ଇଭିଏମ୍‌ରେ ହେବ ଆସନ୍ତା ପଞ୍ଚାୟତ ନିର୍ବାଚନ! ନୂଆ ଇଭିଏମ୍‌ କିଣିଲେ ଖର୍ଚ୍ଚ ହେବ ୨୨୦କୋଟି

ବର୍ତ୍ତମାନର ବ୍ୟବସ୍ଥାରେ ଇଭିଏମ୍‌ରେ ଭୋଟ୍‌ କଲେ ତିନି ମାସ ଲାଗିବ, ଚଳିତ ଥର ୧୩ଦିନରେ ମତଦାନ, ଭୋଟ୍‌ ଗଣତି ଶେଷ ହୋଇଛି

ଭୁବନେଶ୍ବର: ଓଡ଼ିଶାରେ ବାଲଟ୍‌ ପେପରରେ ଏହା ସମ୍ଭବତଃ ଶେଷ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଛି। କାରଣ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଇଭିଏମ୍‌ରେ ଭୋଟିଂ କରିବାକୁ ରାଜ୍ୟ ନିର୍ବାଚନ କମିସନ ଯୋଜନା କରୁଛନ୍ତି। ଏନେଇ ଏବେଠୁ ମାନସମନ୍ଥନ ଆରମ୍ଭ ହୋଇଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ହେଲେ ନିର୍ବାଚନ କମିସନ ଇଭିଏମ୍‌ କିଣିବେ ନା ଭାରତର ନିର୍ବାଚନ କମିସନଙ୍କ ଠାରୁ ଇଭିଏମ୍‌ ମେସିନ୍ ଭଡ଼ାରେ ଆଣି ନିର୍ବାଚନ କରିବେ ସେନେଇ ବିଚାର ଆଲୋଚନା ଚାଲିଛି।

ବିଭିନ୍ନ ରାଜ୍ୟରେ ଇଭିଏମ୍‌ରେ ପଞ୍ଚାୟତ ନିର୍ବାଚନ ଦୀର୍ଘ ବର୍ଷ ତଳୁ ଆରମ୍ଭ ହୋଇଥିଲେ ବି ଓଡ଼ିଶାରେ କାହିଁକି ହେଉନାହିଁ ସେନେଇ ପ୍ରଶ୍ନ ଉଠିଥିଲା। ଏଥର ୫ପର୍ଯ୍ୟାୟରେ ନିର୍ବାଚନ ହେଲା ଏବଂ ତିନି ଦିନ ଧରି ଭୋଟ୍‌ ଗଣତି ଚାଲିବା ପରେ ଫଳାଫଳ ଘୋଷଣା ହେଲା। ନିର୍ବାଚନ ଫଳ ଘୋଷଣାରେ ଏତେ ବିଳମ୍ବକୁ ବହୁ ପ୍ରାର୍ଥୀ ଓ ମତଦାତା ସହଜରେ ଗ୍ରହଣ କରିପାରୁନାହାନ୍ତି। କେଇ ଘଣ୍ଟାରେ ଯେଉଁଠି ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେଉଛି ସେଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନରେ କାହିଁକି ତିନି ଦିନ ଲାଗୁଛି ବୋଲି ପ୍ରଶ୍ନ ଉଠୁଛି। ଏପରିକି ବିଧାନସଭା, ଲୋକସଭା, ପୌର ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନରେ କାହିଁକି ଇଭିଏମ୍ ବ୍ୟବହାର ହେବ ନାହିଁ ବୋଲି ପ୍ରଶ୍ନ ଉଠିଲାଣି। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଓଡ଼ିଶାରେ ପଞ୍ଚାୟତ ନିର୍ବାଚନରେ ଇଭିଏମ୍‌ ବ୍ୟବହାର କରିବା କଷ୍ଟକର କିନ୍ତୁ ଅସମ୍ଭବ ନୁହେଁ। ଯଦି ଇଭିଏମ୍‌ରେ ନିର୍ବାଚନ ହେବ ତେବେ ବର୍ତ୍ତମାନର ବ୍ୟବସ୍ଥାରେ ନିର୍ବାଚନ କେତେ ଦିନ ଚାଲିବ, କେତେ ପର୍ଯ୍ୟାୟରେ ନିର୍ବାଚନ ହେବ ତାହା ଧାର୍ଯ୍ୟ କରିବା କଷ୍ଟକର। ୧୯୯୭ ମସିହାରୁ ଓଡ଼ିଶାରେ ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ବାରା ପଞ୍ଚାୟତ ନିର୍ବାଚନ ପରିଚାଳନା ହେଉଥିବାବେଳେ ଆଜି ପର୍ଯ୍ୟନ୍ତ କେବେ ବି ଧାର୍ଯ୍ୟ ସମୟ ପରେ ନିର୍ବାଚନ ହୋଇନି। ଅର୍ଥାତ୍ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆମର ନୂଆ ପ୍ରତିନିଧିଙ୍କୁ ନିର୍ବାଚିତ କରାଯାଉଛି। ତାହା ପୁଣି ସବୁଠୁ ବ୍ୟବସ୍ଥିତ ଢଙ୍ଗରେ। ଏଥର ୧୩ଦିନରେ ୫ପର୍ଯ୍ୟାୟରେ ମତଦାନ ସହ ଗଣତି ବି ଶେଷ ହୋଇଛି।

