖ୍ୟାଳୟ ଅଧୀନରେ ପୁରୀ ଜିଲ୍ଲାର ଶ୍ରୀ ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଚଉରାସିର ବରାହୀ ମନ୍ଦିର, ଅଠର ନଳା ବ୍ରିଜ୍ ଭଳି କୀର୍ତ୍ତିରାଜି ରହିବ ନା ଏହାବାଦ୍‌ ଆଉ କେଉଁ ଜିଲ୍ଲାର କେଉଁ କେଉଁ କୀର୍ତ୍ତିରାଜି ରହିବ ସେନେଇ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କିଛି ସୂଚନା ମିଳିନି।

ପୁରୀରେ ଏଏସ୍‌ଆଇର ସର୍କଲ ମୁଖ୍ୟାଳୟ ସ୍ଥାପନ ହେବା ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ୍ କହିଛନ୍ତି ଯେ, ଐତିହ୍ୟ, ସଂସ୍କୃତି ଓ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଓଡ଼ିଶା। ଆମର ସମୃଦ୍ଧ ପରମ୍ପରା, ଐତିହ୍ୟ ଓ ଗୌରବମୟ ସଭ୍ୟତାକୁ ପୁର୍ନସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିରନ୍ତର ଉଦ୍ୟମ କରୁଛନ୍ତି। ରାଜ୍ୟର ଗୌରବମୟ ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ଏବଂ ସଂରକ୍ଷଣ କରିବା ଦିଗରେ ପୁରୀଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ନିଷ୍ପତି ଏକ ବଡ଼ ପଦକ୍ଷେପ। ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ ଏହି ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଧନ୍ୟବାଦ।

ସମ୍ବନ୍ଧିତ ଖବର