କେନ୍ଦୁଝର : କେନ୍ଦୁଝରରେ ହେବ ନୂଆ ଜାତୀୟ ରାଜପଥ। ଏହାର ନାମ ରହିବ ଏନ୍ଏଚ୍-୭୨୦। ଏହି ନୂଆ ଜାତୀୟ ରାଜପଥ ଶିରିସପାଳଠାରୁ ଆରମ୍ଭ ହୋଇ ଡୁବୁରି ପର୍ଯ୍ୟନ୍ତ ଲମ୍ବିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସଂସଦରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ବଡ଼ବିଲରୁ ପାରାଦୀପ ପର୍ଯ୍ୟନ୍ତ ୮ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ ହେବା ନେଇ ଘୋଷଣା କରିଥିଲେ। ଏହାପରେ ଜୋରଦାର କାମ ଆଗେଇ ଚାଲିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଶିରିସପାଳଠାରୁ ଡୁବୁରି ପର୍ଯ୍ୟନ୍ତ ୮୮.୨୦୦ କିଲୋମିଟର ରାସ୍ତାର ଡିପିଆର ପ୍ରସ୍ତୁତ ହୋଇସାରିଛି। ଏହି ଡିପିଆର୍ ଅନୁମୋଦନ ପାଇଁ ନୂଆଦିଲ୍ଲୀସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଛି। ଡିପିଆର୍କୁ ଅନୁମୋଦନ ମିଳିବା ପରେ ରାଜପଥ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।
ଏହି ଡିପିଆର୍ ଅନୁସାରେ, ଜାତୀୟ ରାଜପଥର ନାମ ଏନ୍ଏଚ୍-୭୨୦ ରହିବ। ଏହାର ଲମ୍ବର ୮୮.୨୦୦ କିମି ରହିବ। ସେହିପରି ରାସ୍ତାରେ ଦୁଇଟି ଫ୍ଲାଏଓଭର ନିର୍ମାଣ ହେବାକୁ ଥିବାବେଳେ ୩୦ଟି ଛୋଟଛୋଟ ପୋଲ ନିର୍ମାଣ ହେବ। ଏଥିମଧ୍ୟରୁ ୨ଟି ଛୋଟ ପୋଲ ଚଉଡ଼ା ହେବାକୁ ଥିବାବେଳେ ୨୮ଟି ନୂଆ ପୋଲ ନିର୍ମାଣ କରାଯିବ। ଏହାଛଡ଼ା ୪ଟି ବଡ଼ ପୋଲ ମଧ୍ୟ ନିର୍ମାଣ କରାଯିବ। ଏହି ନୂଆ ଜାତୀୟ ରାଜପଥରେ ମୋଟ ୧୪୫ଟି କଲଭର୍ଟ ତିଆରି ହେବାକୁ ଥିବାବେଳେ ରାସ୍ତାରେ ଦୁଇଟି ଟୋଲ୍ପ୍ଲାଜା ରହିବ ବୋଲି ଡିପିଆରରେ ସ୍ପଷ୍ଟ କରାଯାଇଛି। ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ)ର ପ୍ରକଳ୍ପ ନିର୍ଦ୍ଦେଶକ ଆର. ଭେଙ୍କଟଙ୍କୁ ପଚାରିବାରୁ ସେ କହିଥିଲେ, ଜାତୀୟ ରାଜପଥ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇ ଅନୁମୋଦନ ପାଇଁ ପଠାଯାଇଛି। ଅନୁମୋଦନ ପରେ ଅନ୍ୟ କାମ ଆଗେଇବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/10-1.jpg)