ଅଫ୍‌ଲାଇନ୍‌ରେ ହୋଇପାରେ ନବମ ଓ ଏକାଦଶ ‌ପରୀକ୍ଷା

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବିଦ୍ୟାଳୟଗୁଡ଼ିକର ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ହେବ। ଚୂଡ଼ାନ୍ତ ମୋହର ବାଜି ନ ଥିଲେ ମଧ୍ୟ ସ୍ବତନ୍ତ୍ର ରିଲିଫ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଦୁଇ ଦିନ ତଳେ ମାର୍ଚ୍ଚ ମାସ ପାଇଁ ଜାରି ହୋଇଥିବା ନିୟମାବଳୀରେ ପରୀକ୍ଷା କରାଇବା ସମ୍ପର୍କରେ କୁହାଯାଇଛି। କରୋନା ସଂକ୍ରମଣକୁ ନଜରରେ ରଖି ଉକ୍ତ ଦୁଇ ଶ୍ରେଣୀ ପିଲାଙ୍କ ବାର୍ଷିକ ପରୀକ୍ଷା ଅନ୍‌ଲାଇନ୍‌ରେ କରିବାକୁ ଏଥିରେ ଉଲ୍ଲେଖ ହୋଇଛି। ତାହାକୁ ନଜରରେ ରଖି ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା କରାଇବାକୁ ଗଣଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଅନ୍‌ଲାଇନ୍‌ ବଦଳରେ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବାର ବହୁତ ସମ୍ଭବନା ରହିଛି। ଏନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଖୁବ୍‌ଶୀଘ୍ର ବିଧିବଦ୍ଧ ‌ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଅନ୍‌ଲାଇନ୍‌ରେ ପାଠପଢ଼ା ସମୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୫୦%ରୁ କମ୍‌ ରହୁଥିଲା। ଉପାନ୍ତ ତଥା ଆଦିବାସୀ ବହୁଳ ଜିଲ୍ଲାର ବହୁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ତେଣୁ ଅନ୍‌ଲାଇନ୍‌ରେ ପରୀକ୍ଷା କରାଇବା ସମ୍ଭବପର ନୁହେଁ। ଏଭଳି ସମୟରେ ଅନ୍‌ଲାଇନ୍‌ରେ ପରୀକ୍ଷା କରାଗଲେ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହେବାର ଆଶଙ୍କା ରହିଛି। ଏବେ ବିନା ବାଧାରେ ଅଫ୍‌ଲାଇନ୍‌ରେ କ୍ଲାସରୁମ୍‌ ପାଠପଢ଼ା ଚାଲିଛି। ତେଣୁ ପରୀକ୍ଷା କରାଇବାରେ କୌଣସି ଅସୁବିଧା ହେବ ନାହିଁ। ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ସାମିଲ ହୋଇପାରିବେ। ବିଭାଗ ପକ୍ଷରୁ ଏନେଇ ସମୀକ୍ଷା କରାଯିବା ପରେ ବିଧିବଦ୍ଧ ଘୋଷଣା ହେବ।

ସମ୍ବନ୍ଧିତ ଖବର