ଜିଲ୍ଲାପାଳଙ୍କୁ ଭେଟିଲେ ନବନିର୍ବାଚିତ ବିଏମ୍‌ସି କର୍ପୋରେଟର

ମୌଳିକ ସମସ୍ୟାରେ ସୀମିତ ନରହି ଲୋକଙ୍କ ସୁଖଦୁଃଖରେ ସାମିଲ ହୁଅ : ଜିଲ୍ଲାପାଳ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ନବନିର୍ବାଚିତ ଶାସକ ଦଳର ସମସ୍ତ କର୍ପୋରେଟର ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ତଥା ନିଗମ ପ୍ରଶାସକ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭେଟିଛନ୍ତି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ତାଙ୍କ ନେତୃତ୍ବରେ ଦଳର ୩୦ଜଣ କର୍ପୋରେଟର ଓ ଦଳର କିଛି କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷତ କରିଥିଲେ।

ବ୍ରହ୍ମପୁରରେ ନୁହେଁ, ଛତ୍ରପୁରରେ ଭେଟିଲେ… ରାଜନୈତିକ ମହଲରେ ଚର୍ଚ୍ଚା

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସମସ୍ତ ନିର୍ବାଚିତ କର୍ପୋରେଟରଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇଥିଲେ। ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦ୍‌ଭାବନା ହଲ୍‌ ଠାରେ ଆୟୋଜିତ ଏକ ବୈଠକରେ ଜିଲ୍ଲାପାଳ ନିର୍ବାଚିତ କର୍ପୋରେଟରଙ୍କୁ ରାସ୍ତାଘାଟ ଓ ନାଳନର୍ଦ୍ଦମା ମଧୢରେ ସୀମିତ ନରହି ଲୋକଙ୍କ ସୁଖ ଓ ଦୁଃଖରେ ଭାଗିଦାର ହୋଇ ନିକଟତର ହେବାକୁ ପରାମର୍ଶ ଦେଇଥିଲେ। ୫ବର୍ଷ ପାଇଁ ସହରବାସୀ ସେବା କରିବାକୁ ସୁଯୋଗ ଦେଇଛନ୍ତି। ଏହାକୁ ହାତଛଡ଼ା କରନ୍ତୁ ନାହିଁ। ଲୋକଙ୍କ ନିକଟତର ହେବାର ଯେଉଁ ସୁଯୋଗ ମିଳିଛି ତାହା ସବୁବେଳେ ଆସିବ ନାହିଁ। ମୌଳିକ ସମସ୍ୟା ସାଙ୍ଗକୁ ବିକାଶମୂଳକ କାର୍ଯ୍ୟ ପ୍ରତି ଯତ୍ନବାନ ରହିଲେ ଜନସାଧାରଣ ଗ୍ରହଣ କରିବେ, ସେଥିପ୍ରତି ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। କର୍ପୋରେଟରମାନଙ୍କ ଏହି ସୌଜନ୍ୟମୂଳକ ସାକ୍ଷତକାରରେ ମେୟର ଅନୁପସ୍ଥିତ ଥିଲେ।

ଆଜିର ଏହି ସୌଜନ୍ୟମୂଳକ ସାକ୍ଷାତ ବ୍ରହ୍ମପୁର ସହରରେ ନଥିଲା, ବରଂ ନବନିର୍ବାଚିତ କର୍ପୋରେଟରମାନେ ଛତ୍ରପୁର ଯାଇ ଜିଲ୍ଲାପାଳଙ୍କୁ ଭେଟିଥିଲେ। ଏହାକୁ ନେଇ ସହରରେ ଭିନ୍ନ ଭିନ୍ନ ମତପ୍ରକାଶ ପାଇଛି। ନବନିର୍ବାଚିତ ମେୟର ଓ କର୍ପୋରେଟର ଶପଥ ଗ୍ରହଣ କରିନାହାନ୍ତି। ୮ ତାରିଖ ଦିନ ଶପଥ ଗ୍ରହଣ ଉତ୍ସବ ସାଙ୍ଗକୁ ରହିଛି ଡେପୁଟି ମେୟର ନିର୍ବାଚନ। ଦଳରେ ଡେପୁଟି ମେୟର ପ୍ରାର୍ଥୀ ଚୟନ ହୋଇପାରିନାହିଁ। ଏଥିପୂର୍ବରୁ କେବେ ବି ନିର୍ବାଚିତ ପ୍ରତିନିଧି ଛତ୍ରପୁର ଯାଇ ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଘଟଣାକୁ ରାଜନୈତିକ ମହଲ ବି ସହଜରେ ଗ୍ରହଣ କରିପାରୁନାହାନ୍ତି।

ସମ୍ବନ୍ଧିତ ଖବର