ଭାଷା ହେଉଛି ଗୋଟିଏ ଜାତିର ପରିଚୟ। ଭାଷା ଅତୀତର ଅସ୍ତିତ୍ୱ, ଭାଷା ହିଁ ଭବିଷ୍ୟତ। ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ତଥା ଗବେଷଣାକୁ ପ୍ରାଧାନ୍ୟ ଦେଇ ଆରମ୍ଭ ହୋଇଛି ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ତିନି ଦିନଆ ଏହି ସମ୍ମିଳନୀକୁ ପ୍ରତିଟି ଓଡ଼ିଆଙ୍କ ପାଇଁ ସମର୍ପିତ କରାଯାଇଛି। ଓଡ଼ିଆପଣ ଓ ଓଡ଼ିଆ ଭାବାବେଗ ସହ ଯୋଡ଼ି ହୋଇଛି ଏହି ସମ୍ମିଳନୀ। ଉଦ୍ଘାଟନୀ ପର୍ବରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି ରାଜ୍ୟ, ଦେଶ ତଥା ବିଦେଶରେ ରହୁଥିବା କୋଟି କୋଟି ଓଡ଼ିଆ ସମ୍ମିଳନୀରେ ସାମିଲ ହୋଇଛନ୍ତି। ଏହି ଭବ୍ୟ କାର୍ଯ୍ୟକ୍ରମ ନୂଆପିଢ଼ିଙ୍କୁ ପ୍ରଭାବିତ କରିବା ସହ ଭାଷା ସହ ଯୋଡ଼ୁଛି। ଏଠାରେ ପ୍ରାଚୀନଯୁଗ ଠାରୁ ଆରମ୍ଭ କରି ମଧ୍ୟଯୁଗ, ଆଧୁନିକ ଯୁଗରେ କିଭଳି କଳା, ସାହିତ୍ୟ, ସଂସ୍କୃତି, ସ୍ଥାପତ୍ୟ, ନୈବାଣିଜ୍ୟ ପରମ୍ପରା ପ୍ରମୁଖରେ ଭାଷାର ବ୍ୟବହାର ହୋଇଛି ତାହା ସ୍ଥାନ ପାଇଛି। ଏଥିସହ ମହାପୁରୁଷଙ୍କ ନାମରେ ନାମିତ ୫ଟି କକ୍ଷରେ ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମ ବିକାଶ, ଓଡ଼ିଶାର ପ୍ରତ୍ନତତ୍ତ୍ବ, ଆଧୁନିକ ସାହିତ୍ୟ ପ୍ରମୁଖ ବିଭିନ୍ନ ବିଷୟବସ୍ତୁ ଉପରେ ସାରଗର୍ଭକ ଆଲୋଚନା ନୂଆପିଢ଼ିଙ୍କୁ ଭାଷା ସହ ଯୋଡ଼ୁଛି। ଆଲୋଚନା ନିଷ୍କର୍ଷକୁ ନେଇ ଓଡ଼ିଆ ଭାଷା ନୀତି ପ୍ରଣୟନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପ୍ରତିଟି ଓଡ଼ିଆଙ୍କୁ ଖୁସି ଆଣି ଦେଇଛି।
କାନ୍ଥରେ ଉତ୍କଳର ପ୍ରାଚୀନ ଇତିହାସ ଓ ଭୂଗୋଳର ବାଖ୍ୟା
