କଟକ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପ୍ରକଳ୍ପ ନିର୍ଦ୍ଦେଶକ ସ୍କୁଲ ପିଲାଙ୍କ ସହିତ ରାସ୍ତା ପାର୍ ହୋଇ ଏ ସଂପର୍କିତ ଭିଡିଓ ଦାଖଲ କରିଛନ୍ତି। ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ନମ୍ବର ୩୧୬(ପୁରୁଣା ନମ୍ବର ୨୦୩)ର ଚନ୍ଦନପୁର ଠାରେ ରାସ୍ତା ପାର୍ ବେଳେ ସମସ୍ୟା ରହୁଥିବା ହାଇକୋର୍ଟରେ ଦାଖଲ ଭିଡିଓରୁ ସ୍ପଷ୍ଟ ହୋଇଛି।

Advertisment

ଅନ୍ୟପକ୍ଷରେ ସଂପୃକ୍ତ ସ୍ଥାନରେ ପିୟୁପି (ଗଳା ପୋଲ) ଓ ସର୍ଭିସ୍ ରୋଡ୍ ନିର୍ମାଣ ପାଇଁ ଇତିମଧ୍ୟରେ ନିଷ୍ପତ୍ତି ନିଆଯାଇଛି ବୋଲି ଆଜି ଏନଏଚଏଆଇ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି। ଏନଏଚଏଆଇର ଏପରି ପଦକ୍ଷେପକୁ ନେଇ ହାଇକୋର୍ଟ ସନ୍ତୋଷପ୍ରକାଶ କରିବା ସହିତ ପରବର୍ତ୍ତୀ ଶୁଣାଣି ସମୟରେ ଗଳା ପୋଲ ନିର୍ମାଣର ଅଗ୍ରଗତି ସଂପର୍କରେ ଅବଗତ କରିବାକୁ ଏନଏଚଏଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିମଳନନ୍ଦନ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଏସ.କେ.ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।