ପାହାଡ଼ ଉପରେ ୧୭ ଗ୍ରାମ: ଭତ୍ତା, ଚାଉଳ ପାଇଁ ଯାଉଛନ୍ତି ୫୦କିମି

ଭୁବନେଶ୍ବର: ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର କୋରକୁଣ୍ଡା ବ୍ଲକର ନାକାମାମୁଡ଼ି ଗ୍ରାମପଞ୍ଚାୟତର ୬୦କିମିର ବ୍ୟାସାର୍ଦ୍ଧ ରହିଛି। ଆଦିମ ଜନଜାତି ଡିଡେଇ ଓ ବଣ୍ଡା ସମ୍ପ୍ରଦାୟର ଲୋକ ୧୦ହଜାର ଫୁଟ ଉଚ୍ଚରେ ପାହାଡ଼ ଉପରେ ୧୭ଟି ଗ୍ରାମରେ ପ୍ରାୟ ୫ହଜାର ଲୋକ ବସବାସ କରୁଛନ୍ତି। ଏଥିରେ ପ୍ରାୟ ୩୫୦୦ ଭୋଟର ଅଛନ୍ତି। ହେଲେ ଲୋକମାନେ ୫୦୦ଟଙ୍କା ଭତ୍ତା, ପିଡିଏସ୍ ଚାଉଳ ପାଇଁ ୫୦କିମି ଦୂରରେ ଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ପାହାଡ଼ ଡେଇଁ ଯାଉଛନ୍ତି। ତେଣୁ ଏମାନଙ୍କ ପାଇଁ ବଡ଼ପଡ଼ା ଠାରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ କରାଯାଉ। ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ ଏହି ଦାବିରୁ ଆଜିର ପ୍ରଶ୍ନକାଳ ଆରମ୍ଭ ହୋଇଥିଲା।

ଏହାର ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ ଯେ ନିକଟରେ ପଞ୍ଚାୟତ ନିର୍ବାଚନ ସରିଥିବାରୁ ଆଉ ଏକ ପଞ୍ଚାୟତ କାର୍ଯ୍ୟାଳୟ ହୋଇପାରିବନି। ତେଣୁ ବିଧାୟକ ଏନେଇ ଲିଖିତ ଆକାରରେ ଦେଲେ ବଡ଼ପଡ଼ା ଠାରେ ଏକ ସୁବିଧା କେନ୍ଦ୍ର ଖୋଲିବା ନେଇ ବିଚାର କରାଯିବ। ଅତିରିକ୍ତ ପ୍ରଶ୍ନରେ ବିଧାୟକ ବିଷ୍ଣୁଚରଣ ସେଠୀ କହିଥିଲେ ଯେ ଯେତେସବୁ ଲିଖିତ ଆକାରରେ ଦିଆଯାଉଛି ‌ତାହା କେତେ ଦୂର କାର୍ଯ୍ୟକ୍ଷମ ହେଉଛି ତାହା ଦେଖିବା କଥା। ଗତ ୫ବର୍ଷ ବିତିଗଲା ପରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ଫତେପୁର ପଞ୍ଚାୟତ ଏକ ସ୍ବତନ୍ତ୍ର ପଞ୍ଚାୟତ ହୋଇପାରିଲା ନାହିଁ। ଏଇଥିପାଇଁ ଯେ ସେଠାରେ ଶାସକ ଦଳର ବ୍ୟକ୍ତିମାନେ ନିୟମ ବର୍ହିଭୂତ କାର୍ଯ୍ୟ କରିବା ପାଇଁ ପ୍ରଶାସନକୁ ଚାପ ପ୍ରୟୋଗ କରୁଛନ୍ତି। ସେହିପରି ଧାମନଗର ବ୍ଲକର ସାହସପୁର ପଞ୍ଚାୟତ ସ୍ବତନ୍ତ୍ର ପଞ୍ଚାୟତ ହେବା ପରେ ମଧ୍ୟ ଅଦ୍ୟାବଧି ଲୋକଙ୍କୁ ସୁବିଧା ମିଳୁନି। ବଣ୍ଡା ପାହାଡ଼ ଓ ଗିରିଜନମାନଙ୍କ କଥା କହିବା ପୂର୍ବରୁ ମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି କି ଉପକୂଳ ଅଞ୍ଚଳରେ କ’ଣ ଅବସ୍ଥା। ଜଳ ଜୀବନ ବୋଲି ବୋର୍ଡ ମାରିଦେଲେ ହେବନି। ଲୋକଙ୍କ ଘରେ ପାଣି ପହଞ୍ଚାଇବା ପୂର୍ବରୁ ଏହାକୁ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ପାଇଁ ପଦକ୍ଷେପ ନେବେ କି?

ଅାଳିରେ ଏକ ପ୍ରକଳ୍ପ ହେଲା। ଚାରିଆଡ଼କୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି କୁହାଗଲା। ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି ଏବଂ ଧାମନଗର ବ୍ଲକ ଅଞ୍ଚଳରେ ପାଣି ଯୋଗାଣ ହୋଇଥାନ୍ତା। ହେଲେ ରାଜନୈତିକ ଆନ୍ଦୋଳନ ଯୋଗୁଁ ନା ପାଣି ଯୋଗାଣ ହୋଇପାରୁଛି ନା ଉକ୍ତ ଅଞ୍ଚଳରେ ଟ୍ୟୁବୱେଲ୍‌ ଖୋଳାଯାଉଛି। ଲୋକ କହିଲେ ଆମେ କହୁଛୁ ବିରୋଧୀ ଦଳରେ ଅଛୁ। ଲୋକ କହୁଛନ୍ତି ବିରୋଧୀ ଦଳରେ ଥିଲେ କ’ଣ ହେବ? ଆମେ ପାଣି କେମିତି ପିଇବୁ। ଏହାପରେ ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ରାଜନୈତିକ ଆନ୍ଦୋଳନ ଯୋଗୁଁ ପାଣି ନପାଇବା ଠିକ୍ କଥା ନୁହେଁ। ବିଡିଓ, ସିଡିପିଓ ପ୍ରମୁଖ ତାଙ୍କ ସୁପାରିସ ଜିଲ୍ଲାପାଳଙ୍କ ନିକଟକୁ ପଠାନ୍ତି। ଜିଲ୍ଲାସ୍ତରରେ ଗଠନ ହୋଇଥିବା କମିଟିରେ ନିଷ୍ପତ୍ତି ନିଆଯାଏ। ଏହି ନିଷ୍ପତ୍ତି ଉପରେ ଶୁଣାଣି ହୋଇ ଆପତ୍ତି, ଅଭିଯୋଗ ଶୁଣାଯାଏ। ଯାହା ବି ହୋଇଛି ଠିକ୍‌ ଢଙ୍ଗରେ ହୋଇଛି। କିଛି ତ୍ରୁଟିବିଚ୍ୟୁତି ଥିଲେ ତାକୁ ସଦସ୍ୟ ବ୍ୟକ୍ତିଗତ ଭାବେ ଜଣାଇବେ। ବିଧାୟକ ସଦାଶିବ ପ୍ରଧାନି କହିଥିଲେ ଯେ ନବରଙ୍ଗପୁର ଜିଲ୍ଲାରେ ଅନେକ ପଞ୍ଚାୟତ ଅଛି ଯେଉଁଠାରେ ୪ରୁ ୬ହଜାର ଲୋକ ଅଛନ୍ତି। ଗ୍ରାମପଞ୍ଚାୟତଗୁଡ଼ିକ ୧୫କିମିରୁ ଅଧିକ ଅଛି। ଲୋକମାନେ କିଛି ସ୍ଥାନରେ ବୋଟ୍ ଯୋଗେ ଯାଉଛନ୍ତି। ତେଣୁ ବଡ଼ ପଞ୍ଚାୟତଗୁଡ଼ିକୁ ବିଭାଜନ କରି ଛୋଟ ପଞ୍ଚାୟତ କରାଯାଉ। ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାର୍ଶ୍ବରେ ଗୋଟିଏ ଗାଁ ରହିଛି। ଯାହା ମଞ୍ଚାଗାଁ ତୁମୁଡିଖୁଣ୍ଟି ବ୍ଲକ ଅଧୀନରେ। ଏଠାକାର ଲୋକଙ୍କୁ କିଛି ମୌଳିକ ସୁବିଧା ନେବାକୁ ହେଲେ ବୋଟ୍‌ରେ ଆସିବାକୁ ପଡ଼ୁଛି। ସେଠାରେ ଗୋଟିଏ ସୁବିଧା କେନ୍ଦ୍ର କରାଯାଉ। ମନ୍ତ୍ରୀ କହିଥିଲେ ଯେ ଏନେଇ ବିଧାୟକ ‌ଲିଖିତ ଆକାରରେ ଜିଲ୍ଲାପାଳଙ୍କୁ ଜଣାଇଲେ ସୁବିଧା କେନ୍ଦ୍ର ନେଇ ଗୁରୁତର ସହ ବିଚାର କରାଯିବ।

ସମ୍ବନ୍ଧିତ ଖବର