ବିଶ୍ୱ ଭାଷା ସମ୍ମିଳନୀର ପ୍ରତିଟି କାନ୍ଥ ବର୍ଣ୍ଣନା କରୁଛି ଉତ୍କଳର ପ୍ରାଚୀନ ଇତିହାସ ଓ ଭୂଗୋଳ। ପ୍ରାଚୀନ ଯୁଗ କକ୍ଷରେ ଆଦିମ ମାନବର କଥା, ଜୀବନଶୈଳୀ, ଅସ୍ତ୍ରଶସ୍ତ୍ର, ମଧ୍ୟଯୁଗରେ ଖାରବେଳଙ୍କ ରାଜ୍ୟ ଜୟ, ଓଡ଼ିଶା ପ୍ରଦେଶର ଗଠନ, ବିଧାନସଭାର ବିବରଣୀ, ନୌବାଣିଜ୍ୟର ଐତିହ୍ୟ ବର୍ଣ୍ଣନା କରାଯାଇଥିଲା ବେଳେ ଆଧୁନିକ ଯୁଗ କକ୍ଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହସ୍ତକଳା ଓ ହସ୍ତତନ୍ତ୍ର ପ୍ରଚାର ଓଡ଼ିଶା ଚଳଚ୍ଚିତ୍ରର ଧାରା, କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ହେଉଥିବା ଯୋଜନା, କଳିଙ୍ଗ ଷ୍ଟୁଡିଓର ରୂପରେଖ ଆଦିର ବିସ୍ତୃତ ବର୍ଣ୍ଣନା ହୋଇଛି। ଜନଜାତି ସଂଗ୍ରହାଳୟ, ଜାତୀୟ ଅଭିଲେଖାଗାର, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ନୌ ବାଣିଜ୍ୟ ସଂଗ୍ରହାଳୟ ଆଦି ସଂସ୍ଥା ପକ୍ଷରୁ ଏହା ପ୍ରଦର୍ଶିତ ହୋଇଛି। ଦର୍ଶକମାନେ ଏହା ଦେଖିବା ସହିତ ଫଟୋ ମଧ୍ୟ ଉଠାଇ ନେଉଛନ୍ତି।
ଖଣ୍ଡୁଆ ପାଟରେ ‘ଗୀତଗୋବିନ୍ଦ’
ସମ୍ମିଳନୀରେ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ପକ୍ଷରୁ ପ୍ରଦର୍ଶନୀ କକ୍ଷରେ ଶୋଭା ପାଉଛି ଖଣ୍ଡୁଆ ପାଟରେ ‘ଗୀତଗୋବିନ୍ଦ’। ଏହା ଓଡ଼ିଶାର ଏକ ପାରମ୍ପରିକ ପାଟ। ସେଥିରେ ‘ଗୀତଗୋବିନ୍ଦ’ର ପଦ ଓ ଚିତ୍ର ବୁଣା ହୋଇଛି। ଏହି ବିଶେଷ ଖଣ୍ଡୁଆ ପାଟ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିହୁଏ।
ମିଲେଟ୍ ମଞ୍ଜି ଓ ଉତ୍ପାଦନ ଦେଖିବାକୁ ଭାରି ଆଗ୍ରହ
ପୂର୍ବରୁ ଆଦିବାସୀ ଖାଦ୍ୟ କହି ନାକ ଟେକୁଥିବା ମିଲେଟ୍ଯୁକ୍ତ ଖାଦ୍ୟର ବର୍ତ୍ତମାନ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଜନସାଧାରଣ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମିଲେଟ୍ ଖାଦ୍ୟପଦାର୍ଥକୁ ଗୁରୁତ୍ୱ ଦେଉଛନ୍ତି। ଫଳରେ ଦିନକୁ ଦିନ ଏହାର ଚାଷ ମଧ୍ୟ ବଢ଼ୁଛି। ଭାଷା ସମ୍ମିଳନୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରଦର୍ଶନୀରେ ୪୦ ପ୍ରକାର ମିଲେଟ୍ ପ୍ରଦର୍ଶିତ କରାଯାଇଛି। ତନ୍ମଧରୁ ସୁଆଁ, କାଙ୍ଗି, ରାଗି, ଖେଡଜନ, ସରଗମ, ବାର୍ଲି, ମାଣ୍ଡିଆ, ଲିଟିଲ ମିଲେଟସ୍, ବାଜରା ଆଦିର ମଞ୍ଜି ସହିତ ଏହାର ରୋପଣ ପଦ୍ଧତି ମଧ୍ୟ ପ୍ରଦର୍ଶିତ ହୋଇଛି। ଲୋକମାନେ ଏହି ଷ୍ଟଲକୁ ଆସି ମିଲେଟ୍ ସାମଗ୍ରୀଗୁଡ଼ିକ ଦେଖିବା ସହିତ ଏହାର ରୋପଣ ପଦ୍ଧତି ସମ୍ପର୍କରେ ମଧ୍ୟ ବୁଝୁଛନ୍ତି। ଏହି ମିଲେଟଗୁଡ଼ିକ କୋରାପୁଟ, ରାୟଗଡ଼ା, ନୂଆପଡ଼ା, ମୟୁରଭଞ୍ଜ, ମାଲକାନାଗିରି , କନ୍ଧମାଳ ଆଦି ଜିଲ୍ଲାରୁ ସଂଗୃହିତ ହୋଇଛି।
ନମସ୍କାର! ମୁଁ ରୋବୋଟ୍ ମିତ୍ରା
ଭାଷା ହିଁ ଆମର ଭବିଷ୍ୟତ। ଆଉ ଭାଷାର ଭବିଷ୍ୟତ ହେଉଛି କମ୍ପ୍ୟୁଟର କି-ବୋର୍ଡ, ଅତ୍ୟାଧୁନିକ ଫଣ୍ଟ, ଏଆର୍/ଭିଆର୍ ଏବଂ ରୋବୋଟ୍ ଇତ୍ୟାଦି। ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଓଡ଼ିଆ ଭାଷାର କିପରି ଆଧୁନିକ ପ୍ରୟୋଗର ପ୍ରସାର କରାଯାଇ ପାରିବ ତାହାର ଏକ ସୁନ୍ଦର ଉପସ୍ଥାପନା ହେଉଛି ‘ଡୋମ୍ ଅଫ୍ ଦ ଫ୍ୟୁଚର’। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଦର୍ଶନୀ ମଧ୍ୟରେ ଏହି ଆଇଟି ଗ୍ୟାଲେରି ନୂଆପିଢ଼ି ପାଇଁ ବିଶେଷ ଆକର୍ଷଣ ପାଲଟିଛି। ଗ୍ୟାଲେରିରେ ଏସ୍ପିକେ ମ୍ୟାକ୍ଙ୍କ ଦ୍ବାରା ପ୍ରସ୍ତୁତ ୨ଟି ହ୍ୟୁମାନ୍ ଓ ଦୁଇଟି ମୋବାଇଲ୍ ରୋବୋଟ୍ ରହିଛି। ଯେକେହି ରୋବୋଟ୍ ପାଖକୁ ଗଲେ ‘ନମସ୍କାର- ମୁଁ ରୋବୋଟ୍ ମିତ୍ରା। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମଳିନୀକୁ ଆପଣଙ୍କୁ ସ୍ବାଗତ କରୁଛି...’ କହି ହାତ ବଢ଼ାଉଛି। ଏଥିସହ ମଣିଷ ପରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛି। ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଭାଷାକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସହ ଯୋଡ଼ି ଓଡ଼ିଶା ଭର୍ଚୁଆଲ ଏକାଡେମୀ ପକ୍ଷରୁ ୧୦ଟି ଫଣ୍ଟ(ଓଡ଼ିଆ), ଟାଇପିଂ ଟୁଲ୍ ଓ କି-ବୋର୍ଡ ପ୍ରସ୍ତୁତ କରାଯାଇଛି। ଯାହାକୁ ମୋବାଇଲ୍, କମ୍ପ୍ୟୁଟରରେ ଓଡ଼ିଆ ଭାଷାରେ ଲେଖିବାକୁ ବ୍ୟବହାର କରାଯାଇପାରିବ। ଏଥିସହ ଓଡ଼ିଆ ଉଇକିପିଡ଼ିଆରେ ଲିଖନ ଓ ସମ୍ପାଦନା, ଫୋର୍ କେ ଭିଆର୍ ଦ୍ବାରା ଭର୍ଚୁଆଲ ରିଆଲିଟି ପ୍ରମୁଖ ସ୍ଥାନ ପାଇଛି। ଦିବ୍ୟାଙ୍ଗ କିମ୍ବା ଅତିବୟସ୍କ ବ୍ୟକ୍ତିଙ୍କ ପାଇଁ ଏଲ୍ଇଡି ସ୍କ୍ରିନ୍ ଜରିଆରେ ସମ୍ପୂର୍ଣ୍ଣ ପ୍ରଦର୍ଶନୀ ଦେଖିବାକୁ ସୁଯୋଗ ରହିଛି।
ମାତୃଭାଷାରେ ଭାବ ବିନିମୟ
ଆଜିର ଡିଜିଟାଲ ଯୁଗରେ ମୋବାଇଲ, କମ୍ପ୍ୟୁଟର ଭଳି ଯନ୍ତ୍ର ଭାବ ବିନିମୟର ମାଧ୍ୟମ ସାଜିଛି। ଫଳରେ ଚିଠିର ମହତ୍ତ୍ୱ ଓ ଏଥିସହିତ ଯୋଡ଼ି ହୋଇଥିବା ସ୍ମୃତି ଦିନକୁ ଦିନ ହଜିବାରେ ଲାଗିଛି। ପୁଣି ଥରେ ଏହି ଅଭୁଲା ସ୍ମୃତିକୁ ଫେରାଇ ଆଣିବା ପାଇଁ ‘ଡାକରୁମ୍’ ଓ ‘ଜିପିଓ ଓଡ଼ିଶା’ର ମିଳିତ ଆନୁକୁଲ୍ୟରେ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀ, ଖାଦ୍ୟ ପଦାର୍ଥ, ଐତିହ୍ୟସ୍ଥଳୀ, ପର୍ଯ୍ୟଟନ ଆଦି ଚିତ୍ରିତ ପୋଷ୍ଟ କାର୍ଡ ପ୍ରଦର୍ଶିତ କରାଯାଇଛି। ଏଥିରେ ଓଡ଼ିଆ ଭାଷାରେ ନିଜ ପ୍ରିୟଜନଙ୍କୁ ଓଡ଼ିଆର ସଂସ୍କୃତି ସହିତ ପରିଚିତ କରାଇବା ପାଇଁ ଏହି ପୋଷ୍ଟକାର୍ଡରେ ସମୂର୍ଣ୍ଣ ଠିକଣା ଲେଖିବାର ବ୍ୟବସ୍ଥା ମଧ୍ୟ ହୋଇଛି। ବହୁଲୋକ ସେଥିରେ ଅଂଶ ଗ୍ରହଣ କରୁଥିବା ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ଶିବାନୀ ମେହେତା କହିଛନ୍ତି।
ଗଛରେ ପାରଂପରିକ ବାଦ୍ୟଯନ୍ତ୍ରର କାହାଣୀ
ଧିମା ଆଲୁଅ ଭିତରେ ବଂଶୀ ଓ ମର୍ଦ୍ଦଳର ମୃଦୁ ଗୁଞ୍ଜରଣ ମନପ୍ରାଣକୁ ଉଲ୍ଲସିତ କରୁଛି। ଏହି ମନୋଜ୍ଞ ପରିବେଶ ଭିତରେ ଶୋଭା ପାଉଛି ମ୍ୟୁଜିକାଲ୍ ଟ୍ରି ବା ବାଦ୍ୟଯନ୍ତ୍ର ବୃକ୍ଷ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ହଜି ଯାଇଥିବା ଓଡ଼ିଶାର ଲୋକବାଦ୍ୟକୁ ସଂଗ୍ରହ କରାଯାଇ ଏକ ମ୍ୟୁଜିକାଲ୍ ଟ୍ରି ବା ବାଦ୍ୟଯନ୍ତ୍ର ବୃକ୍ଷ ପ୍ରସ୍ତୁତ କରାଯାଇଛି। ଏହା ଲୋକଙ୍କୁ ବେଶ୍ ଆକର୍ଷଣ କରୁଛି। ସଚିବ ପ୍ରବୋଧ ରଥଙ୍କ ଉଦ୍ୟମରେ ମାଟିଢ଼ୋଲଠାରୁ ଆରମ୍ଭ କରି ଯୋଡ଼ିନାଗରା, ବ୍ରହ୍ମବୀଣା, ଝାଞ୍ଜ, ଖଞ୍ଜଣି, ମାଟି