ଆମର ପ୍ରାୟ ୧ଲକ୍ଷ ୬ହଜାର ପଦବି ପାଇଁ ପଞ୍ଚାୟତ ଭୋଟ୍ ହେଉଥିବାବେଳେ ଯଦି ଇଭିଏମ୍‌ରେ ଭୋଟ୍‌ ହେବ ତେବେ ପ୍ରାୟ ତିନି ମାସରୁ ଅଧିକ ସମୟ ଲାଗିବ। ତାହା ପୁଣି ନିର୍ବାଚନ କେବେ ହେବ ତାହା ନିର୍ଦ୍ଦିଷ୍ଟ ଭାବେ କହିହେବନି। କାରଣ ଆମେ ଭାରତର ନିର୍ବାଚନ କମିସନଙ୍କ ଠାରୁ ଇଭିଏମ୍‌ ଆଣି ମତଦାନ କଲେ ତାହା ମିଳିବ ବୋଲି ଗ୍ୟାରେଣ୍ଟି ନାହିଁ। ଯଦି ଆଉ କେଉଁ ରାଜ୍ୟରେ ପଞ୍ଚାୟତ, ପୌର ବା ବିଧାନସଭା ନିର୍ବାଚନ ଥିବ ସେତେବେଳେ ଇଭିଏମ୍‌ ଆମକୁ ମିଳିବା କଷ୍ଟକର ହୋଇଯିବ। ଯେବେ ଉପଲବ୍ଧ ହେବ ସେତେବେଳେ ନିର୍ବାଚନ କରିବାକୁ ପଡ଼ିବ। ତେଣୁ ମାର୍ଚ୍ଚ ୨୦୨୭ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବାକୁ ଥିଲେ ବି ଆମର ନିର୍ବାଚନ ପ୍ରକ୍ରିୟା ସରୁ ସରୁ ଜୁନ୍ କି ଜୁଲାଇ ହୋଇପାରେ। ଥରେ ବିଳମ୍ବିତ ହେଲେ ପୁଣି ଠିକ୍‌ ସମୟରେ ନିର୍ବାଚନ କରିବା କଷ୍ଟକର ହୋଇଯିବ।

