କଟକ : ହାଇସ୍କୁଲରେ ପ୍ରଚଳନ ହେଲା ନୂତନ ପାଠ୍ୟକ୍ରମ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏହି ପାଠ୍ୟକ୍ରମକୁ ହାଇସ୍କୁଲ ଓ ମଧ୍ୟମା(ସଂସ୍କୃତ ଟୋଲ୍) ପାଇଁ ପ୍ରସ୍ତୁତି କରାଯାଇଛି। ଶହେ ନମ୍ବର ବିଶିଷ୍ଟ ନୂତନ ପାଠ୍ୟକ୍ରମକୁ ଆସ୍ପିରେସ୍ନାଲ କମ୍ପୋନେଣ୍ଟ୍(ଉଚ୍ଚାଭିଳାଷ ଶିକ୍ଷା) ବୋଲି କୁହାଯାଉଛି। ଏହି ପାଠ୍ୟକ୍ରମରେ ବୁକ୍ ରିଭ୍ୟୁ(ପୁସ୍ତକ ସମୀକ୍ଷା), ପ୍ରୋଜେକ୍ଟ ୱାର୍କ(ପ୍ରକଳ୍ପ କାର୍ଯ୍ୟ), କୋ-କରିକୁଲାର ଆକ୍ଟିଭିଟି (ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକଳାପ), ବେସିକ୍ ଆଇଟି ସ୍କିଲ୍(ମୌଳିକ ସୂଚନା-ପ୍ରଯୁକ୍ତିବିଦ୍ୟା କୌଶଳ) ଭଳି ୪ଟି ବିଭାଗ ରହିଛି।
ଆସନ୍ତା ଶିକ୍ଷାବର୍ଷରୁ ମାଟ୍ରିକ୍ରେ ୭ଶହ ନମ୍ବର ପରୀକ୍ଷା
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ଏହି ପାଠ୍ୟକ୍ରମ ନବମ ଶ୍ରେଣୀ(ହାଇସ୍କୁଲ ଓ ମଧ୍ୟମା)ରେ ପ୍ରଚଳନ କରାଯିବ। ଆସନ୍ତା ଶିକ୍ଷାବର୍ଷ(୨୦୨୩-୨୪)ରୁ ଏହା ଉଭୟ ନବମ ଓ ଦଶମ ପାଇଁ ଲାଗୁହେବ। ୨୦୨୩-୨୪ ଶିକ୍ଷାବର୍ଷରୁ ମାଟ୍ରିକ୍ରେ ୭ଶହ ନମ୍ବର ପରୀକ୍ଷା ହେବ। ଆସ୍ପିରେସ୍ନାଲ କମ୍ପୋନେଣ୍ଟ୍ର ପରୀକ୍ଷା ଓ ମୂଲ୍ୟାୟନ ବିଦ୍ୟାଳୟସ୍ତରରେ କରାଯାଇ ଏହାର ନମ୍ବରରୁ ଅନ୍ଲାଇନ୍ରେ ବୋର୍ଡକୁ ପଠାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୋମବାର ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି।
ଉପସଭାପତି ଡକ୍ଟର ମହାନ୍ତିଙ୍କ ସୂଚନା ଅନୁସାରେ, ନୂଆ ପାଠ୍ୟକ୍ରମ ଆସ୍ପିରେସ୍ନାଲ କମ୍ପୋନେଣ୍ଟ୍ରେ ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲାର ଆକ୍ଟିଭିଟି, ବେସିକ୍ ଆଇଟି ସ୍କିଲ୍ ଭଳି ୪ଟି ବିଭାଗ ରହିଛି। ଏହା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଓ ଧୀଶକ୍ତିର ବିକାଶ କ୍ଷେତ୍ରରେ ସହାୟକ ହେଉଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବୋର୍ଡ ଏହାକୁ ଲାଗୁ କରିଛି।
ଚଳିତବର୍ଷ ଏହା କେବଳ ନବମ ଶ୍ରେଣୀ ପାଇଁ ଓ ଆସନ୍ତାବର୍ଷଠୁ ଏହା ଉଭୟ ନବମ ଓ ଦଶମ ଶ୍ରେଣୀରେ ପ୍ରଚଳିତ ହେବ। ଆସ୍ପିରେସ୍ନାଲ କମ୍ପୋନେଣ୍ଟ୍ର ପ୍ରତି ବିଭାଗରୁ ୨୫ନମ୍ବର ଲେଖାଏ ପରୀକ୍ଷା ହେବ ଓ ମୋଟ ୧୦୦ ନମ୍ବର ପରୀକ୍ଷା ହେବ। ପ୍ରତି ବିଭାଗର ପରୀକ୍ଷା ୪ଟି ପର୍ଯ୍ୟାୟରେ ହେବ। ପ୍ରଥମ ୩ଟି ପର୍ଯ୍ୟାୟ ପରୀକ୍ଷା ୫ନମ୍ବର ବିଶିଷ୍ଟ ଓ ୪ର୍ଥ(ଶେଷ) ପର୍ଯ୍ୟାୟ ପରୀକ୍ଷାଟି ୧୦ନମ୍ବର ବିଶିଷ୍ଟ ହେବ। ମୂଲ୍ୟାୟନ ସଂପୃକ୍ତ ବିଷୟ ଶିକ୍ଷକଙ୍କ ଦ୍ବାରା କରାଯାଇ ବୋର୍ଡକୁ ଅନ୍ଲାଇନ୍ରେ ମାର୍କ ପଠାଯିବ ବୋଲି ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି। ଛାତ୍ରଛାତ୍ରୀଙ୍କ ନମ୍ବରକୁ ଅନୁଧ୍ୟାନ କରି ବୋର୍ଡ ପକ୍ଷରୁ ଗ୍ରେଡ୍ ଦିଆଯିବ ଓ ଏହା ମାଟ୍ରିକ୍ ସାର୍ଟିଫିକେଟରେ ପ୍ରତିଫଳିତ ହେବ। ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଲେ ଗ୍ରେଡ୍-ଏ, ୬୦ରୁ ୮୦ପ୍ରତିଶତ ନମ୍ବର ରହିଲେ ଗ୍ରେଡ୍-ବି, ୬୦ରୁ ୪୦ ପ୍ରତିଶତ ରଖିଲେ ଗ୍ରେଡ୍-ସି ଓ ୪୦ ପ୍ରତିଶତରୁ ଅଧିକ ରଖିଲେ ଗ୍ରେଡ୍-ଡି ମିଳିବ ବୋଲି ଡକ୍ଟର ମହାନ୍ତି କହିଛନ୍ତି। ପୂର୍ବରୁ ହାଇସ୍କୁଲ ଛାତ୍ରଛାତ୍ରୀ ଯେଉଁ ୬ଶହ ନମ୍ବର ପରୀକ୍ଷା ଦେଉଥିଲେ, ତାହାବ୍ୟତୀତ ଏହା ଅତିରିକ୍ତ ୧୦୦ ନମ୍ବର ପରୀକ୍ଷା ହେବ। ଏସଂକ୍ରାନ୍ତରେ ସବିଶେଷ ତଥ୍ୟ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ବୋଲି ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା, ବୋର୍ଡ ସଂପାଦକ ଶ୍ରୀକାନ୍ତ ତରାଇ, ପରୀକ୍ଷା ନିୟନ୍ତ୍ରକ ସୁସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।