ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚଳିତ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଏକ ବଡ଼ଧରଣର ପରିବର୍ତ୍ତନ ଆଣିଛି। ବିଜେପି ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୧ଟି ଆସନ କବ୍‌ଜା କରିଥିବା ବେଳେ ଜିଲ୍ଲାର ଦୁଇଟି ଲୋକସଭା ଆସନ ମଧ୍ୟ ଦଖଲ କରିଛି। ବ୍ରହ୍ମପୁର ଲୋକସଭା ଆସନରୁ ବିଜୟୀ ହୋଇଥିବା ବିଜେପି ପ୍ରାର୍ଥୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରାୟ ୫ଲକ୍ଷ ୧୩ହଜାର ୧୦୨ ଭୋଟ୍‌ ପାଇଛନ୍ତି। ତାଙ୍କର ବିଜୟ ବ୍ୟବଧାନ ୧ଲକ୍ଷ ୬୫ହଜାର ୪୭୪ ରହିଛି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ୩ଲକ୍ଷ ୪୭ହଜାର ୬୨୬ ଭୋଟ୍‌ ପାଇଛନ୍ତି। ସେହିପରି ଆସିକା ଲୋକସଭା ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ୪ଲକ୍ଷ ୯୪ହଜାର ୨୨୬ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। ସେ ୯୯ହଜାର ୯୭୪ ଭୋଟ୍‌ ବ୍ୟବଧାନରେ ବିଜୟଲାଭ କରିଛନ୍ତି। ସେହିପରି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ରଂଜିତା ସାହୁ ୩ଲକ୍ଷ ୯୪ହଜାର ୨୫୨ ଖଣ୍ଡ ଭୋଟ୍‌ ପାଇଛନ୍ତି।

Advertisment

ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ସାଂସଦ ପ୍ରାର୍ଥୀଙ୍କ ନିମନ୍ତେ ୭ଟି ବିଧାନସଭା ନିର୍ବାଚମଣ୍ଡଳୀରେ ପୋଷ୍ଟାଲ୍‌ ଭୋଟ୍‌କୁ ମିଶାଇ ୧୦ଲକ୍ଷ ୪୨ହଜାର ୯୨୩ ଖଣ୍ଡ ଭୋଟ୍‌ ପଡ଼ିଛି। ତନ୍ମଧ୍ୟରୁ ୧୫ହଜାର ୯୪୨ (୧.୫୩ ପ୍ରତିଶତ) ଖଣ୍ଡ ଭୋଟ୍‌ ନୋଟାରେ ପଡ଼ିଛି। ମୋଟ ଭୋଟ୍‌ ମଧ୍ୟରୁ ବିଜେପି ପ୍ରାର୍ଥୀ ପ୍ରଦୀପ ୪୯.୨ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ଭୃଗୁ ୩୩.୩୩ ପ୍ରତିଶତ ଭୋଟ୍‌ ପାଇଥିବା ଭାରତ ନିର୍ବାଚନ କମିସନ୍‌ଙ୍କ ୱେବ୍‌ସାଇଟ୍‌ର ତଥ୍ୟରୁ ସ୍ପଷ୍ଟ ହୋଇଛି। ତେବେ ବିଜେପି ପ୍ରାର୍ଥୀ ପ୍ରଦୀପଙ୍କୁ ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାୟ ୮୧ହଜାର ୬୮୮ ଭୋଟ୍‌ ମିଳିଥିବା ବେଳେ ଗୋପାଳପୁରରୁ ୭୮ହଜାର ୯୯୯, ବ୍ରହ୍ମପୁରରୁ ୭୯ହଜାର ୮୩୮, ଦିଗପହଣ୍ଡିରୁ ୭୭ହଜାର ୯୪୭ ଓ ଚିକିଟିରୁ ପ୍ରାୟ ୫୬ହଜାର ୩୬୧(୧୮ରାଉଣ୍ଡ୍‌ରୁ ୧୩ ରାଉଣ୍ଡ୍‌ ସୁଦ୍ଧା) ଭୋଟ୍‌ ପାଇଛନ୍ତି। ସେହିପରି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭାରୁ ପ୍ରଦୀପ ୫୪ହଜାର ୭୬୮ ଭୋଟ୍‌ ପାଇଥିବା ବେଳେ ମୋହନାରୁ ୬୫ହଜାର ୪୩୯ ଖଣ୍ଡ ଭୋଟ୍‌ ପାଇଛନ୍ତି।

ସେହିଭଳି ଆସିକା ଲୋକସଭା କ୍ଷେତ୍ରରେ ସାଂସଦ ପ୍ରାର୍ଥୀଙ୍କ ପାଇଁ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପୋଷ୍ଟାଲ୍‌ ଭୋଟ୍‌କୁ ମିଶାଇ ୧୦ଲକ୍ଷ ୧୭ହଜାର ୯୧୪ଖଣ୍ଡ ଭୋଟ୍‌ ପଡ଼ିଛି। ତନ୍ମଧ୍ୟରୁ ନୋଟାରେ ୨୧ହଜାର ୯୪୧ (୨.୧୬ପ୍ରତିଶତ) ଖଣ୍ଡ ଭୋଟ୍‌ ପଡ଼ିଛି। ତେବେ ମୋଟ ଭୋଟ୍‌ ମଧ୍ୟରୁ ବିଜେପି ପ୍ରାର୍ଥୀ ଅନିତା ୪୮.୫୫ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ରଂଜିତା ୩୮.୭୩ ପ୍ରତିଶତ ଭୋଟ୍‌ ପାଇଛନ୍ତି। ବିଜେପି ପ୍ରାର୍ଥୀ ଅନିତାଙ୍କୁ ପୋଲସରାରୁ ୮୮ହଜାର ୫୪୯ ଭୋଟ୍‌ ମିଳିଥିବା ବେଳେ ଖଲ୍ଲିକୋଟରୁ ୮୧ହଜାର ୫୫, କବିସୂର୍ଯ୍ୟନଗରରୁ ୭୪ ହଜାର ୪୪୦, ହିଂଜିଳିରୁ ୬୭ହଜାର ୭୮ ଓ ସାନଖେ‌ମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀରୁ ୩୪ହଜାର ୮୦୯ ଖଣ୍ଡ ଭୋଟ୍‌ ମିଳିଥିବା ଜଣାପଡ଼ିଛି। ସେହିପରି ସୋରଡ଼ା ଓ ଆସିକାରୁ କେତେ ଭୋଟ୍‌ ପାଇଛନ୍ତି, ସେହି ତଥ୍ୟ ହସ୍ତଗତ ହୋଇ ନାହିଁ।