ଗଡ଼ିଶାଗୋଦା : ସ୍ଥାନୀୟ ଜାଗୁଳାଇପଦରଠାରୁ ସାହସପୁର ଦେଇ କଉଡ଼ିଖଣି ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ନୂତନ କଂକ୍ରିଟ୍‌ ରାସ୍ତା ଢଳାଇର ତିନି ଦିନ ଭିତରେ ଫାଟିଯାଇଛି। ସ୍ଥାନୀୟ ଲୋକେ ନିମ୍ନମାନର ରାସ୍ତାକାମ ହୋଇଥିବା ଅଭିଯୋଗ ଆଣିଛନ୍ତି।

Advertisment

ସୂଚନା ମୁତାବକ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତାର ପ୍ରଶସ୍ତୀକରଣ କରାଯାଇଛି। କଉଡ଼ିଖଣି ଗ୍ରାମ ନିକଟରେ ରାସ୍ତା କାମ ନିମ୍ନମାନର ଚାଲିଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ବିଭାଗୀୟ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ରାସ୍ତାକାମ ବେଳେ ଅନୁପସ୍ଥିତ ରହୁଥିବାରୁ ଠିକାଦାର ଢଳାଇରେ ବାଲି, ସିମେଣ୍ଟ ଓ ଗୋଡ଼ିର ମନଇଚ୍ଛା ଭାଗମାପରେ ରାସ୍ତା ତିଆରି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ସେହିପରି ରାସ୍ତା ପାର୍ଶ୍ବରୁ ଏକ ଫୁଟ୍‌ ଖୋଳି ୬ ଇଞ୍ଚ ଢଳାଇ ହେବାକଥା। ତାହା ଠିକ୍‌ଭାବରେ ହୋଇ ନଥିବା ଅଭିଯୋଗ ହେଉଛି। ବାରମ୍ବାର ନିମ୍ନମାନର କାମ ହେଉଥିବା ନେଇ ଗ୍ରାମବାସୀ ଏହି କାମ ବନ୍ଦ କରିଥିଲେ। ପରେ ଠିକାଦର ଗ୍ରାମବାସୀଙ୍କ ପାଖରେ ପହଞ୍ଚି କାମ ଖରାପ ହେବନି ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଗତ ଶୁକ୍ରବାର ରାସ୍ତାର ଢଳାଇ ପଡ଼ିଥିଲା। କିନ୍ତୁ ରବିବାର ସୁଦ୍ଧା ଢଳାଇ ଟାଣ ହୋଇନଥିବାରୁ ଯାନବାହନ ଗଲାବେଳେ ରାସ୍ତା ଫାଟିଯାଇଥିଲା। ଫଳରେ ଏକ ହାଇୱା ଗାଡ଼ି ଫସି ରହିଥିଲା। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ପାଢ଼ୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କର ଅବଗତ ଥିବା ବେଳେ ଠିକାଦାରଙ୍କୁ ଭାଙ୍ଗିଥିବା ସ୍ଥାନକୁ ଭଲଭାବରେ ଭାଙ୍ଗି ଆଉଥରେ ଢଳାଇ କରିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।