ଉଠୁନି ଅଳିଆ, ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି

କାଗଜପତ୍ରରେ ସଫେଇ ପାଇଁ ନିଯୁକ୍ତ ଅଛନ୍ତି ୨୮୧ କର୍ମଚାରୀ!

ବାରିପଦା: ସହରାଞ୍ଚଳରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ସରକାର ଗୁରୁତ୍ବ ଦେଉଛନ୍ତି। ଏଥି ପାଇଁ ବର୍ଷକୁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ବାରିପଦା ସହରର ପରିମଳ ଅବ୍ୟବସ୍ଥାରେ ସୁଧାର ଆସି ପାରୁନାହିଁ। ଜନଗହଳିପୂର୍ଣ୍ଣ ରାସ୍ତା ଓ ସାହି ବସ୍ତିରୁ ନିୟମିତ ଅଳିଆ ଉଠୁନି। ଫଳରେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଏପଟେ କା‌ଗଜପତ୍ରରେ ପ୍ରତିଦିନ ବାରିପଦା ସହରକୁ ୨୮୧ ଜଣ କର୍ମଚାରୀ ସଫା କରୁଛନ୍ତି ବୋଲି ଦର୍ଶାଯାଉଛି। ଏ ବାବଦକୁ ମାସକୁ ୩୬ ଲକ୍ଷ ଟଙ୍କା ଦରମା ଦିଆଯାଉଛି। ଯଦି ବାସ୍ତବାରେ ଏତେ ସଂଖ୍ୟକ କର୍ମଚାରୀ ଦୈନିକ ସହରରେ ସଫେଇ କରୁଛନ୍ତି ତେବେ ଅଳିଆ କାହିଁକି ପାଇଁ ଉଠୁନି ବୋଲି ପ୍ରଶ୍ନ କରିଛନ୍ତି ସହରବାସୀ।

ଭୁବନେଶ୍ବରର ଏକ ଠିକା ସଂସ୍ଥା ସହର ସଫେଇ ପାଇଁ ୩ ବର୍ଷିଆ ଟେଣ୍ଡର ନେଇଛି। ବାରିପଦା ସହରର ୨୮ରୁ ୨୪ଟି ୱାର୍ଡରେ ସଫେଇ କାର୍ଯ୍ୟ ପାଇଁ ଉକ୍ତ ସଂସ୍ଥା କାଳେ ୨୫୧ ଜଣ କର୍ମଚାରୀ ନିଯୁକ୍ତ କରିଛି ବୋଲି କହୁଛି। ତେବେ ଉକ୍ତ ସଂସ୍ଥା ଦ୍ବାରା ନିଯୁକ୍ତ କିଛି କର୍ମଚାରୀଙ୍କ କହିବା ଅନୁଯାୟୀ କାମ କରୁଛନ୍ତି ୨୨୧ ଜଣ। ବାକି ୩୦ ଜଣଙ୍କ ନାଁ କେବଳ କାଗଜପତ୍ରରେ ଦର୍ଶାଯାଉଛି। ସଫେଇ ପାଇଁ ପୌର ପରିଷଦ ମାସକୁ ଏହି ସଂସ୍ଥାକୁ ଗଣୁଛି ୩୦ ଲକ୍ଷ ଟଙ୍କା। ବାକି ୪ଟି ୱାର୍ଡରେ ପୌର ପରିଷଦର ସ୍ଥାୟୀ ୩୦ ସଫେଇ କର୍ମଚାରୀ କାମ କରୁଛନ୍ତି। ଏମାନଙ୍କ ଦରମା ବାବଦକୁ ପୌର ପରିଷଦର ମାସକୁ ଖର୍ଚ୍ଚ ହେଉଛି ୬ ଲକ୍ଷ। ଉକ୍ତ ସଂସ୍ଥା ଯଦି ପ୍ରକୃତରେ ଠକୁଥାଏ ପୌର ପରିଷଦ ଏଥିରେ କଣ ପାଇଁ ହସ୍ତକ୍ଷେପ କରୁନି? ଏହି ସଂସ୍ଥା ଉପରେ କାହାର ଆଶୀର୍ବାଦ ରହିଛି ବୋଲି ପ୍ରଶ୍ନ ହେଉଛି। ଉକ୍ତ ସଂସ୍ଥାର ଟେଣ୍ଡର ଅବଧି ଆଉ ମାତ୍ର ୬ ମାସ ରହିଛି। ଅବଧି ସରିବା ପରେ ପୁଣି ଥରେ ଏହି ସଂସ୍ଥା ଯେମିତି ଟେଣ୍ଡର ପାଇବ ସେଥିପାଇଁ ଜୋରଦାର୍‌ ଉଦ୍ୟମ ଚାଲିଲାଣି।