ଯଦି ଇଭିଏମ୍‌ କିଣିବୁ ତେବେ ଆମ ପାଇଁ ବ୍ୟୟବହୁଳ ହୋଇଯିବ। ଏବେ ଗୋଟିଏ ଇଭିଏମ୍ କିଣିଲେ ୨୦ହଜାର ଟଙ୍କା ପଡ଼ିବ। ୧ଲକ୍ଷ ୬ହଜାର ପଦବି ପାଇଁ ଗୋଟିଏ ଲେଖାଏଁ ଇଭିଏମ୍‌ କିଣିଲେ ୨୧୨କୋଟି ଟଙ୍କା ଖର୍ଚ୍ଚ ହେବ। ଇଭିଏମ୍‌ରେ କିଛି ତ୍ରୁଟି ଦେଖାଦେଲେ ଯେପରି ନିର୍ବାଚନ ପ୍ରଭାବିତ ହେବନାହିଁ, ସେଥିପାଇଁ ଆଉ ୪ରୁ ୫ହଜାର ଅତିରିକ୍ତ ଇଭିଏମ୍‌ କିଣିବାକୁ ହେବ। ଏହିପରି ୧ଲକ୍ଷ ୧୦ହଜାର ଇଭିଏମ୍ କିଣିଲେ ୨୨୦କୋଟି ଖର୍ଚ୍ଚ ହେବ। ଏହାବାଦ୍ ଏହି ଇଭିଏମ୍‌ଗୁଡ଼ିକୁ ଜିଲ୍ଲାସ୍ତରରେ ସୁରକ୍ଷିତ ରଖିବା ପାଇଁ ଷ୍ଟ୍ରଙ୍ଗ ରୁମ୍, ସେଡ୍‌ ହାଉସ୍‌ କରିବାକୁ ହେବ। ଏଥିପା‌ଇଁ ପ୍ରାୟ ୮ରୁ ୧୦କୋଟି ଖର୍ଚ୍ଚ ହେବ। ମୋଟ୍‌ ଉପରେ ପ୍ରାୟ ୨୩୦କୋଟିର ବଜେଟ୍‌ କଲେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଇଭିଏମ୍‌ ବ୍ୟବହାର କରାଯାଇପାରିବ। ଏବେ ଗୋଟିଏ ଇଭିଏମ୍‌ରେ ଗୋଟିଏ ପଦବି ପାଇଁ ଭୋଟ୍ ଦେବାର ବ୍ୟବସ୍ଥା ଥିବାରୁ ଆମେ ଗୋଟିଏ ଇଭିଏମ୍‌ରେ ୪ଟି ଯାକ ପଦବି ପାଇଁ ଭୋଟ୍‌ ଦେବା ବ୍ୟବସ୍ଥା କରିବାକୁ ଯୋଜନା କରୁଛୁ। ଅର୍ଥାତ୍ ଗୋଟିଏ ମେସିନ୍‌ରେ ୪ଟା ପଦବି ପାଇଁ ଭୋଟ୍‌ ଦେବାକୁ ବଟନ୍ ରହିବ। ଏହା ହେଲେ ଇଭିଏମ୍‌ ସଂଖ୍ୟା କମିଯିବ। ହେଲେ ଏପରି ଇଭିଏମ୍‌ ପ୍ରସ୍ତୁତ କରିବା ଆବଶ୍ୟକ।

ନିକଟରେ ବିହାରରେ ଗୋଟିଏ ପଞ୍ଚାୟତରେ ୬ଟି ଲେଖାଏଁ ପଦବି ପାଇଁ ନିର୍ବାଚନ ‌େହାଇଥିବାବେଳେ ପ୍ରାୟ ୨ଲକ୍ଷ ପଦବି ପାଇଁ ନିର୍ବାଚନ ହୋଇଥିଲା। ଇଭିଏମ୍‌ ଅଭାବରୁ ନିର୍ବାଚନ ୪ମାସ ଚାଲିଥିଲା। ସେମାନେ ଜିଲ୍ଲା ଅନୁଯାୟୀ ନିର୍ବାଚନ କରିଥିଲେ। ଯେଉଁ ଜିଲ୍ଲାରେ ନିର୍ବାଚନ ସରିଥିଲା ସେଠାରେ ଇଭିଏମ୍‌ରୁ ମେମୋରି ଚିପ୍ କାଢ଼ି ସୁରକ୍ଷିତ ରଖାଯାଇଥିଲା। ଏହାପରେ ଉକ୍ତ ମେସିନ୍‌କୁ ଅନ୍ୟ ଜିଲ୍ଲାରେ ବ୍ୟବହାର କରାଯାଇଥିଲା। ତେଣୁ ଇଭିଏମ୍‌ରେ ଭୋଟିଂ କଲେ ଏହି ସମସ୍ୟାର ମୁକାବିଲା କରିବାକୁ ହେବ। ଆମର ବାଲଟ୍ ପେପରରେ ଭୋଟିଂ କରି ବି ୧୩ଦିନ ଭିତରେ ନିର୍ବାଚନ ଶେଷ ହୋଇଛି। ତେଣୁ ଏହାଠାରୁ କମ୍‌ ଦିନରେ ଯଦି ଇଭିଏମ୍‌ରେ ଭୋଟିଂ କରି ହେବ ‌େତବେ ଆମେ ଏନେଇ ପଦ‌େକ୍ଷପ ନେବୁ।

ସମ୍ବନ୍ଧିତ ଖବର