ଯନ୍ତ୍ରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ମିଳିଲା ଆର୍ଥିକ କାରବାର ସମ୍ପୃକ୍ତି

ଠିକାଦାର ମହଲରେ କମ୍ପନ, ମୁହାଁ ମୁହିଁ ହୋଇପାରନ୍ତି ଦମ୍ପତି, ଶାଳୀ, ପୁତୁରାଙ୍କୁ ମାରାଥନ ଜେରା

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ରିମାଣ୍ଡରେ ଅସିଥିବା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କୁ ଦ୍ବିତୀୟ ଦିନରେ ମାରାଥନ ଜେରା କରାଯାଇଛି। ଗତକାଲି ଜେରା ସୟରେ ଜଣେ ଠିକାଦାରଙ୍କ ସହ ସମ୍ପର୍କ ସାମ୍ନାକୁ ଆସିଥିବା ବେଳେ ଆଜି ତାଙ୍କ ସହ ବ୍ୟାଙ୍କ ଆକାଉଣ୍ଟରେ ଆର୍ଥିକ କାରବାର ନେଇ ତଥ୍ୟ ମିଳିଛି। ବିଭିନ୍ନ ସମୟରେ ସେ ଓ ଠିକାଦାର ମୋଟା ଅଙ୍କର ଅର୍ଥ କା‌ରବାର କରୁଥିଲେ। ହେଲେ କାର୍ତ୍ତିକେଶ୍ବର ଏତେ ଟଙ୍କା କେଉଁଠୁ ଆଣୁଥିଲେ? କେବଳ ପିସିରୁ ନା ଠିକାଦାରଙ୍କୁ ମୋହରା କରି ନିଜେ ଠିକା କାମ କରୁଥିଲେ? ଆଉ ପୁଞ୍ଜି ନିବେଶ କରୁଥିଲେ। ନା ଠିକାଦାର ଅନ୍ୟ ଠିକାଦାରଙ୍କ ଠାରୁ ପିସି ଆଦାୟ କରି କାର୍ତ୍ତିକେଶ୍ବରଙ୍କୁ ଦେଉଥିଲେ? କେଉଁ ବାବଦକୁ ଏତେ ଟଙ୍କା କାରବାର କରୁଥିଲେ? ତାହା ଏବେ ବି ଅସ୍ପଷ୍ଟ ରହିଛି। ଏନେଇ ଭିଜିଲାନ୍ସ ଟିମ୍‌ ତାଙ୍କୁ ମାରାଥନ ଜେରା କରିଛି। ତେବେ ପ୍ରତିଷ୍ଠିତ ଚାରି ଜଣ ଠିକାଦାରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏହି ପ୍ରତିଷ୍ଠିତ ଠିକାଦାରମାନେ କିଏ? କାରଣ ଚାକିରି କାଳରେ କାର୍ତ୍ତିକେଶ୍ବର ଯେଉଁଆଡ଼େ ଯାଉଥିଲେ ସେଠାରେ ଏହି ଚାରି ଜଣଙ୍କ ଦବ୍‌ଦବା ରହିଥିଲା। ଦରକାର ପଡ଼ିଲେ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ଯେହେତୁ ଠିକାଦାରଙ୍କ ସମ୍ପୃକ୍ତି ନେଇ କଥା ପଦାକୁ ଆସିଛି। କାର୍ତ୍ତିକେଶ୍ବର ସହ ସମ୍ପୃକ୍ତ ଥିବା ଠିକାଦାରଙ୍କ ମହଲରେ କମ୍ପନ ସୃଷ୍ଟି ହୋଇଛି।

ଆସନ୍ତାକାଲି କାର୍ତ୍ତିକେଶ୍ବରଙ୍କ ରିମାଣ୍ଡ ଅବଧି ସରୁଥିବାରୁ ଶେଷ ଦିନ ଜେରାରେ ଆହୁରି ଅନେକ ଗୁମର ଖୋଲିବ ବୋଲି ଜଣାପଡ଼ିଛି। ଦରକାର ପଡ଼ିଲେ ଦ୍ବିତୀୟ ପତ୍ନୀ ଓ ତାଙ୍କୁ ପୁଣି ରିମାଣ୍ଡରେ ଆଣି ଜେରା କରାଯାଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସେହିପରି ଭିଜିଲାନ୍ସ ଟିମ୍‌ ଶାଳୀ ଓ ପୁତୁରାଙ୍କ ସହ ମଧ୍ୟ କାର୍ତ୍ତିକେଶ୍ବରଙ୍କୁ ମୁହାଁ ମୁହିଁ ଜେରା କରିଥିଲା। ଅନ୍ୟ ସମ୍ପର୍କୀୟଙ୍କ ସମ୍ପୃକ୍ତି ନେଇ ଭିଜିଲାନ୍ସ ସନ୍ଦେହ କରିଛି। ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇପାରେ।

ସମ୍ବନ୍ଧିତ ଖବର