ହେଲେ ଉକ୍ତ ସଂସ୍ଥା ନିଯୁକ୍ତ କର୍ମଚାରୀଙ୍କୁ ପ୍ରତିଶ୍ରୁତି ମୁତାବକ ଦରମା ପ୍ରଦାନ କରୁନାହିଁ। ଚାକିରି ଭୟରେ ସଫେଇ କର୍ମଚାରୀମାନେ ବି ପାଟି ଖୋଲୁ ନାହାନ୍ତି। ଉକ୍ତ ସଂସ୍ଥା ଦ୍ବାରା ନିଯୁକ୍ତ ଜଣେ ମହିଳା ସଫେଇ କର୍ମଚାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି; ନିଯୁକ୍ତି ପୂର୍ବରୁ ଦରମା ସହ ସବୁ ପ୍ରକାର ସୁବିଧା ମିଳିବ ବୋଲି କୁହାଯାଇଥିଲା। ତେବେ ନିଯୁକ୍ତି ପରେ ସଂସ୍ଥା ନିଜ ପ୍ରତିଶ୍ରୁତି ରଖୁନଥିବା ସେ କହିଛନ୍ତି। ସେହିଭଳି ଜଣେ ପୁରୁଷ ସଫେଇ କର୍ମଚାରୀ ବି ମୁହଁ ଖୋଲିଲେ ଚାକିରିରୁ ବାହାର କରି ଦେବାକୁ ଧମକ ଦିଆଯାଉଛି ବୋଲି କହିଛନ୍ତି। ସହରରୁ ସବୁ ଦିନ କାହିଁକି ଅଳିଆ ଉଠୁନି ବୋଲି ପ୍ରଶ୍ନରେ କର୍ମଚାରୀ ଅଭାବ ହିଁ କାରଣ ବୋଲି ସେ କହିଛନ୍ତି। କାଗଜପତ୍ରରେ ୨୮୧ ଜଣ କାମ କରୁଛନ୍ତି ବୋଲି ଯାହା କୁହାଯାଉଛି ତାହା ମିଛ କଥା। ଯଦି ରାତି ପାହିଲା ମାତ୍ରେ ୨୮୧ ଜଣ କର୍ମଚାରୀ ସହରକୁ ସଫା କରିବାକୁ ବାହାରିବେ ତାହା ହେଲେ ୩-୪ ଘଣ୍ଟାରେ କାମ ଶେଷ ହୋଇଯାଆନ୍ତା। ହେଲେ କର୍ମଚାରୀ ଯଥେଷ୍ଟ ନଥିବାରୁ ସକାଳୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କାମ କରିବାକୁ ପଡ଼ୁଛି ବୋଲି ‌କହିଛନ୍ତି ସଫେଇ କର୍ମଚାରୀ।

ଏନେଇ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କୁ ପଚାରିବାରୁ ପରିମଳ ଅବ୍ୟବସ୍ଥାରେ ବହୁ ସୁଧାର ଅଣାଯାଇଛି। ଅପେକ୍ଷା କରନ୍ତୁ, ଆଉ କିଛି ମାସ ପରେ ସବୁ ରାସ୍ତା, ସାହି ଗଳି ଚକାଚକ୍ ଦିଶିବ ବୋଲି ସେ କହିଛନ୍ତି। ଠିକା ସଂସ୍ଥା କର୍ମଚାରୀ ନିଯୁକ୍ତିରେ ଠକେଇ କରି ମାସକୁ ୬ ଲକ୍ଷ ହରିଲୁଟ୍ କରୁଥିବା ଅଭିଯୋଗର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର