ଆସନ୍ତା ୨ ସପ୍ତାହରେ ଦାନା ବାନ୍ଧିବ ୩ ଲଘୁଚାପ: ଓଡ଼ିଶାରେ ପାଗ କୋହଲା ରହିବ, କାଁ ଭାଁ ବର୍ଷା ହେବ

ସପ୍ତାହେ ଭିତରେ ୩ ଡିଗ୍ରି ଖସିବ ପାରଦ

ଭୁବନେଶ୍ବର: ଆସନ୍ତା ୨ ସପ୍ତାହରେ ୩ଟି ଲଘୁଚାପ ବଙ୍ଗୋପସାଗରରେ ଦାନା ବାନ୍ଧିବ। ଏହାର ପ୍ରଭାବ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ଉପରେ ଅଧିକ ପଡ଼ିବ। ଏ ଦୁଇ ରାଜ୍ୟରେ ପ୍ରବଳ ବର୍ଷା ହେବ। କିନ୍ତୁ ଓଡ଼ିଶାରେ ହାଲୁକା ବର୍ଷା ସହ ପାଗ କୋହଲା ରହିବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟର ପାରଦ ସ୍ତର ଖସିବା ଆରମ୍ଭ କରିବ। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟର ତାପମାତ୍ରା ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ନଭେମ୍ବର ୧୫ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ୩ଟି ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଉଛି। ଆଜି ସକାଳେ ଶ୍ରୀଲଙ୍କା ନିକଟରେ ରହିଥିବା ଲଘୁଚାପର କିଛି ଅଂଶ ନଭେମ୍ବର ୧ ତାରିଖରେ ଦକ୍ଷିଣ ଆରବ ସାଗରରେ ପହଞ୍ଚି କ୍ରମଶଃ ଘନୀଭୂତ ହେବ। ଏହାର ଅନ୍ୟ ଗୋଟିଏ ଅଂଶ ଦ୍ବାରା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ତାମିଲନାଡ଼ୁରୁ ଓଡ଼ିଶା ପର୍ଯ୍ୟନ୍ତ ପ୍ରଭାବ ପଡ଼ିବ। ନଭେମ୍ବର ୫ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦ୍ବିତୀୟ ଲଘୁଚାପ ସୃଷ୍ଟି ହେବ। ୧୧ ବେଳକୁ ଏହା ଘନୀଭୂତ ହୋଇ ଅବପାତ ହୋଇପାରେ। ଓଡ଼ିଶାରେ ଏହାର ପ୍ରଭାବ ନଭେମ୍ବର ୧୨ ପର୍ଯ୍ୟନ୍ତ ରହିବ ଏବଂ ବର୍ତ୍ତମାନର ଲଘୁଚାପ ପ୍ରଭାବ ଅପେକ୍ଷା ଅଧିକ ହୋଇପା‌ରେ। ନଭେମ୍ବର ୧୩ ତାରିଖରେ ସେହି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ତୃତୀୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ଏହାର କ’ଣ ପ୍ରଭାବ ପଡ଼ିବ ତାହା ଏବେଠାରୁ ଆକଳନ କରିବା କଷ୍ଟକର।

କେତେକ ମଡେଲ କହୁଛି, ଏହାର ପ୍ରଭାବ ଦୁଇ ସପ୍ତାହ ପର୍ଯ୍ୟନ୍ତ ଓଡ଼ିଶାର ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପଡ଼ିବାର ସମ୍ଭାବନା ରହିଛି। ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଧା, ପୁରୀ, କଟକ ଓ ଜଗତସିଂହପୁର ଜିଲ୍ଲାରେ ୫୦ରୁ ୮୦ ମିମି ବର୍ଷା ହୋଇପାରେ। ସେହିପରି ୮ରୁ ୧୫ ତାରିଖ ମଧ୍ୟରେ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ କିଛି ବର୍ଷା ହୋଇପାରେ। ଉପକୂଳ ଓ ସଂଲଗ୍ନ ଜିଲ୍ଲା ବ୍ୟତୀତ ବାକି ଜିଲ୍ଲାରେ ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ। ସର୍ବନିମ୍ନ ତାପମାତ୍ରା ନଭେମ୍ବର ୪ ସୁଦ୍ଧା ୨ରୁ ୩ ଡିଗ୍ରି କମିବ। ୩୧ ତାରିଖ ରାତିରେ ରାଜ୍ୟରେ କୁହୁଡ଼ି ପରିମାଣ ଅଧିକ ରହିବ।

ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାରେ ଅକ୍ଟୋବର ୩୧ ଓ ନଭେମ୍ବର ୧ରେ ପାଗ କୋହଲା ରହିବ। ୧ରୁ ୭ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି କମିବ। ଅକ୍ଟୋବର ୩୧ରେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳରେ ପାଗ ମେଘୁଆ ଓ ବିକ୍ଷିପ୍ତ ହାଲୁକା ବର୍ଷା, ନଭେମ୍ବର ୧ ତାରିଖରେ ଭଦ୍ରକ ପର୍ଯ୍ୟନ୍ତ ବଢ଼ିବ। ୨ ତାରିଖରେ ଗଞ୍ଜାମ, ଗଜପତି, ନୟାଗଡ଼ ଓ ରାୟଗଡ଼ାର ସ୍ଥାନେ ସ୍ଥାନେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ପାଗ କୋହଲା ରହିବ। ନଭେମ୍ବର ୩ ଓ ୪ରେ ଅଧିକାଂଶ ଜିଲ୍ଲାରେ ମେଘୁଆ ଓ ଦକ୍ଷିଣ ଉପକୂଳରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବ। ୫ରେ ପ୍ରକୋପ କମିବ। କିନ୍ତୁ ପାଗ ମେଘୁଆ ରହିବ।

ସମ୍ବନ୍ଧିତ ଖବର