କାହାଳୀ, ଢୋଲ, ତୁରୀ, ସିଙ୍ଗା, ଲାଉଚା, ଗୋପୀଯନ୍ତ୍ର, ଦୁଲ୍ଦୁଲି ପରି ୧୦୯ଟି ବାଦ୍ୟଯନ୍ତ୍ର ସ୍ଥାନ ପାଇଛି। ଏଥିସହ ସଂଚାର ମୃଦଙ୍ଗ, ଉତ୍ତରାଖଣ୍ଡି, ମାଟି ମର୍ଦ୍ଦଳ, ନଦିଆ ମୃଦଙ୍ଗ ଭଳି ୧୫ରୁ ଅଧିକ ମୃଦଙ୍ଗ ଏହି ପ୍ରଦର୍ଶନୀର ଶୋଭା ବଢ଼ାଉଛି। ଏଥିସହ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ରଘୁନାଥ ପାଣିଗ୍ରାହୀ, ଗୁରୁ କେଳୁଚରଣ ମହାପାତ୍ର, ପ୍ରଫୁଲ୍ଲ କରଙ୍କ ଭଳି ୩୩ ଜଣ କାଳଜୟୀ ସ୍ରଷ୍ଟାଙ୍କ ଫଟୋଚିତ୍ରକୁ ସଜେଇ ରଖାଯାଇଛି। ଏଠାରେ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟୟନରତ ବିଦ୍ୟାର୍ଥୀ ତୁଷାର ଧଙ୍ଗଡ଼ା ମାଝୀଙ୍କ ରାଗ ଭୈରବୀ ଆଧାରିତ ବଂଶୀ ବାଦନ ଓ ସୌମ୍ୟକାନ୍ତ ମଲ୍ଲିକଙ୍କ ୧ ତାଳି ପର୍ଯ୍ୟବେଶିତ ଶ୍ରୁତି ମଧୁର ସଙ୍ଗୀତ ହୃଦୟକୁ ଛୁଉଁଛି।
ଖବରକାଗଜ ବଖାଣୁଛି ପ୍ରାଚୀନ ଐତିହ୍ୟ
ଖବରକାଗଜ ସମାଜର ଦର୍ପଣ। ଓଡ଼ିଶାର କଳା, ସଂସ୍କୃତି ଓ ସ୍ଥାପତ୍ୟର ପ୍ରଚାରପ୍ରସାରରେ ମଧ୍ୟ ଏହାର ପ୍ରମୁଖ ଭୂମିକା ରହିଛି। ତେଣୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ପେପରମ୍ୟାନ୍ ଶଶାଙ୍କ ଶେଖର ଦାସଙ୍କ ପ୍ରୟାସରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଏକ ସ୍ୱତନ୍ତ୍ର ଖବରକାଗଜ ଷ୍ଟଲ୍ ଖୋଲାଯାଇଛି। ଏଥିରେ ୧୯୨୯ ମସିହାରୁ ସଂଗୃହିତ ଦୈନିକ, ମାସିକ, ସାପ୍ତାହିକ ଆଦି ଖବରକାଗଜ ସହ ରାଜ୍ୟ ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ ରଖାଯାଇଛି। ଷ୍ଟଲ୍ରେ ବର୍ଣ୍ଣମାଳାର ‘ଅ’ ଠାରୁ ଆରମ୍ଭ କରି ‘ଲ’ ପର୍ଯ୍ୟନ୍ତ ସମସ୍ତ ବର୍ଣ୍ଣମାଳାର ଖବରକାଗଜ ସ୍ଥାନିତ ହୋଇଛି। ଏତେ ସଂଖ୍ୟକ ଓ ଲୁପ୍ତପ୍ରାୟ ଖବରକାଗଜକୁ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହେବା ସହ ସରକାରଙ୍କ ଉଦ୍ୟମକୁ ପ୍ରଂଶସା କରିଛନ୍ତି।
ସେଲ୍ଫି ପଏଣ୍ଟ ପାଲଟିଛି ଜ୍ଞାନକେନ୍ଦ୍ର
ଜନତା ମଇଦାନରେ ହୋଇଥିବା ‘ସେଲ୍ଫି ପଏଣ୍ଟ’ ପାଲଟିଛି ଜ୍ଞାନକେନ୍ଦ୍ର। ସେଲ୍ଫି ଉଠାଇବା ସମୟରେ ଦର୍ଶକମାନେ ନିଜ ନିଜ ମଧ୍ୟରେ ଓଡ଼ିଆ ବର୍ଣ୍ଣମାଳାର ପରୀକ୍ଷା ନେଉଛନ୍ତି। କିଏ କେତେ ବେଗରେ ଓ ନିର୍ଭୁଲ୍ ଭାବରେ କହିପାରୁଛି, ସେନେଇ ପ୍ରତିଯୋଗିତା ଚାଲିଛି। ସେହିପରି କିଛି ସେଲ୍ଫି ପଏଣ୍ଟ୍ରେ ଓଡ଼ିଆ ସାହିତ୍ୟର ବର୍ଣ୍ଣନା ରହିଛି। ଏଥିରେ ଚିତ୍ରିତ ହୋଇଛି ‘ଭଞ୍ଜ ପ୍ରଦୀପ’, ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’, ‘ଉତ୍କଳ ସାହିତ୍ୟ’ର ପଂକ୍ତି ସମୂହ ଓ ଧଉଳିର ଶିଳାଲେଖ। ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ଓଡ଼ିଆ ବର୍ଣ୍ଣମାଳାଠାରୁ ଆରମ୍ଭ କରି ଓଡ଼ିଶାର କଳା ଓ ସ୍ଥାପତ୍ୟର ଛବି ପ୍ରଦର୍ଶନ କରୁଛି।
ଟାଣୁଛି କଳିଙ୍ଗର ସ୍ଥାପତ୍ୟ
ସାହାଣ ପଥରକୁ ଘସି ଖୋଦେଇ ହୋଇଥିବା ଜଗନ୍ନାଥ ମନ୍ଦିରର ଭୋଗ ମଣ୍ଡପ ଏଥିରେ ପ୍ରଦର୍ଶିତ ହୋଇଛି। ଏହାର ଦ୍ୱାରଦେଶରେ ଦୁଇ ଜଳଦେବୀ - ଗଙ୍ଗା ଓ ଯମୁନାଙ୍କ ମୂ୍ର୍ତ୍ତି, ଉପର ଭାଗରେ ନବଗ୍ରହଙ୍କୁ ମଧ୍ୟ ଖୋଦିତ କରାଯାଇଛି। ଦର୍ଶକଙ୍କୁ ଏହି କାରୁକାର୍ଯ୍ୟର ସମୂର୍ଣ୍ଣ ତଥ୍ୟ ମଧ୍ୟ ପ୍ରକୋଷ୍ଠରେ ଉପସ୍ଥାପନା କରାଯାଇଛି। କେବଳ ଜଗନ୍ନାଥ ମନ୍ଦିରର ନୁହେଁ, ଲିଙ୍ଗରାଜ ମନ୍ଦିରର ଭୋଗ ମଣ୍ଡପ ଓ ଏଥିରେ ଥିବା ନାଗ, ମିଥୁନ, ଗଜ, ଇନ୍ଦ୍ର, ସୁର ସୁନ୍ଦରୀ ଆଦିଙ୍କୁ ମଧ୍ୟ ଦର୍ଶାଯାଇଛି। ଏହା ସହିତ ଏଥିରେ ସ୍ଥାନ ପାଇଛି ବିକ୍ରମଖୋଲ ଓ ଉଲ୍ଲୁପଗଡ଼ର ପ୍ରସ୍ତରଗୁମ୍ଫା, ଶିଶୁପାଳଗଡ଼ରୁ ଆବିଷ୍କୃତ ପ୍ରସ୍ତର ରେଲିଂ, ସୁନା ଅଳଙ୍କାର, ମେଘେଶ୍ୱର ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ହାତୀ ଗୁମ୍ଫାର ଶିଳାଲେଖ ମଧ୍ୟ ପ୍ରଦର୍ଶିତ ହେଉଛି।
ଦାସିଆ ଅଜାଙ୍କ ପାଠାଗାର
ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ପାଠାଗାର ସୁବିଧା ଯୋଗାଇବା ତଥା ଓଡ଼ିଆ ପରମ୍ପରାର ଦୁର୍ମୂଲ୍ୟ ଜିନିଷଗୁଡ଼ିକୁ ଭବିଷ୍ୟତ ପିଢ଼ି ପାଇଁ ସାଇତିବା ଥିଲା ଦାଶରଥୀ ପଟ୍ଟନାୟକଙ୍କର ସ୍ବପ୍ନ। ସେଥିପାଇଁ ସାରା ଜୀବନ ଓଡ଼ିଶାର ଗାଁ ଗାଁ ବୁଲୁଥିଲେ। ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପରିସରରେ ଦାଶରଥୀ ପଟ୍ଟନାୟକଙ୍କ ପାଠାଗାର ମଧ୍ୟଯୁଗ କକ୍ଷରେ ସ୍ଥାନ ପାଇଛି। ଏଥିରେ ଗୁଆପତ୍ରରେ ଓଡ଼ିଆ ଭାଗବତ ଓ ପୋଥି, ଚନ୍ଦ୍ରପୃଷ୍ଠର ପଥର, ଅନେକ ପୁରାତନ ପତ୍ରପତ୍ରିକା, ଉତ୍କଳମଣି ଗୋପବନ୍ଧୁଙ୍କ ବାକ୍ସ, ବ୍ରିଟିସମାନଙ୍କ ବ୍ୟବହୃତ ଟେଲିଫୋନ, ସଚ୍ଚି ରାଉତରାୟଙ୍କ ଟାଇପ୍ ରାଇଟର୍, ପାରଳା ମହାରାଜାଙ୍କ ବ୍ୟବହୃତ ଖଣ୍ଡା ଆଦି ପ୍ରଦର୍ଶିତ କରାଯାଇଛି। ଏସବୁକୁ ଦେଖିବାଲାଗି ଲୋକଙ୍କ ମଧ୍ୟରେ ନାହିଁ ନଥିବା ଆଗ୍ରହ ପରିଲକ୍ଷିତ ହେଉଛି।
ମାଳି କହେ ଭାଗବତ କଥା
ଉପାସକମାନେ ପ୍ରାୟତଃ ତୁଳସୀ ମାଳା ବ୍ୟବହାର କରି ଜପ କରିଥାନ୍ତି। କିନ୍ତୁ ଏମିତି ଏକ ମାଳା ଅଛି, ଯାହାକୁ ଜପ କରିବା ସହ ଭାଗବତ ମଧ୍ୟ ପଢ଼ିହେବ। ତାଳପତ୍ରରେ ପ୍ରସ୍ତୁତ ଭାଗବତମାଳାରେ ଓଡ଼ିଆ ଭାଗବତ ଲିପିବଦ୍ଧ ହୋଇଛି। ଏହି ମାଳାରେ ୫୪ଟି ମାଳି ଅଛି, ଯେଉଁଥିରେ ଓଡ଼ିଆ ଭାଗବତର ୧୨ଟି ସ୍କନ୍ଦ ସ୍ଥାନ ପାଇଛି। ଦୁଇଥର ମାଳାକୁ ଜପ କଲେ ତାହା ସମ୍ପୂର୍ଣ୍ଣ ଭାବେ ପଢ଼ି ହେବ। ଓଡ଼ଶା ରାଜ୍ୟ ସଂଗ୍ରହାଳୟର ପ୍ରୟାସରେ ଓଡ଼ିଆ ଭାଷା ସମ୍ମିଳନୀରେ ମଧ୍ୟଯୁଗୀୟ କକ୍ଷରେ ଏହାକୁ ପ୍ରଦର୍ଶନ କରାଯାଇଛି। ସେହିପରି ତାଳପତ୍ରରେ ପ୍ରସ୍ତୁତ ରୋହିମାଛରେ କୃଷ୍ଣ କବଚ, ମୂଷାରେ ଅଷ୍ଟସଖି ସେବା, ଶୁଆରେ କଳାବତୀ, ଛୁରିରେ ‘ଗୀତଗୋବିନ୍ଦ’, ବିଞ୍ଚଣାରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ‘ରସିକ ହାରାବଳି’ ଓ ହାତୀଦାନ୍ତରେ ପ୍ରସ୍ତୁତ ‘ଗୀତଗୋବିନ୍ଦ’ ସ୍ଥାନ ପାଇଛି। ସେହିପରି କକ୍ଷର କାନ୍ଥରେ ଶୋଭା ପାଉଛି ହଳଧର ଦାସଙ୍କ ଅଷ୍ଟାଦଶ ଶତାବ୍ଦୀର ‘ଅଧ୍ୟାତ୍ମ ରାମାୟଣ’, ଶିଶୁ ଶଙ୍କରଙ୍କ ‘ଉଷା ଅଭିଳାଷ’।